ରାୟଗଡା : ଗୁଣି ଗାରେଡି ଭଳି ଅନ୍ଧ ବିଶ୍ୱାସରେ ବଳି ପଡିଲା ଆଉ ଏକ ଜୀବନ । ସଂଘବଦ୍ଧ ଆକ୍ରମଣର ଶିକାର ହୋଇ ପ୍ରାଣ ହାରିଛି ବାପା ଓ ବର୍ତ୍ତି ଯାଇଛନ୍ତି ୨ପୁଅ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଡୁଦୁକାବାହାଲ ପଂଚାୟତର ଟିଟିଗୁଡା ଗ୍ରାମରେ । ମୃତକ ଜଣକ ହେଲେ ୫୫ବର୍ଷିୟ ଦଇ ମାଝି । ସୂଚନାନୁସାରେ ଟିକିରି ଥାନା ଅଧିନସ୍ଥ ଟିଟିଗୁଡା ଗ୍ରାମରେ ଗୁଣି ଗାରେଡିକୁ ସନ୍ଦେହ କରି ଗତକାଲି ଦଇ ମାଝି, ତା’ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଧରି ଘରେ ଶୋଇଥିବା ବେଳେ ଗୁଣିଗାରେଡି ସନ୍ଦେହରେ ହତ୍ୟାକାଣ୍ଡ କରି ଲୋକଙ୍କୁ ନଷ୍ଟ କରିଦେଉଛୁ ବୋଲି ପାଟି ତୁଣ୍ଡ ଓ ଗାଳି ଗୁଲଜ କରି ଗାଁର କିଛି ଲୋକେ ଏକାଠି ହୋଇ ରାତି ପ୍ରାୟ ସାଢେ ୧୦ଟା ବେଳେ ବାପା ଦଇ ଓ ସାନ ପୁଅ ଦୁର୍ଯ୍ୟକୁ ଘରୁ ଟାଣି ନେଇ ନିର୍ଦ୍ଧୁମ ପିଟିଥିଲେ । ତେବେ ବଡପୁଅ ଲାଲୁ ଭୟରେ ଘର ଭିତରେ ରହିଯାଇଥିବା ବେଳେ କୌଶଳ କ୍ରମେ ଦୂର୍ଯ୍ୟ ଘଟଣାସ୍ଥଳରୁ ଖସି ପଳାଇଥିଲେ । କିନ୍ତୁ ବାପା ଦଇ ମାଝି ଖସି ନ ପାରିବାରୁ ତାଙ୍କୁ ପିଟିପିଟି ହତ୍ୟା କରି ଦେଇଥିବା ଅଭିଯୋଗ କରିଛନ୍ତି ବଡପୁଅ ଲାଲୁ ମାଝି । ଏହି ଘଟଣାକୁ ନେଇ ଦୁର୍ଯ୍ୟ ସ୍ଥାନୀୟ ଟିକିରି ପୋଲିସକୁ ସୂଚନା ଦେଇଥିଲେ ମଧ୍ୟ ପୋଲିସ ପହଞ୍ଚି ନଥିଲା । ଗାଁରେ ପୂର୍ବରୁ ଗୁଣିଗାରେଡି ସନ୍ଦେହରେ ଅନେକଥର ଦଇ ମାଝିଙ୍କ ପରିବାରକୁ ଗାଁ ଲୋକେ ମାରପିଟ କରିଥିବା ନେଇ ଟିକିରି ଥାନାରେ ଅଭିଯୋଗ ହୋଇଥିଲେ ମଧ୍ୟ ପୋଲିସର ନିଷ୍କ୍ରିୟତା ପଦକ୍ଷେପ ଯୋଗୁଁ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି । ବର୍ତ୍ତମାନ ଘଟଣା ସ୍ଥଳରେ ପୋଲିସ, ସାଇଣ୍ଟିଫିକ ଟିମ ଓ ଡଗ ସ୍କ୍ୱାର୍ଡ ପହଞ୍ଚି ହତ୍ୟାକାଣ୍ଡ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାରେ ସଂପୃକ୍ତ ୪ଜଣକୁ ଅଟକ ରଖି ପଚରାଉଚରା କରୁଛନ୍ତି ବୋଲି ପୋଲିସ ସୂତ୍ରରୁ ଜଣାପଡିଛି ।