ବର୍ମିଂହାମ: ରାଜ୍ୟଗୋଷ୍ଠୀ କ୍ରୀଡାରେ ଆଜିଠାରୁ ଆରମ୍ଭ ହୋଇଛି କୁସ୍ତି ପ୍ରତିଯୋଗିତା । ଭାରତର ଦୁଇ ଷ୍ଟାର ରେସଲର ବଜରଙ୍ଗ ପୁନିଆ ଓ ଦୀପକ ପୁନିଆ ନିଜ ନିଜର ପ୍ରଥମ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ୬୫ କେଜି ଫ୍ରିଷ୍ଟାଇଲ ବର୍ଗରେ ବଜରଙ୍ଗ ପୁନିଆ ୧ ମିନିଟ ୪୭ ସେକେଣ୍ଡ ମଧ୍ୟରେ ନିଜର ପ୍ରତିପକ୍ଷଙ୍କୁ ଚିତ କରି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ସେ ଏହି ମ୍ୟାଚ୍କୁ ୪-୦ରେ ଜିତିଛନ୍ତି । ଆଜି ତାଙ୍କର ମୁକାବିଲା ନଉରାଉର ଲୋୱେ ବିଙ୍ଗହାମ ସହ ହୋଇଥିଲା । ହେଲେ ରାଜ୍ୟଗୋଷ୍ଠୀ କ୍ରୀଡାର ଡିଫେଣ୍ଡିଂ ଚାମ୍ପିୟନ ବଜରଙ୍ଗ ତାଙ୍କୁ ଆଟାକ କରିବାର କୌଣସି ସୁଯୋଗ ଦେଇଥିଲେ । ଦେଢ ମିନିଟ୍ ମଧ୍ୟରେ ବିଙ୍ଗହାମକୁ ଲକ୍ ପୋଜିସନରେ ରଖି ମ୍ୟାଚ୍କୁ ଏକତରଫା ଭାବେ ଜିତି ନେଇଥିଲେ । ଏବେ କ୍ୱାର୍ଟର ଫାଇନାଲରେ ବଜରଙ୍ଗଙ୍କ ମୁକାବିଲା ମରିସସର ଜେନ ଜୁୟଲିନେ ଜୋରିସ ବାନଡୌଙ୍କ ସହ ହେବ । ୨୦୧୮ରେ ବଜରଙ୍ଗ ସ୍ୱର୍ଣ୍ଣ ଜିତି ଥିବାରୁ ତାଙ୍କୁ ଠାରୁ ଏଥର ମଧ୍ୟ ଦେଶ ସ୍ୱର୍ଣ୍ଣ ଆଶାରେ ରହିଛି । ଅନ୍ୟପକ୍ଷରେ ଦୀପକ ପୁନିଆ ମଧ୍ୟ ୮୬ କେଜି ବର୍ଗରେ ବିଜୟରୁ ଅଭିଯାନ ଆରମ୍ଭ କରିଛନ୍ତି । ସେ ନ୍ୟୁଜିଲ୍ୟାଣ୍ଡର ମାଥ୍ୟୁ ଓକ୍ସେନହାମଙ୍କୁ ୩ ମିନିଟ ୨୨ ସେକେଣ୍ଡ ମଧ୍ୟରେ ହରାଇଛନ୍ତି । ମ୍ୟାଚ୍ରେ ଦୀପକଙ୍କୁ ଏକତରଫା ଭାବେ ୧୦ ଟେକ୍ନିକାଲ ପଏଣ୍ଟ ମିଳିବାରୁ ସେ ପରବର୍ତ୍ତୀ ରାଉଣ୍ଡ ଅର୍ଥାତ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି । ଆଜି ଭାରତୀୟ ରେସଲରଙ୍କ ଏହି ସଫଳତାକୁ ନେଇ କୋଚମାନେ ବେଶ୍ ଖୁସି ଅଛନ୍ତି ।