ଶ୍ରୀନଗର: ଦେଶର ବିକାଶରେ ଭାରତୀୟ ରେଳର ଅବଦାନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ୨୦୨୪ ମସିହାରେ ହେବାକୁ ଥିବା ସାଧାରଣ ନିର୍ବାଚନ ପୂର୍ବରୁ ଶ୍ରୀନଗର-କନ୍ୟାକୁମାରୀ ମଧ୍ୟରେ ଯାତ୍ରୀବାହୀ ଟ୍ରେନ୍ ଚଳାଚଳ ଆରମ୍ଭ କରିବାକୁ ଲକ୍ଷ୍ୟ ରଖାଯାଇଛି । ମାର୍ଚ୍ଚ ୨୦୨୪ ସୁଦ୍ଧା କଶ୍ମୀର ଉପତ୍ୟକାକୁ ଦେଶ ସହ ରେଳ ମାଧ୍ୟମରେ ସଂଯୋଗ କରିବାକୁ ଥିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଉଦମପୁର-ଶ୍ରୀନଗର-ବାରାମୁଲ୍ଲା ରେଳ ଲିଙ୍କ ପ୍ରକଳ୍ପକୁ ସମ୍ପୂର୍ଣ୍ଣ କରିବାକୁ ଲକ୍ଷ୍ୟ କରାଯାଇଛି । କେବଳ ଏତିକି ନୁହେଁ, ଏହି ପ୍ରକଳ୍ପ ଅଧୀନରେ ନିର୍ମାଣ ହେଉଥିବା ବିଶ୍ୱର ସର୍ବୋଚ୍ଚ ଚେନାବ ବ୍ରିଜ୍ (୧୩୧୫ ମିଟର)ର ଡେକ୍ କାର୍ଯ୍ୟ ଅଗଷ୍ଟ ୧୫ରେ ଶେଷ ହେବ । ରେଳ ବୋର୍ଡର ପଦାଧିକାରୀମାନେ କହିଛନ୍ତି ଯେ ମାର୍ଚ୍ଚ ୨୦୨୪ ରେ କଶ୍ମୀର ଉପତ୍ୟକାରୁ କନ୍ୟାକୁମାରୀ ଓ ଉତ୍ତର-ପୂର୍ବର ଗୁଆହାଟୀ ପର୍ଯ୍ୟନ୍ତ ରେଳ ସଂଯୋଗ କାର୍ଯ୍ୟ ଶେଷ ହେବ । ଆଉ ଯାତ୍ରୀବାହୀ ଟ୍ରେନ୍ ସେବା ଏପ୍ରିଲରୁ ଆରମ୍ଭ ହେବ ।