ଦୁବାଇ: ଆଜି ପ୍ରକାଶ ପାଇଛି ଆଇସିସି ମହିଳା ଟି-୨୦ ମାନ୍ୟତା ତାଲିକା । ଏଥିରେ ଭାରତର ଦ୍ରୁତ ବୋଲର ରେଣୁକା ସିଂହ ଠାକୁରଙ୍କୁ ମିଳିଛି ଜବରଦସ୍ତ ଫାଇଦା । ସେ ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ନିକଟରେ ଶେଷ ହୋଇଥିବା ରାଜ୍ୟଗୋଷ୍ଠୀ କ୍ରୀଡାରେ ରେଣୁକା ଦମଦାର ବୋଲିଂ କରିଥିଲେ । ଏହି ବୋଲିଂ ଯୋଗୁ ସେ ତାଙ୍କ କ୍ରିକେଟ କ୍ୟାରିୟରର ଶ୍ରେଷ୍ଠ ସ୍ଥାନରେ ପହଞ୍ଚି ଯାଇଛନ୍ତି । ରେଣୁକା ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୧ଟି ୱିକେଟ ଦଖଲ କରିଥିବାରୁ ପ୍ରଥମଥର ପାଇଁ ଆଇସିସି ବୋଲିଂ ରାଙ୍କିଙ୍ଗର ଟପ୍ ୨୦ରେ ପ୍ରବେଶ କରିଛନ୍ତି । ସେ ପୂର୍ବରୁ ୨୮ତମ ସ୍ଥାନରେ ଥିଲେ । ହେଲେ ଏବେ ୧୦ଟି ସ୍ଥାନ ଲମ୍ଫ ମାରି ୧୮ତମ ସ୍ଥାନରେ ପହଞ୍ଚି ଯାଇଛନ୍ତି । ସେହିପରି, ଭାରତର ଜେମିମା ରୋଡ୍ରିଗସ ୨୦୨୧ ପରେ ପ୍ରଥମଥର ପାଇଁ ଟପ୍ ୧୦ରେ ପ୍ରବେଶ କରିଛନ୍ତି । ମହିଳା ଟି-୨୦ ବ୍ୟାଟିଂ ରାଙ୍କିଙ୍ଗରେ ଅଷ୍ଟ୍ରେଲିଆର ବେଥ ମୋନୀ ଶୀର୍ଷ ସ୍ଥାନକୁ ଫେରିଛନ୍ତି । କିଛି ସପ୍ତାହ ପୂର୍ବରୁ ତାଙ୍କ ଠାରୁ ଏହି ସ୍ଥାନ ଦଳର ଅଧିନାୟକ ମେଗ ଲେନିଙ୍ଗ ଛଡାଇ ନେଇଥିଲେ । ହେଲେ ସ୍ୱର୍ଣ୍ଣ ପଦକ ମୁକାବିଲାରେ ସେ ଭାରତ ବିପକ୍ଷରେ ଅର୍ଦ୍ଧଶତକୀୟ ଇନିଂସ ଖେଳି ପୁଣି ୧ନଂ ସ୍ଥାନକୁ ଫେରିଛନ୍ତି । ଭାରତ ବିପକ୍ଷରେ ମୋନୀ ୪୧ ବଲରେ ୬୧ ରନର ଇନିଂସ ଖେଳିଥିଲେ । ଏହାପୂର୍ବରୁ ପାକିସ୍ତାନ ବିପକ୍ଷରେ ଅପରାଜିତ ୭୦ ଓ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୩୬ ରନର ଇନିଂସ ଖେଳିଥିଲା । ଏବେ ସେ ୭୪୩ ପଏଣ୍ଟ ସହ ଲାନିଙ୍ଗ ଠାରୁ ୧୮ ପଏଣ୍ଟ ଆଗରେ ଅଛନ୍ତି । ତୃତୀୟ ଥର ପାଇଁ ମୋନୀ ଶୀର୍ଷ ସ୍ଥାନ ଦଖଲ କରିଛନ୍ତି । ପ୍ରଥମଥର ସେ ୨୦୨୧ ମାର୍ଚ୍ଚ ୮ରୁ ୨୦୨୧ ମାର୍ଚ୍ଚ ୨୧ ଯାଏ ଶୀର୍ଷ ସ୍ଥାନରେ ଥିଲେ । ଏହାପରେ ପୁଣିଥରେ ୨୦୨୧ ଅକ୍ଟୋବର ୯ରୁ ୨୦୨୨ ଜୁଲାଇ ୨୬ ଯାଏ ୧ନଂ ସ୍ଥାନରେ ରହିଥିଲେ । ଅନ୍ୟପକ୍ଷରେ ଭାରତର ଜେମିମା ରୋଡ୍ରିଗସ ୨୦୨୧ ପରେ ପ୍ରଥମଥର ପାଇଁ ଟପ୍ ୧୦ରେ ପ୍ରବେଶ କରିଛନ୍ତି । ସେ ରାଜ୍ୟଗୋଷ୍ଠୀ କ୍ରୀଡାରେ ୧୪୬ ରନ କରିବା ପରେ ତାଙ୍କୁ ଏପରି ଫାଇଦା ମିଳିଛି । ସେ ୬୩୦ ଏପଣ୍ଟ ସହ ୧୦ନଂ ସ୍ଥାନରେ ରହିଛନ୍ତି । ଭାରତ ସ୍ମୃତି ମନ୍ଧାନା ୨ଟି ସ୍ଥାନ ତଳକୁ ଖସି ୪ନଂ ଓ ଶେଫାଳି ବର୍ମା ଗୋଟିଏ ସ୍ଥାନ ତଳକୁ ଖସି ବ୍ୟାଟିଂ ରାଙ୍କିଙ୍ଗର ୬ନଂ ସ୍ଥାନରେ ଅଛନ୍ତି । ବୋଲିଂ ରାଙ୍କିଙ୍ଗରେ ଭାରତର ଦୀପ୍ତି ଶର୍ମା ୬ଷ୍ଠ ସ୍ଥାନରେ ଓ ଅଲରାଉଣ୍ଡ ତାଲିକାର ୪ନଂ ସ୍ଥାନରେ ରହିଛନ୍ତି ।