ନୂଆଦିଲ୍ଲୀ: ଆପତ୍ତିଜନକ ମନ୍ତବ୍ୟ ଦେଇ ବିବାଦୀୟ ହୋଇଥିବା ନୂପୁର ଶର୍ମାଙ୍କୁ ସୁପ୍ରିମକୋର୍ଟରୁ ମିଳିଛି ଆଶ୍ୱସ୍ତି । ନୂପୁର ଶର୍ମାଙ୍କ ବିରୋଧରେ ଥିବା ସମସ୍ତ ମାମଲା ରାଜଧାନୀ ଦିଲ୍ଲୀକୁ ସ୍ଥାନାନ୍ତର ହେବ । ଆଜି ଏନେଇ ଶୁଣାଣି କରିଛନ୍ତି ସୁପ୍ରିମକୋର୍ଟ । ଦେଶର ବିଭିନ୍ନ ସ୍ଥାନରେ ତାଙ୍କ ନାମରେ ହୋଇଥିବା ୧୦ଟି ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ତାଙ୍କ ଉପରେ ଦାୟର ହୋଇଥିବା ସମସ୍ତ ମାମଲାକୁ ଦିଲ୍ଲୀ ସ୍ଥାନାନ୍ତର କରିବାକୁ ନୂପୂର ଅନୁରୋଧ କରିଥିଲେ । ତେବେ ନୂପୁରଙ୍କ ଏହି ଆବେଦନକୁ ବେଙ୍ଗଲ ସରକାର ବିରୋଧ କରିଥିଲେ । ପୂର୍ବରୁ ନୂପୁର ଶର୍ମାଙ୍କ ନାଁରେ ରୁଜୁ ହୋଇଥିବା ଏକାଧିକ ଏଫଆଇଆରକୁ ଏକାଠି କରିବା ପାଇଁ ସେ କରିଥିବା ଆବେଦନର ଜବାବ ରଖିବାକୁ ସୁପ୍ରିମକୋର୍ଟ ରାଜ୍ୟଗୁଡିକୁ କହିଥିଲେ । ରାଜ୍ୟଗୁଡିକ ଜବାବ ଦେବା ପରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ମାମଲାର ଶୁଣାଣି ନ ହେବା ଯାଏ ନୂପୁର ଶର୍ମା ଗିରଫ ହୋଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଥିଲେ । ଏଗୁଡିକ ଏକାଠି କରି ଦିଲ୍ଲୀକୁ ସ୍ଥାନାନ୍ତର କରିବାକୁ ସେ ଆବେଦନ ହୋଇଥିଲା । ଗତ ମେ ମାସରେ ଏକ ଟିଭି ବିତର୍କରେ ଯୋଗ ଦେଦେଇ ନୂପୁର କେତେକ ବିବାଦୀୟ ଇସଲାମ ବିରୋଧୀ ମନ୍ତବ୍ୟ ଦେଇଥିଲେ । ଏହାକୁ ନେଇ ମୁସଲିମ ଜଗତରେ ତୀବ୍ର ବିରୋଧ ହେବା ପରେ ବିଜେପି ପକ୍ଷରୁ ନୂପୁର ଓ ଦିଲ୍ଲୀ ୟୁନିଟ ମିଡିଆ ସେଲ ମୁଖ୍ୟ ନବୀନ ଜିନ୍ଦଲଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା । ନୂପୁରଙ୍କୁ ନିଲମ୍ବିତ କରାଯିବା ସହ ନବୀନଙ୍କୁ ବହିଷ୍କାର କରାଯାଇଥିଲା ।