ଘୁ. ଉଦୟଗିରିଠାରେ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟି ବୈଠକ

0 60

ଘୁ. ଉଦୟଗିରି :- ସ୍ଥାନୀୟ ବ୍ଳକ କାର୍ଯ୍ୟାଳୟସ୍ଥିତ ସଭା ଗୃହରେ ସମନ୍ୱିତ ଶିଶୁ ବିକାଶ ବିଭାଗ ପକ୍ଷରୁ ଶିଶୁ ସୁରକ୍ଷା ଅଧିକାରିଣୀ ସାବିତ୍ରୀ ମଲ୍ଲିକଙ୍କ ଅଧ୍ୟକ୍ଷତାରେ ବ୍ଲକ୍‌ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ୍‌ ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ଉପସ୍ଥିତ ଥିଲେ । ଏଥି ସହିତ ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ, ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚର ସମ୍ପାଦିକା ବିଷ୍ଣୁପ୍ରିୟା ପ୍ରଧାନ ଓ ଘୁ. ଉଦୟଗିରି ବ୍ଲକ ଅନ୍ତର୍ଗତ ପଞ୍ଚାୟତର ସମସ୍ତ ସରପଞ୍ଚ, ଅଙ୍ଗନୱାଡ଼ି କର୍ମୀମାନେ ଯୋଗ ଦେଇଥିଲେ ।
ବୈଠକରେ ପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟି ଗୁଡିକର ସୁଦୃଢ଼ୀକରଣ କରିବା ଏବଂ ଉଚ୍ଚ ବିଦ୍ୟାଳୟ ଓ ମହାବିଦ୍ୟାଳୟ ଗୁଡିକରେ ବାଲ୍ୟ ବିବାହ ପ୍ରତିରୋଧ କମିଟି ଗଠନ କରିବା ସହିତ ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପଦକ୍ଷେପ ନିଆଯିବ ବୋଲି ଆଲୋଚନା କରାଯାଇଛି । ବାଲ୍ୟ ବିବାହ ଭଳି କୁସଂସ୍କାର ଗାଁରୁ ହଟାଇଲେ ଏକ ସୁସମାଜ ଗଠନ ହେବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସୁଷମା ପ୍ରଧାନ ମତ ବ୍ୟକ୍ତ କରିଥିଲେ ।
ପଞ୍ଚାୟତ ସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ କରିବା ପାଇଁ କେଉଁ ଭଳି ପଦକ୍ଷେପ ନେବେ ତାହା ସରପଞ୍ଚମାନେ ମଧ୍ୟ ନିଜ ନିଜ ମତାମତ ରଖିଥିଲେ । ଜନସାଧାରଣଙ୍କୁ ସଚେତନ କରିବା ପାଇଁ ପ୍ରଶାସନ, ସ୍ୱୟଂ ସହାୟିକା ଗୋଷ୍ଠୀ, ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଯୁବ ଗୋଷ୍ଠୀ, ୱାର୍ଡ ସଭ୍ୟ, ଶିକ୍ଷକ ଓ ଶିକ୍ଷୟତ୍ରୀ, ଗଣମାଧ୍ୟମ ଏବଂ ବିଭିନ୍ନ ବୁଦ୍ଧିଜୀବୀଙ୍କ ସହଯୋଗ ହେଲେ ଘୁ. ଉଦୟଗିରି ବ୍ଲକରେ ବାଲ୍ୟ ବିବାହ ସମ୍ପୂର୍ଣ୍ଣ ମୂଳପୋଛ କରାଯାଇପାରିବ ବୋଲି ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ ମତାମତ ରଖିଥିଲେ । ପ୍ରତି ମାସରେ ପଞ୍ଚାୟତ ସ୍ତରୀୟ ବୈଠକରେ ବାଲ୍ୟ ବିବାହ ସମ୍ବନ୍ଧୀୟ ବିଷୟ ଗୁଡ଼ିକ ଆଲୋଚନା କରି ଗ୍ରାମୀଣ ସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ସରପଞ୍ଚ ଓ ଅଙ୍ଗନୱାଡ଼ି କର୍ମୀ ମାନଙ୍କୁ ଏହି ବୈଠକରେ ଅନୁରୋଧ କରାଯାଇଛି ।
କାର୍ଯ୍ୟକ୍ରମକୁ ଶିଶୁ ସୁରକ୍ଷା ଅଧିକାରିଣୀ ଶ୍ରୀମତୀ ସାବିତ୍ରୀ ମଲ୍ଲିକ ପରିଚାଳନା କରିଥିବା ବେଳେ ସୁପର୍ଭାଇଜର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

three + fifteen =