ଅହମ୍ମଦାବାଦ: ଆଜି ସନ୍ଧ୍ୟାରେ ଗୁଜୁରାଟର ମୋରବିରେ ଏକ ବଡ଼ ଦୁର୍ଘଟଣା ଘଟିଯାଇଛି | ଆଜି ମଛୁ ନଦୀ ଉପରେ ଥିବା କେବୁଲ ବ୍ରିଜ(ଝୁଲା ପୋଲ) ଭୁଶୁଡି ପଡିଛି । ଏହି ଘଟଣା ସମୟରେ ବ୍ରିଜ ଉପରେ ଠିଆ ହୋଇଥିବା ଅନେକ ଲୋକ ନଦୀରେ ପଡ଼ିଯାଇଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୁଲିସ ଏବଂ ପ୍ରଶାସନ ପକ୍ଷରୁ ଘଟଣାସ୍ଥଳରେ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଆରମ୍ଭ କରାଯାଇଛି । ଉଦ୍ଧାରକାରୀ ଦଳ ଅନେକ ଲୋକଙ୍କୁ ନଦୀରୁ ବାହାର କରି ଡାକ୍ତରଖାନା ପଠାଇଛନ୍ତି। ଅନ୍ୟ ଲୋକଙ୍କ ସନ୍ଧାନ ମଧ୍ୟ ଚାଲିଛି | ମିଳିଥିବା ସୂଚନା ମୁତାବକ ଆଜି ଛୁଟିଦିନ ହୋଇଥିବାରୁ ଏଠାରେ ବହୁତ ଭିଡ଼ ଜମିଥିଲା | ଦୁର୍ଘଟଣା ସମୟରେ ବ୍ରିଜ ଉପରେ ଶହ ଶହ ଲୋକ ଉପସ୍ଥିତ ଥିବା କୁହାଯାଉଛି।
ଏହି ସେତୁଟି ବହୁତ ପୁରୁଣା ହୋଇଥିବାବେଳେ କିଛି ଦିନ ପୂର୍ବରୁ ଏହାର ମରାମତି କରାଯାଇଥିଲା | ମରାମତିର ମାତ୍ର ୫ ଦିନ ପରେ ଏହାକୁ ସାଧାରଣ ଜନତାଙ୍କ ପାଇଁ ଖୋଲାଯାଇଥିଲା | ଗୁଜୁରାଟର ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ପଟେଲ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁଜୁରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଫୋନ ଯୋଗେ କଥା ହୋଇଛନ୍ତି | ଉଦ୍ଧାର କାର୍ଯ୍ୟକୁ ଯୁଦ୍ଧକାଳୀନ ଭିତ୍ତିରେ କରିବା ସହ ପରିସ୍ଥିତି ଉପରେ ତୀକ୍ଷ୍ଣ ଏବଂ ନିରନ୍ତର ନଜର ରଖିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ କହିଛନ୍ତି |