ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ :
୪୬ ମୃତ,୭୦୦ରୁ ଆହତ

0 67

ଜକାର୍ତ୍ତା: ଇଣ୍ଡୋନେସିଆରେ ଆଜି ଭୟଙ୍କର ଭୂମିକମ୍ପ ହୋଇଛି । ଏଥିରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭୦୦ରୁ ଅଧିକ ଆହତ ହୋଇଛନ୍ତି । ସୋମବାର ଅପରାହ୍ନରେ ଜାଭା ଦ୍ୱୀପର ସିଆନଞ୍ଜୁରରେ ୫.୬ ତୀବ୍ରତାର ଭୂମିକମ୍ପ ହୋଇଛି । ରାଜଧାନୀ ଜକାର୍ତ୍ତାରୁ ଦକ୍ଷିଣପଶ୍ଚିମ ଦିଗରେ ୭୫ କିମି ଦୂରରେ ଭୂମିକମ୍ପ ଅନୁଭୂତ ହୋଇଛି । ୧୦ କିମି ଗଭୀରରେ ଏହା କେନ୍ଦ୍ରୀଭୂତ ହୋଇଛି । ଇଣ୍ଡୋନେସିଆ ଭୂବିଜ୍ଞାନୀ ଏହି ସୂଚନା ଦେଇଛନ୍ତି । ତେବେ ସୁନାମୀର ଭୟ ନାହିଁ ବୋଲି ଭୂବିଜ୍ଞାନୀ କହିଛନ୍ତି । ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ସମ୍ପତ୍ତି ନଷ୍ଟର ଆଳନ କାର୍ଯ୍ୟ ଜାରି ରହିଛି । ଇଣ୍ଡୋନେସିଆ ଭୂମିକମ୍ପ ସମ୍ପର୍କରେ ସୂଚନା ଦେଇ ସିଆନଜୁର ପ୍ରଶାସନ ମୁଖ୍ୟ ହରମନ ଶୁହେରମନ କହିଛନ୍ତି ଯେ “ ବର୍ତ୍ତମାନ ପର୍ଯ୍ୟନ୍ତ ମୋତେ ମିଳିଥିବା ସୂଚନା ଅନୁସାରେ, ହସ୍‌ପିଟାଲରେ ଚିକିତ୍ସିତ ଅବସ୍ଥାରେ ୪୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୭୦୦ ଲୋକ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ବିଲ୍ଡିଂ ଭୁଶୁଡ଼ି ପଡ଼ିବାରୁ ଅଧିକାଂଶଙ୍କ ଶରୀର ହାଡ଼ ଭାଙ୍ଗିଯାଇଛି ।” ମେଟ୍ରୋ ଟିଭିକୁ ସୂଚନା ଦେଇ ଏପରି କହିଛନ୍ତି ହରମନ । ସିଆନଞ୍ଜୁର ଗୋଟିଏ ହସ୍‌ପିଟାଲ୍‌ରେ ସ୍ଥିତି ଏମିତି । ସହରରେ ଏଭଳି ୪ଟି ହସ୍‌ପିଟାଲ୍‌ରେ । ତେଣୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଥିବା ହରମନ କହିଛନ୍ତି । ଜାତୀୟ ବିପର୍ଯ୍ୟୟ ପରିଚାଳନା ଏଜେନ୍ସିର ସୂଚନା ଅନୁସାର ସିଆନଞ୍ଜୁର ଅଞ୍ଚଳରେ ଅନେକ ଘର ଓ ଇସ୍ଲାମିକ ବୋର୍ଡିଂ ସ୍କୁଲ୍‌ ଭାଙ୍ଗିରୁଜି ଯାଇଛି । ଏବେ କ୍ଷୟକ୍ଷତିର ଆକଳନ ଚାଲିଛି ବୋଲି ଏଜେନ୍ସି କହିଛି ।
ସେହିପରି,ଆଜି ଗ୍ରୀସ୍‌ରେ ମଧ୍ୟ ଶକ୍‌ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ଏହାର ତୀବ୍ରତା ୫.୫ ରେକର୍ଡ କରାଯାଇଛି । ସୋମବାର ସକାଳୁ ଭୂକମ୍ପ ଝଟ୍‌କା ଅନୁଭୂତ ହେବା ପରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଏହି ଭୂମିକମ୍ପ ଯୋଗୁ ସୁନାମୀ ଆସିପାରେ ବୋଲି ପାଣିପାଗ ବିଜ୍ଞାନୀ ଆଶଙ୍କା କରିଛନ୍ତି । ଏଥିଲାଗି ଉପକୂଳବର୍ତ୍ତୀ ଲୋକମାନଙ୍କୁ ସତର୍କ ରହିବାକୁ କୁହାଯାଇଛି । ତଟବର୍ତ୍ତୀ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ଭାବେ ଅନ୍ୟ ସ୍ଥାନକୁ ଚାଲିଯିବାକୁ ସତର୍କ ସୂଚନା ଜାରି କରାଯାଇଛି । ଭୂକମ୍ପ ଯୋଗୁଁ ଇଜିପ୍ଟର ସାଇଟିଆର ଉତ୍ତର-ପୂର୍ବଠାରୁ ୬୦ କିଲୋମିଟର ଦୂରରେ କମ୍ପନ ଅନୁଭୂତ ହୋଇଥିଲା । ଏହି ଭୂମିକମ୍ପର କେନ୍ଦ୍ର ଭୂପୃଷ୍ଠ ଠାରୁ ୮୦ କିଲୋମିଟର ଗଭୀରରେ ଥିଲା । କୁହାଯାଉଛି ଯେ, ଏହି ଭୂମିକମ୍ପ ଏତେ ଶକ୍ତିଶାଳୀ ଥିଲା ଯେ, ଏହାର କମ୍ପନ ଉତ୍ତର ଆପ୍ରିକା ପର୍ଯ୍ୟନ୍ତ ଅନୁଭୂତ ହୋଇଥିଲା । ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

five × 3 =