ସ୍ୱତନ୍ତ୍ର ରାଜ୍ୟ ଦାବି ଆଡ଼କୁ ମୁହାଁଇଲା ଓକିଲଙ୍କ ଆନ୍ଦୋଳନ

0 388

ସମ୍ବଲପୁର: ଓଡ଼ିଶା ହାଇକୋର୍ଟର ଏକ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବିକୁ ନେଇ ଏଠାରେ ଗଢିଉଠିଥିବା ଓକିଲ ସଂଘର ଆନ୍ଦୋଳନ ଆଜି ଏକ ଭିନ୍ନ ରୂପ ନେଇଛି । ସୁପ୍ରିମକୋର୍ଟର ନିର୍ଦ୍ଦେଶକ୍ରମେ ଏଠାକାର ପୁଲିସ ପକ୍ଷରୁ ସକ୍ରିୟତା ଦର୍ଶାଇ ଜିଲ୍ଲା କୋର୍ଟର ଅଧିକାରୀ ଓ କର୍ମଚାରୀଙ୍କ ଅବାଧ ପ୍ରବେଶ ସୁନିଶ୍ଚିତ କରାଯାଇଥିଲା । ଏଣୁ ଆଜି ଓକିଲ ସଂଘ ପୂର୍ବପରି କଚେରୀ ଛକରେ ରାସ୍ତାରୋକ ନ କରି ତାଙ୍କ କାର୍ଯ୍ୟାଳୟ “ବାର’ ପାଖରେ ମୁଣ୍ଡରେ କଳାପଟି ଓ କଳା ବ୍ୟାଜ୍‌ ପିନ୍ଧି ଧାରଣାରେ ବସିଥିଲେ । ସେମାନଙ୍କ କହିବା ଅନୁସାରେ ଆଜିଠାରୁ ସେମାନେ ରଜ୍ୟର ପଶ୍ଚିମାଞ୍ଚଳକୁ ନେଇ ସ୍ୱତନ୍ତ୍ର ରାଜ୍ୟ ଗଠନ ଦାବି ଉଠାଉଛନ୍ତି ଓ ଏହି ଆନ୍ଦୋଳନ ପ୍ରଦର୍ଶନ ଆଗାମୀ ଚାରିଦିନ ପର୍ଯ୍ୟନ୍ତ ଅବ୍ୟାହତ ରହିବ ବୋଲି କହିଛନ୍ତି । ଅନ୍ୟପଟେ ଜିଲ୍ଲା କୋର୍ଟ ପରିସରରୁ କଚେରୀ ଛକ ପର୍ଯ୍ୟନ୍ତ ପୁଲିସର କଡ଼ା ବନ୍ଦୋବସ୍ତ ଓ ଓକିଲଙ୍କ ଅସହଯୋଗ ଯୋଗୁଁ କୌଣସି ମୁଦାଲା କୋର୍ଟକୁ ଆସିବା ସାହସ କରିନାହାନ୍ତି ଓ ଖୋଲାଥାଇ ମଧ୍ୟ କୋର୍ଟ ଗୋଟିଏ ପ୍ରକାରେ ବନ୍ଦ ରହିଛି । ପୁଣି ଆଜିକାର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇବା ପାଇଁ ସମ୍ବଲପୁର ବିଧାୟକ ଓ ରାଜ୍ୟ ବିଧାନସଭାରେ ନେତା ପ୍ରତିପକ୍ଷ ଜୟନାରାୟଣ ମିଶ୍ର, ରେଙ୍ଗାଲି ବିଧାୟକ ନାଉରୀ ନାଏକ ଓ ଭାଜପାର ଜିଲ୍ଲା ସଭାପତି ଓ ପୂର୍ବତନ ନଗରପାଳ ଗିରିଶ ପଟେଲ ସେମାନଙ୍କ ସମର୍ଥକମାନଙ୍କ ଗହଣରେ ଆସି ପହଞ୍ଚିଥିଲେ । ବିଧାୟକ ଶ୍ରୀ ମିଶ୍ର ନିଜ ସଂକ୍ଷିପ୍ତ ସମ୍ବୋଧନରେ ମଧ୍ୟ ପଶ୍ଚିମ ଓଡ଼ିଶାକୁ ନେଇ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନ କଥା ଉଠାଇଛନ୍ତି । ସେ କହିଛନ୍ତି କି ଏଠାରେ ସ୍ୱତନ୍ତ୍ର ରାଜ୍ୟ ଗଠନ ହୋଇଗଲେ ଏକ ସ୍ଥାୟୀ ବେଞ୍ଚ କଣ ଏକ ସ୍ୱତନ୍ତ୍ର ହାଇକୋର୍ଟ ସ୍ଥାପନ ପାଇଁ ଆପେଆପେ ବାଟ ଫିଟିଯିବ । ଏଠାରେ ଗଠିତ ନାଗରିକ କ୍ରିୟାନୁଷ୍ଠାନ କମିଟି ମଧ୍ୟ ଆଜିକାର ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛନ୍ତି ।

hiranchal ad1
Leave A Reply

Your email address will not be published.

five × 3 =