ଥିରୁଅନନ୍ତପୁରମ: ତୃତୀୟ ଦିନିକିଆରେ ଶ୍ରୀଲଙ୍କାର ଶୋଚନୀୟ ପରାଜୟ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ଚିତ୍ ମାରିଲା ସିଂହଳ ଟିମ୍। ଆଜି ଭାରତ ଦେଇଥିବା ବିଶାଳ ଲକ୍ଷ୍ୟକୁ ପିଛା କରି ଶ୍ରୀଲଙ୍କା ମାତ୍ର ୭୩ ରନ୍ରେ ଅଲ୍ଆଉଟ୍ ହୋଇଯାଇଛି। ଫଳରେ ଭାରତୀୟ ଟିମ୍ ୩୭୧ ରନ୍ରେ ବିଜୟ ହାସଲ କରିଛି। ଯାହା ଏକ ରେକର୍ଡ ସୃଷ୍ଟି କରିଛି। ସେପଟେ ଶେଷ ମ୍ୟାଚ୍ ଜିତିବା ସହ ଭାରତୀୟ ଟିମ୍ ସିରିଜ୍କୁ ୩-୦ରେ ହାତେଇ ନେଇଛି।
ଆଜି ଭାରତ ପକ୍ଷରୁ ମହମ୍ମଦ ସିରାଜ ସର୍ବାଧିକ ୪ ୱିକେଟ ନେଇଥିବା ବେଳେ ମହମ୍ମଦ ସାମି ଓ କୁଲଦୀପ୍ ଯାଦବ ୨ଟି ଲେଖାଏଁ ୱିକେଟ ନେଇଥିଲେ। ଶ୍ରୀଲଙ୍କା ବ୍ୟାଟ୍ସ ମ୍ୟାନ୍ ମାନେ ମାତ୍ର ୨୨ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ତିଷ୍ଠି ପାରିଥିଲେ। ମାତ୍ର ୩ ଜଣ ଶ୍ରୀଲଙ୍କା ଖେଳାଳି ୧୦ ରନ୍ ଡେଇଁ ପାରିପାରିଥିଲେ। ଦୁଇ ଓପନରଙ୍କୁ ମାତ୍ର ୨୨ ରନ୍ ଭିତରେ ସିରାଜ୍ ଆଉଟ୍ କରି ପାଭିଲିୟନ ରାସ୍ତା ଦେଖାଇବା ପଛେପଛେ ଗୋଟିଏ ପରେ ଗୋଟିଏ ୱିକେଟ ଗଳି ଚାଲିଥିଲା। ଫଳତଃ ଟିମ୍ ଇଣ୍ଡିଆ ଅଧିନାୟକ ରୋହିତ ଶର୍ମା ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ଠିକ୍ ସାବ୍ୟସ୍ତ ହୋଇଥିଲା। ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୫ ୱିକେଟ ହରାଇ ୩୯୦ ରନ୍ କରିଥିଲା।