ବିଜୁ ଏକ୍ସପ୍ରେସୱେ ରାସ୍ତା ନିମ୍ନମାନର ଅଭିଯୋଗ; ଯନ୍ତ୍ରୀଙ୍କ ଅନୁପସ୍ଥିତି, କାମ ବନ୍ଦ କଲେ ଗ୍ରାମବାସୀ

0 69

କୋକସରା : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଠାରୁ ଆମପାଣି ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଅଧିନରେ ଠିକା ସଂସ୍ଥା ବିୟୁ୍‌ଏମଏସଏଲ ଦ୍ୱାରା ବିଜୁ ଏକ୍ସପ୍ରେସୱେ ରାସ୍ତା ନିର୍ମାଣ କାର୍ଯ୍ୟ ଜାରି ରହିଛି । ତେବେ କୋକସରା ବ୍ଲକ ଡୁମେରବାହାଲ ଠାରୁ ଆମପାଣି ପର୍ଯ୍ୟନ୍ତ ବର୍ତ୍ତମାନ ରାସ୍ତା କାମ ଜାରି ରହିଥିବାବେଳେ କାର୍ଯ୍ୟସ୍ଥଳରେ କୌଣସି ବିଭାଗୀୟ ଅଧିକାରୀ ଉପସ୍ଥିତ ରହୁ ନାହାଁନ୍ତି । ଏହାର ସୁଯୋଗ ନେଇ ସମ୍ପୃକ୍ତ ଠିକା ସଂସ୍ଥା ନିଜ ମନ୍‌ମାନିରେ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । କାମ ଅତି ନିମ୍ନମାନର ହେଉଛି ବୋଲି ଅଭିଯୋଗ ଆସିବା ସହ ଏହାର ସ୍ଥାୟିତ୍ୱ ନେଇ ଏବେଠୁ ଆଶଙ୍କା ସୃଷ୍ଟି ହେଲାଣି । ମାଟି ଓଦା ଥିବା ସତ୍ତେ୍ୱ କଂପ୍ରେସର ବ୍ୟବହାର ନକରି ତରବରିଆ ଭାବରେ ଥୁଣ୍ଟା ବ୍ରୁମର ବ୍ରସ୍‌ ଜରିଆରେ ରାସ୍ତା ସଫା କରାଯାଇ ପ୍ରଥମ ପର୍ଯ୍ୟାୟରେ ପିଏମସି ପକାଉଛନ୍ତି । ଏପଟେ ରାସ୍ତା ଠିକ୍‌ ଭାବରେ ସଫା ନହୋଇ ଓଦା ରହିଛି । ଅନ୍ୟପଟେ ଚାରିଥକିଆ ରାସ୍ତାର ଉଭୟ ରାସ୍ତା ମଝିରେ ଡ୍ରାଇଭରସନ ପାଇଁ ଦିଆଯାଇଥିବା କର୍ଭକୁ ପାଣି ସିଞ୍ଚନ ମଧ୍ୟ ହେଉ ନଥିବାରୁ ଏକାଧିକ ସ୍ଥାନରେ ଫାଟ ସୃଷ୍ଟି ହୋଇଛି । ଏହାକୁ ନେଇ ରବିବାର ଆମପାଣି ଠାରେ ସ୍ଥାନୀୟ ଲୋକେ ନିମ୍ନମାନର କାର୍ଯ୍ୟ ଅଭିଯୋଗ କରି କାମ ବନ୍ଦ ରଖିଛନ୍ତି । ସବୁଠାରୁ ବଡ଼କଥା ହେଲା, ଗୋଟିଏ ସ୍ଥାନରେ ନିମ୍ନମାନର କାମ ହେଉଛି ବୋଲି ଲୋକେ ଅଭିଯୋଗ କଲେ ଅତି ଚତୁରତା ସହିତ ସମ୍ପୃକ୍ତ ଠିକା ସଂସ୍ଥା ଅନ୍ୟ ଏକ ସ୍ଥାନକୁ ନେଇ କାମ କରି ଚାଲୁଛନ୍ତି ଯାହାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏମିତି କି ରାତି ଅଧିଆ ମଧ୍ୟ କାର୍ଯ୍ୟ ଚାଲୁଥିବା ଦେଖିବାକୁ ମିଳୁଛି । ନିମ୍ନମାନର କାର୍ଯ୍ୟକୁ ନେଇ ଆମପାଣି ଗ୍ରାମବାସୀ ଫୋନ୍‌ ଯୋଗେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କୁ ଅବଗତ କରିଥିବା ବେଳେ କାର୍ଯ୍ୟ ସ୍ଥଳରେ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ପହଞ୍ଚି ଲୋକଙ୍କ ସହିତ ଆଲୋଚନା କରି ବିଭାଗୀୟ ଅଧିକାରୀମାନଙ୍କୁ ଉପସ୍ଥିତ ରହି ଉନ୍ନତ ମାନର କାମ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ଜଣାପଡିଛି । ଏନେଇ ପୂର୍ତ୍ତ ବିଭାଗର କନିଷ୍ଠ ଯନ୍ତ୍ରୀ ନବ ପ୍ରକାଶ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ଅଭିଯୋଗ ପରେ କାର୍ଯ୍ୟ ବନ୍ଦ କରିବା ପାଇଁ ଠିକା ସଂସ୍ଥାକୁ କୁହାଯାଇଛି ଏବଂ ଆମ ଉପସ୍ଥିତରେ ହିଁ କାର୍ଯ୍ୟ ଆରମ୍ଭ ହେବ ବୋଲି କହିଛନ୍ତି ।

hiranchal ad1
Leave A Reply

Your email address will not be published.

six + fifteen =