ପୁରୀ ଜିଲ୍ଲାପାଳ ଅଫିସ୍‌ ଘେରିଲେ ଉଠା ଦୋକାନୀ

0 73

ପୁରୀ : ପୁରୀ ଜିଲ୍ଲାପାଳ ଅଫିସ୍‌ ଘେରିଲେ ଉଠା ଦୋକାନୀ । ପ୍ରଥମେ ଥଇଥାନ୍‌ ପରେ ଉଚ୍ଛେଦ ଦାବି ନେଇ ଜିଲ୍ଲାପାଳଙ୍କୁ ଉଠା ଦୋକାନୀ ମାନେ ଦେଇଛନ୍ତି ଦାବିପତ୍ର । ସେପଟେ ଉଠା ଦୋକାନୀଙ୍କ ସମର୍ଥନରେ ବାହାରିଲେ ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ । ପୁରୀ ରେଲୱେ ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳଷ୍ଟେସନ କରିବା ପାଇଁ ଆରମ୍ଭ ହୋଇଛି ନିର୍ମାଣ ପ୍ରକ୍ରିୟା । ଏଥିପାଇଁ ଷ୍ଟେସନ ସମ୍ମୁଖରେ ଦୋକାନ କରିଥିବା ବ୍ୟବସାୟୀଙ୍କୁ ଉଚ୍ଛେଦ ନେଇ ରେଳ ବିଭାଗ ପକ୍ଷରୁ ନୋଟିସ ଦିଆଯାଇଛି । ତେବେ ବିନା ଆଲୋଚନା ଏବଂ ବିନା ଥଇଥାନରେ ଏଭଳି ନୋଟିସକୁ ନେଇ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ଉଠା ଦୋକାନୀଙ୍କ ମଧ୍ୟରେ । ହଠାତ୍‌ ଦୋକାନ ଉଚ୍ଛେଦ କଲେ ନିଜର ଘର ପରିବାର କିଭଳି ପ୍ରତିପୋଷଣ କରିବେ ସେନେଇ ଚିନ୍ତାରେ ଅଛନ୍ତି ଉଠା ଦୋକାନୀ । ଷ୍ଟେସନ ସମ୍ମୁଖରେ ଥିବା ପୁରୀ ପୌରପାଳିକାର ଡ୍ରେନ୍‌ ଉପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଭେଣ୍ଡି ଜୋନ୍‌ ନିର୍ମାଣ କରାଯାଇ ସେଠାରେ ଉଠା ଦୋକାନୀଙ୍କୁ ଥଇଥାନ କରିବା ନେଇ ଦାବି ଜୋର ଧରିଛି । ଗରିବ ଉଠା ଦୋକାନୀଙ୍କ ଏହି ସମସ୍ୟାର ସମାଧାନ ଦିଗରେ ଜିଲ୍ଲାପାଳ ତୁରନ୍ତ ବିଚାର କରନ୍ତୁ ବୋଲି ଉଠା ଦୋକାନୀ ମାନେ ଦାବି କରିଛନ୍ତି ।
୩୬୪ କୋଟି ଟଙ୍କା ବିନିମୟରେ ସମସ୍ତ ଅତ୍ୟାଧୁନିକ ବ୍ୟବସ୍ଥା ସହ ପୁରୀ ରେଳଷ୍ଟେସନର ହେବାକୁ ଯାଉଛି ନବକଳେବର । ଏଥିପାଇଁ ପ୍ରାଥମିକ ଭାବେ ଷ୍ଟେସନ ସମ୍ମୁଖ ଭାଗକୁ ଉଚ୍ଛେଦ କରାଯିବ । ଏଣୁ ଷ୍ଟେସନ ସମ୍ମୁଖରେ ୭୦ରୁ ଅଧିକ ଉଠା ଦୋକାନୀ ଉଚ୍ଛେଦ ହେବା ନେଇ ନୋଟିସ ଦେଇଛି ରେଳ ବିଭାଗ । ଗତ ୨୦୧୪ ରେ ଷ୍ଟେସନର ନବୀକରଣ ପାଇଁ ମଧ୍ୟ ସେହି ସମୟରେ ଏହି ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଯାଇଥିଲା । ତେବେ ଷ୍ଟେସନର ନବୀକରଣ ନେଇ ପୁଣିଥରେ ଉଠା ଦୋକାନୀଙ୍କୁ ଉଚ୍ଛେଦ କରାଗଲେ ଏହି ଗରିବ ବ୍ୟବସାୟୀ ମାନେ ତଳିତଳାନ୍ତ ହୋଇଯିବେ ବୋଲି ପୁରୀ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ କହିଛନ୍ତି । ଏଣୁ ଏହି ଗରିବ ଉଠା ଦୋକାନୀଙ୍କ ଜୀବନ ଜୀବିକାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଉଠା ଦୋକାନୀଙ୍କୁ ଥଇଥାନ ପାଇଁ ବ୍ୟବସ୍ଥା କରନ୍ତୁ ବୋଲି ବିଧାୟକ ଦାବି କରିଛନ୍ତି ।
ଗତ ଦୁଇବର୍ଷ ହେବ କୋଭିଡ ମହାମାରୀ ଏବଂ ଲକଡାଉନ ଯୋଗୁଁ ଏହି ଉଠା ଦୋକାନୀ ମାନେ ବ୍ୟାପକ ଭାବେ ଆର୍ଥିକ କ୍ଷତିର ସମ୍ମୁଖିନ ହୋଇଥିଲେ । ତେବେ ଗତ କିଛି ମାସ ହେବ ସାମାନ୍ୟ ବ୍ୟବସାୟରେ ସୁଧାର ଆସିଥିବା ବେଳେ ପୁଣି ଏମାନଙ୍କୁ ଉଚ୍ଛେଦ କରାଗଲେ ଏହି ନିରୀହ ଓ ଗରିବ ବ୍ୟବସାୟୀଙ୍କ ଜୀବନ ଜୀବିକା ପୁଣି ବିପନ୍ନ ହୋଇପଡିବ । ଏଣୁ ରେଳବାଇ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନ ମିଳିତ ଭାବେ ଷ୍ଟେସନ ନିକଟରେ ଏକ ଭେଣ୍ଡି ଜୋନ୍‌ କରି ଉଠା ଦୋକାନୀଙ୍କୁ ଥଇଥାନ କରିବାର ଆବଶ୍ୟକତା ରହିଛି ।

hiranchal ad1
Leave A Reply

Your email address will not be published.

16 − four =