ପୁରୀ : ସନ୍ତୁଳିତ ଖାଦ୍ୟ ଶରୀରକୁ ପୁଷ୍ଟି ଯୋଗାଇବା ସହ ସୁସ୍ଥ ଓ ନୀରୋଗ ରଖିଥାଏ ବୋଲି କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ । ଆଜି ପୂର୍ବାହ୍ନରେ ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ସଦଭାବନା ସଭାଗୃହ ଠାରେ ପୋଷଣ ପକ୍ଷର ଶୁଭାରମ୍ଭ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶ୍ରୀ ସାହୁ ବଞ୍ଚିବା ପାଇଁ ଖାଦ୍ୟ ଆବଶ୍ୟକ । ତେବେ ସନ୍ତୁଳିତ ଓ ସମନ୍ୱିତ ଖାଦ୍ୟ ଶରୀର ପାଇଁ ଅତ୍ୟନ୍ତ ଜରୁରୀ ବୋଲି କହିଥିଲେ । ଚଳିତ ବର୍ଷ ମାଣ୍ଡିଆ ଉପଯୋଗୀ ଖାଦ୍ୟ ଉପରେ ଗୁରୁତ୍ୱ ଦିଆଯାଉଛି । ଯାହା ଏକ ସୁନ୍ଦର ପଦକ୍ଷେପ । ସଠିକ ପୋଷଣ ଅଭାବରୁ ଶିଶୁ ଠାରୁ ବୟସ୍କ ପର୍ଯ୍ୟନ୍ତ ବିଭିନ୍ନ ରୋଗରେ ଆକ୍ରାନ୍ତ ହେବା, ଦୁର୍ବଳ ଓ ଅବସ ହୋଇଥାନ୍ତି । ତେଣୁ ସଠିକ ପୋଷଣର ସଚେତନତା ସମସ୍ତଙ୍କ ନିକଟରେ ପହଞ୍ଚାଇବାକୁ ସେ ପରାମର୍ଶ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ରମେଶ ଚନ୍ଦ୍ର ରାୟ,ଏଡିଏମଓ ଡା ବିରଜା ଶଙ୍କର ରଥ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ଜିଲ୍ଲା ମଙ୍ଗଳ ଅଧିକାରୀ ବିକାଶ କୁମାର ମହାନ୍ତି, ଅତିରିକ୍ତ ଉଦ୍ୟାନ ଅଧିକାରୀ ସଂବିତ କୁମାର ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇ ପୋଷଣ ପକ୍ଷର ଆବଶ୍ୟକତା, ଉପାଦେୟତା ଓ ସଚେତନତା ସମ୍ପର୍କରେ ଆଲୋକପାତ କରିଥିଲେ । ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଚିନ୍ମୟୀ ରଥ ଏଥିରେ ଅଧ୍ୟକ୍ଷତା କରିବା ସହ ମା ଓ ଶିଶୁର ସ୍ୱାସ୍ଥ୍ୟ ରକ୍ଷା ପାଇଁ ବିଭାଗ ଯତ୍ନଶୀଳ ହେବା ସହ ପୋଷଣ ସଚେତନତା ସୃଷ୍ଟି ପାଇଁ ପଦକ୍ଷେପ ନେଉଛନ୍ତି ବୋଲି କହିଥିଲେ । ପ୍ରୋଗ୍ରାମ ଅଫିସର ଶର୍ମିଷ୍ଠା ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ସିଡିପିଓ, ମମତା ଓ ମିଶନ ଶକ୍ତିର ଡିପିସି, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟ ପ୍ରମୁଖ ସହଯୋଗ କରିଥିଲେ ।