ମାର୍ଚ୍ଚ ୩୦ରୁ ଆରମ୍ଭ ହେବ ଭାରତ ପ୍ରସିଦ୍ଧ ଲଙ୍କାପୋଡି ଯାତ୍ରା

0 362

ଦଶପଲ୍ଲା : ଚଳିତବର୍ଷ ଦଶପଲ୍ଲାର ଐତିହ୍ୟ ଲଙ୍କାପୋଡ଼ି ଯାତ୍ରାକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖିବାକୁ ମିଳିଛି । ଇତି ମଧ୍ୟରେ ଏହି ମହୋତ୍ସବକୁ ସରସ ସୁନ୍ଦର କରିବାପାଇଁ, ଲଙ୍କାପୋଡ଼ି ଯାତ୍ରା ପରିଚାଳନା କମିଟି ପକ୍ଷରୁ ବିଭିନ୍ନ ପ୍ରକାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ମହାବୀର କ୍ଷେତ୍ରର ଏହି ଐତିହ୍ୟସମ୍ପନ୍ନ ପ୍ରାଚୀନ ଲୋକ ନାଟକ ୧୮୦୨ ମସିହାରୁ ପ୍ରଚଳିତ ହୋଇ ଆସୁଥିବା ବେଳେ ଦୀର୍ଘ ୨୨୧ ବର୍ଷ ଧରି ବିକ୍ରମ ନରେନ୍ଦ୍ରଙ୍କ ରଚିତ ଶ୍ରୀରାମଲୀଳା ଏଠାରେ ଅନୁଷ୍ଠିତ ହୋଇଆସୁଛି । ଆସନ୍ତା ମାର୍ଚ୍ଚ ୩୦ ତାରିଖ ଶ୍ରୀରାମ ଜନ୍ମ ଉତ୍ସବଠାରୁ ୧୪ ଦିନ ଧରି ରାମାୟଣର ବିଭିନ୍ନ ପ୍ରସଙ୍ଗ ମୁଖ୍ୟ ମଂଚରେ ଅନୁଷ୍ଠିତ ହେବ । ଯେଉଁଥିରେ ମାର୍ଚ୍ଚ ୩୦ ତାରିଖରେ ଶ୍ରୀରାମ ଜନ୍ମ , ୩୧ରେ ଜାଗରକ୍ଷା, ତାଡ଼କାବଦ୍ଧ, ଶିବଧନୁଭଗ୍ନ, ଏପ୍ରିଲ ୧ ବିବାହ, ପର୍ଶୁରାମ ଗର୍ବଗଞ୍ଜନ, ୨ରେ ଗଣ୍ଡାବଧ, ୩ ତାରିଖରେ ଶ୍ରୀରାମ ବନବାସ ଓ ଭରତମିଳନ, ୪ରେ ବିରାୟୁଧ ବଧ , ବେଢା ପରିକ୍ରମା ଓ ପଂଚବଟି ପ୍ରବେଶ, ୫ ତାରିଖରେ ସୀତାହରଣ, ୬ରେ ବିଶ୍ରାମ, ୭ ତାରିଖରେ ଶ୍ରୀରାମ ବିଳାପ, ଶବରୀ ମୋକ୍ଷ , ୮ ତାରିଖରେ ବାଳିବଧ ଓ ସୁଗ୍ରୀବ ଅଭିଷେକ , ୯ ତାରିଖରେ ସୀତାଠାବ ଓ ରାବଣ ଛତ୍ରଛେଦନ ( ୧ମ ଗଡବେଢ ) , ୧୦ ତାରିଖରେ କୁମ୍ଭକର୍ଣ୍ଣ ବଧ ଓ ନାଗଫାଶ ( ୨ୟ ଗଡବେଢ ) , ଏପ୍ରିଲ ୧୧ ତାରିଖରେ ମୁଖ୍ୟ ଉତ୍ସବ ରାବଣ ବଧ ବା ଲଙ୍କାପୋଡ଼ି ଯାତ୍ରା ଏବଂ ୧୨ ରେ ଶ୍ରୀରାମଙ୍କ ରାଜ୍ୟାଭିଷେକ ପ୍ରସଙ୍ଗ ଅନୁଷ୍ଠିତ ହେବ । ସେହିଭଳି ପ୍ରତ୍ୟହ ସଂଧ୍ୟାରେ ମୁଖ୍ୟ ମଞ୍ଚରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀରାମ ଜନ୍ମଠାରୁ ଲଙ୍କାପୋଡ଼ି ପର୍ଯ୍ୟନ୍ତ ପ୍ରାୟ ୧୫୦ ଜଣ କଳାକାର ବ୍ରତଧାରଣ କରି ନିଷ୍ଠାର ସହ ବିଭିନ୍ନ ପ୍ରସଙ୍ଗରେ ଅଭିନୟ କରିଥାନ୍ତି । ଏହି ଯାତ୍ରାର ମୁଖ୍ୟ ଆକର୍ଷଣ ହେଉଛି ୩୫ ଫୁଟ ଉଚ୍ଚର ଚଳନକ୍ଷମ କାଷ୍ଠନିର୍ମିତ ରାବଣ, ଘୂର୍ଣ୍ଣାୟମାନ ପୁଷ୍ପକ ବିମାନ, କାଷ୍ଠମୁଖା ଏବଂ ୪୦ ବଖରାର ବିଶାଳ ଛାମୁଣିଆ ସହ ସ୍ୱତନ୍ତ୍ର ଶୈଳୀର ବ୍ରହ୍ମାସ୍ତ୍ର ଦର୍ଶକଙ୍କୁ ବିମୋହିତ କରିଥାଏ । ଏଥି ସହିତ ୨/୧୧/୧୨ ତାରିଖରେ ମେଲୋଡି କାର୍ଯ୍ୟକ୍ରମ ସହ ୧୩/୧୪/୧୫/୧୬ କୁଆଁରିଆ ମହୋତ୍ସବ ସହ ମାଗଣା ଅପେରା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଥିବାବେଳେ ଯାତ୍ରାକୁ ଆସିଥିବା ରକମ ରକମ ପସରା ଓ ମୀନାବଜାର ପ୍ରଭୃତିକୁ ଦର୍ଶକ ଭରପୁର ଉପଭୋଗ କରିଥାନ୍ତି ।

hiranchal ad1
Leave A Reply

Your email address will not be published.

twelve − 10 =