ସରୁନି ଗୋଲାପୀ ନୋଟ୍ !

0 76

ଲୋକଙ୍କ ପାଖୁ ସରୁନି ଗୋଲାପୀ ନୋଟ୍ । ୨୦୦୦ ଟଙ୍କା ବଦଳ କରିବାକୁ ଆଜି ବି ଆରବିଆଇ ଆଗରେ ଲାଗିଛି ଲମ୍ବା ଲାଇନ୍ । ଧାଡିରେ ଛିଡ଼ା ହୋଇଛନ୍ତି, ଦିନ ମଜୁରିଆ,ଖଟିଖିଆ । ଦୁଇ ଦିନ ଛୁଟି ପରେ ଆଜି ବି ପୂର୍ବ ଭଳି ଭୁବନେଶ୍ୱର ଆରବିଆଇ ଆଗରେ ଭିଡ଼ ଦେଖିବାକୁ ମିଳିଛି ।ଗତ କିଛିଦିନ ହେବ ୨୦୦୦ ଟଙ୍କା ନୋଟ୍ ବଦଳ କରିବାକୁ ଆରବିଆଇ ଆଗରେ ଲୋକମାନେ ଲମ୍ବା ଲାଇନ୍ ଲଗାଉଛନ୍ତି । ତେବେ ୨୦୦୦ ଟଙ୍କା ଅଚଳ ହେବାପରେ ମଧ୍ୟ ଲୋକଙ୍କ ପାଖରେ ଏତେ ମାତ୍ରାରେ ଟଙ୍କା କେଉଁଠୁ ଆସୁଛି ସେ ନେଇ ବଡ଼ ପ୍ରଶ୍ନ ଉଠୁଛି । କେତେକ ଧନୀକ ଶ୍ରେଣୀର ଲୋକ ଦଲାଲଙ୍କ ମାଧ୍ୟମରେ ଦିନ ମଜୁରିଆଙ୍କୁ ଲାଇନ୍ ରେ ଛିଡ଼ା କରି ଟଙ୍କା ବଦଳ କରୁଥିବା କୁହାଯାଉଛି । ଏପରିକି ଟଙ୍କା ବଦଳ କରିବାକୁ ଦିନକୁ ୩୦୦ ଟଙ୍କା ମଜୁରୀ ମିଳୁଛି ବୋଲି ଜଣାପଡ଼ିଛି ।
ଏ ନେଇ ବାରମ୍ବାର ଗଣମାଧ୍ୟମରେ ଖବର ପ୍ରସାରଣ ପରେ EOW ଏବଂ ED ପହଞ୍ଚି ଏ ନେଇ ପଚରାଉଚୁରା କରିଥିଲା । ଏହା ସହ ଆରିବଆଇ ଅଧିକାରୀଙ୍କ ସହ ଆଲୋଚନା କରି ସିସିଟିଭି ଫୁଟେଜ୍ ନେଇଥିଲା । ଏପରିକି ସନ୍ଦେହ ହେଉଥିବା ଲୋକଙ୍କ ନାଁ, ଠିକଣା ଏବଂ ଫଟୋ ନେଇଥିଲା । କିନ୍ତୁ ଦୁଇ ଦିନ ଛୁଟି ପରେ ପୁଣି ପୂର୍ବ ଅବସ୍ଥା ଦେଖିବାକୁ ମିଳିଛି ।
ବ୍ୟାଙ୍କରେ ଅକ୍ଟୋବର ୭ ତାରିଖ ଯାଏଁ ଟଙ୍କା ବଦଳାଇବାର ଶେଷ ସୀମା ଥିବା ବେଳେ ଆରବିଆଇରେ ଏବେ ଏହି ଟଙ୍କା ବଦଳାଇବା ବ୍ୟବସ୍ଥା ଜାରି ରହିଛି । ତେବେ ଟଙ୍କା ବଦଳାଇବା ପାଇଁ ହଠାତ୍ ଏଭଳି ଗହଳିକୁ ନେଇ ସନ୍ଦେହ ବଢିବାରେ ଲାଗିଛି । ୨୦୦୦ ଟଙ୍କା ଅଚଳ ହେବା ନେଇ ଆରବିଆଇ ଘୋଷଣା କରିବାର ବହୁ ପୂର୍ବରୁ ବ୍ୟାଙ୍କ କିମ୍ବା ଏଟିଏମ୍ ରେ ୨୦୦୦ ଟଙ୍କିଆ ନୋଟ୍ ଦେଖିବାକୁ ମିଳୁନଥିଲା । କିନ୍ତୁ ହଠାତ୍ ଏତେ ପରିମାଣର ୨୦୦୦ ଟଙ୍କିଆ ନୋଟ୍ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନ ଉଠୁଛି ।
ଟଙ୍କା ବଦଳ କରିବାକୁ ଆସିଥିବା ଲୋକ ଏ ସବୁ ତାଙ୍କର ନ ହେଲେ ମଧ୍ୟ ବଡ଼ ବଡ଼ିଆ ବାବୁଙ୍କ ଟଙ୍କା ବଦଳାଇବାକୁ ଲାଇନ ଲଗାଇଛନ୍ତି ବୋଲି ବସ୍ତିବାସିନ୍ଦା ମାନେ ପ୍ରତିକ୍ରିୟା ରଖିଛନ୍ତି । ୨୦ ହଜାର ଟଙ୍କା ବଦଳାଇଲେ ଅସଲି ମାଲିକଙ୍କ ଠାରୁ ମିଳୁଛି ୩୦୦ଟଙ୍କା । କିଛି ବ୍ୟବସାୟୀ ଲୋକଙ୍କ ଜରିଆରେ ନୋଟ ବଦଳାଉଥିବା ଜଣାପଡିଛି । ଏପରିକି କେତେ ଲୋକ ନୋଟ୍ ଅଚଳ ହୋଇଥିବା ନେଇ ଜାଣି ନଥିବା ବୋଲି କହିଛନ୍ତି । ତେବେ ହଠାତ୍ ଆରବିଆଇ ରେ ନୋଟ୍ ବଦଳନେଇ ଖବର ପାଇବା ଏବଂ ଏତେ ପରିମାଣର ୨୦୦୦ ଟଙ୍କିଆ ନୋଟ୍ ସାଧାରଣ ଗରିବ ଖଟିଖିଆଙ୍କ ପାଖରେ କେଉଁଠୁ ଆସିଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

hiranchal ad1
Leave A Reply

Your email address will not be published.

three × three =