ବାର୍ଷିକ ମଣ୍ଡେଇ ଓ ଆଷାଢ଼କେନା ଯାତ୍ରା

0 87

କୋକସରା : ପ୍ରାଚୀନ କାଳରୁ କଳାହାଣ୍ଡି ଭୂଖଣ୍ଡ ତାର ନିଆରା ଧର୍ମଧାରା ସହ ଉନ୍ନତ କଲା ସଂସ୍କୃତି ପାଇଁ ନିଜର ସ୍ୱତ୍ରନ୍ତତା ପ୍ରତିପାଦନ କରିଥାଏ l ଜିଲ୍ଲାର ଅନେକ ଗ୍ରାମାଞ୍ଚଳରେ ବିଭିନ୍ନ ଦେବାଦେବୀ ପ୍ରାଚୀନ ପରମ୍ପରା ସହ ଉପାସିତ ହେବା ସହ ସେମାନଙ୍କ ଯାତ୍ରା /ପର୍ବ ଅନୁଷ୍ଠିତ ହୋଇଥାଏ l ଏହି କ୍ରମରେ କୋକସରା ବ୍ଲକର ଟେମରା ଗାଁ ମା ବସ୍ତରେନ ମାଉଲିଙ୍କ ମଣ୍ଡେଇ ବା ଆଷାଢ଼ କେନା ଯାତ୍ରା ନିଆଁରା l ବ୍ଲକର ପ୍ରାୟ ପ୍ରତେକ ସ୍ଥାନରେ ଆଗେଇ ଚାଲିଛି ଧାନ ବୁଣା ଓ ତଳିପକା କାର୍ଯ୍ୟ। ତେବେ ଅପେକ୍ଷା ରହିଥିଲା ଟେମରା ଗାଁର ଆଷାଢ଼କେନା ଯାତ୍ରାକୁ। କୃଷି ସଭ୍ୟତା ସହ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଏହି ପ୍ରାଚୀନ ପାର୍ବଣ ପରେ ହିଁ ଆରମ୍ଭ ହୋଇଥାଏ ଧାନ ବେଉଷଣ ଓ ତଳି ରୋପଣ କାର୍ଯ୍ୟ। ଆଷାଢ଼ ଶୁକ୍ଳ ଦଶମୀରେ ନବଦିନ ଯାତ୍ରା ସମାପନ କରି ଜନ୍ମ ବେଦିରୁ ଶ୍ରୀମନ୍ଦିର ବାହୁଡି ଥାନ୍ତି ଚତୁର୍ଦ୍ଧାମୂର୍ତ୍ତି। ପରମ୍ପରା ଅନୁକ୍ରମେ ବାହୁଡାଯାତ୍ରା ପରର ଶୁକ୍ରବାର ଦିନ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଟେମରା ଗାଁରେ ପାଳିତ ହୋଇଥାଏ ଦେବୀ ବସ୍ତରେନ ମାଉଳୀଙ୍କ ବାର୍ଷିକ ମଣ୍ଡେଇ ଓ ଆଷାଢ଼ କେନା ଯାତ୍ରା। ଦେବୀ ମାଉଳୀଙ୍କ ଯାତ୍ରା ପଡୋଶୀ ଛତିଶଗଡର ଦନ୍ତେବାଡା ସହିତ ଜଡ଼ିତ ହୋଇରହିଛି। ସେହିପରି ଭାବେ ଆଷାଢ଼କେନା ଯାତ୍ରା ପାରମ୍ପରିକ ରୀତିନୀତି ଅନୁସାରେ ଆଦିବାସୀ ସମ୍ପ୍ରଦାୟର ପୂଜକ ଓ ଅନ୍ୟାନ୍ୟ ସେବାକାରୀଙ୍କ ଦ୍ଵାରା ସମ୍ପନ୍ନ ହୋଇଥାଏ। ପ୍ରଥମେ କଳାହାଣ୍ଡିର ଆରାଧ୍ୟ ଦେବତା ପ୍ରଭୁ ବୁଢ଼ାରଜାଙ୍କ ଠାରୁ ଲାଠି କାଳିଶୀ ଗାଁର ଗୌନ୍ତିଆ ଓ ପୁଜାରୀ ଘରକୁ ଆସିଥାଏ। ସେହିପରି ଭାବେ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଆମନ୍ତ୍ରିତ ହୋଇଥିବା ଦେବା ଦେବୀମାନେ ମଧ୍ୟ ଏହି ସ୍ଥାନରେ ପହଞ୍ଚିଥାନ୍ତି। ସେଠାରେ ଗୌନ୍ତିଆ ପରିବାର ପକ୍ଷରୁ ସ୍ବାଗତ ଓ ଯଥା ମାନ୍ୟ ପ୍ରଦାନ କରିବା ପରେ ସାମୁହିକ ଭାବେ ଲାଠି କାଳିଶୀମାନେ ବସ୍ତେରେନ ମାଉଳୀଙ୍କ ମନ୍ଦିରକୁ ଯାଇଥାନ୍ତି। ପ୍ରାଥମିକ ପୂଜାର୍ଚ୍ଚନା ପରେ ଦେବାଦେବୀଙ୍କ ଲାଠି କାଳିଶୀ ସହ ମଣ୍ଡେଇ ହାଟକୁ ତିନି ଥର ପରିକ୍ରମା କରି ଶ୍ରଦ୍ଧାଳୁ ମାନଙ୍କୁ ଦର୍ଶନ ଦେଇଥାନ୍ତି। ବୈଜ୍ଞାନିକ ସିଦ୍ଧାନ୍ତ ଅନୁସାରେ ପରିକ୍ରମା କରିବା ଦ୍ବାରା ଅନ୍ତର୍ନିହିତ ଶକ୍ତି ଓ ଉର୍ଜା ବଢ଼ିଥାଏ, ଯାହା ମନୁଷ୍ୟକୁ ସକରାତ୍ମକ କାର୍ଯ୍ୟ କରିବାକୁ ପ୍ରେରଣା ଦେଇଥିଏ। ଆଗକୁ ଚାଷ ବାସ ଯୋର ସୋରରେ ଚାଲିବ। ଏହା ପୂର୍ବରୁ ଚାଷୀର ଉର୍ଜା ବଢ଼ାଇବା ପାଇଁ ଏହି ଯାତ୍ରାର ପରିକଳ୍ପନା କରାଯାଇ ପାରିଥାଏ ବୋଲି ଅନୁମାନ କରାଯାଏ। ଦେବା ଦେବୀମାନେ ପୀଠକୁ ଫେରିଆସି କଣ୍ଟା ଦୋଳିରେ ଝୁଲିଥାନ୍ତି। ଏହାପରେ ମାନସିକଧାରୀ ଭକ୍ତମାନେ ପୂର୍ବରୁ କରିଥିବା ମାନସିକ ପୁରଣ ହେତୁ ଦେବୀଙ୍କ ନିକଟରେ ରକ୍ତ ଭୋଗରେ ବଳୀ ଆକାରରେ ବୋଦା, କୁକୁଡା, ପାରା ଓ ଶୁକ୍ଲ ଭୋଗରେ ନଡିଆ, କଦଳୀ, ଗଜା ମୁଆଁ ଇତ୍ୟାଦି ନବୈଦ୍ୟ ରୁପରେ ଅର୍ପଣ କରନ୍ତି। କୁହାଯାଏ ଯେତେବେଳେ ଏଠି ନାଗବଂଶୀ ରାଜମାନେ ଶାସନ କରୁଥିଲେ ସେହି ସମୟରେ ନାଗବଂଶୀ ରାଣୀ ଏଠି ସତୀ ହୋଇଥିଲେ ଏବଂ ତାଙ୍କର ଗୋଟିଏ ସତୀ ଚଉଁରା ରହିଥିଲା। ସେହି ସତୀ ଚଉଁରା ଉପରେ ଦେବୀ ବସ୍ତରେନ୍ ମାଉଲିଙ୍କ ପ୍ରତିମୃର୍ତ୍ତି ସ୍ଥାପନ ହୋଇଥିବା ଜନ ସୃତିରୁ ଜଣାଯାଏ। ଏହି ଦେବୀଙ୍କୁ ଦନ୍ତେବାଡାରୁ ଅଣାଯାଇଥିଲା ଏବଂ କାହିଁ କେତେ ଆବାହମାନ କାଳରୁ ଦେବୀଙ୍କ ପୂଜା କରା ଯାଉଥିବାବେଳେ ଦେବୀଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ରହିଛି ବୋଲି ଗ୍ରାମବାସୀ କୁହନ୍ତି। ଦେବୀଙ୍କ ପାଖରେ ଯେଉଁ ମନସ୍କାମନା କରାଯାଏ ତାହା ପୂର୍ଣ୍ଣ ହୋଇଥାଏ, ଏବଂ ଏହି ଯାତ୍ରା ପାଳନ କଲେ ଭଲ ବର୍ଷା ହେବା ସହ ଚାଷ ମଧ୍ୟ ଭଲ ଉତ୍ପାଦନ ହେଇଥାଏ ବୋଲି ବିଶ୍ୱାସ ରହିଛି। କେଉଁ ଏକ ଆବାହମାନ କାଳରୁ ଚଳି ଆସୁଥିବା ଏହି ଆଷାଢ଼ କେନା ଯାତ୍ରା କେବଳ ଧାର୍ମିକ ପୃଷ୍ଠଭୂମି କିମ୍ବା କୃଷି ସଂସ୍କୃତି ମଧ୍ୟରେ ନିଜକୁ ସୀମିତ ରଖି ନାହିଁ। ଏହି ଯାତ୍ରା ଅଞ୍ଚଳରେ ଭାଇଚାରା ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ନିଭାଇଥାଏ। ତେଣୁ ଜାତି, ବର୍ଣ୍ଣ, ଧର୍ମ ନିର୍ବିଶେଷରେ ସମସ୍ତେ ଏହି ପର୍ବ ସହିତ ଜଡ଼ିତ ହୋଇ ପ୍ରକୃତିର ଉପାସନାରେ ନିମଗ୍ନ ହୋଇ ଯାଇଥାନ୍ତି।

hiranchal ad1
Leave A Reply

Your email address will not be published.

3 × four =