ଦୁଷ୍କର୍ମ ଅଭିଯୁକ୍ତ ବିତ୍ତିହୋତ୍ରଙ୍କ ପରଲୋକ

0 103

ଭୁବନେଶ୍ଵର : ଜର୍ମାନୀ ସହପାଠୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇ ଚର୍ଚ୍ଚାକୁ ଆସିଥିବା ବିତ୍ତିହୋତ୍ର ମହାନ୍ତିଙ୍କର ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ସେ ବହୁଦିନ ଧରି କର୍କଟ ରୋଗରେ ପୀଡ଼ିତ ଥିଲେ। ଜେଲ୍ ବିଭାଗର ପୂର୍ବତ୍ତନ ଡିଜି ବିଦ୍ୟାଭୂଷଣ ମହାନ୍ତିଙ୍କ ପୁଅ ବିତ୍ତିହୋତ୍ର ମହାନ୍ତି ଦୀର୍ଘ ଦିନ ହେଲା ପାକସ୍ଥଳୀ କ୍ୟାନସର୍‌ରେ ପୀଡ଼ିତ ଥିଲେ। ପ୍ରଥମେ ତାଙ୍କୁ କଟକ ଆଚାର୍ଯ୍ୟ ହରିହର ମେଡିକାଲରେ ଭର୍ତି କରାଯାଇଥିଲା। ଏହା ପରେ ଦେଢ଼ମାସ ହେବ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଗତକାଲି ବିଳମ୍ବିତ ରାତିରେ ବିତ୍ତିହୋତ୍ର ମହାନ୍ତିଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ୨୦୦୬ରେ ବିତ୍ତିହୋତ୍ରଙ୍କ ନାମରେ ଦୁଷ୍କର୍ମ ଅଭିଯୋଗ ଆସିଥିଲା। ରାଜସ୍ଥାନ ଅଲୱାରକୁ ବୁଲିବାକୁ ଯାଇଥିବା ବେଳେ ନିଜର ଜର୍ମାନ ସହପାଠୀନୀଙ୍କୁ ସେ ଦୁଷ୍କର୍ମ କରିଥିବାର ଅଭିଯୋଗ ହୋଇଥିଲା। ରାଜସ୍ଥାନ ପୁଲିସ ତାଙ୍କୁ ଗିରଫ କରିଥିଲା। ଶୁଣାଣିର ମାତ୍ର ୯ଦିନ ପରେ ବିତ୍ତିହୋତ୍ରଙ୍କୁ ୭ବର୍ଷ ଜେଲ୍ ସହ ୧୦ହଜାର ଟଙ୍କା ଜୋରିମାନ ଦେବାପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲା। ଜେଲ୍‌ରେ ଥିବାବେଳେ ମା’ଙ୍କ ଦେହ ଖରାପ ଦର୍ଶାଇ ପାରୋଲରେ ଆସିଥିବା ବେଳେ ସେ ଫେରାର ହୋଇ ଯାଇ ପରବର୍ତ୍ତୀ ସମୟରେ ସେ କେରଳର ଏକ ବ୍ୟାଙ୍କରେ ରାଘବ ରାଜନ ନାମରେ ଚାକିରି କରୁଥିଲେ। ସେଠାରେ ଧରାପଡିଯିବା ପରେ ୨୦୧୩ରେ ପୁଣି ଥରେ ତାଙ୍କୁ ଗିରଫ କରାଯାଇଥିଲା । ରାଜସ୍ଥାନର ଏକ ଜେଲରେ ତାଙ୍କୁ ରଖା ଯାଇଥିଲା କିନ୍ତୁ ପରେ ତାଙ୍କ ବାପାଙ୍କ ଅନୁରୋଧ କ୍ରମେ କଟକ ଜେଲକୁ ସ୍ଥାନାନ୍ତର କରାଯାଇଥିଲା। କର୍କଟ ରୋଗରେ ପୀଡ଼ିତ ହେବା ପରେ ୫ବର୍ଷ ଜେଲ୍‌ଦଣ୍ଡ କାଟି ସାରିଥିବାରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର ସୁପ୍ରିମକୋର୍ଟ ତାଙ୍କ ଜାମିନ ଆବେଦନକୁ ଖାରଜ କରିଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ସେ ଜେଲ୍‌ରୁ ବାହାରି ଏମ୍ସରେ ଚିକିତ୍ସାଧୀନ ଥିଲେ I

hiranchal ad1
Leave A Reply

Your email address will not be published.

twenty − 10 =