ଆଜିର ଆଧୁନିକତା ଯୁଗରେ ପୁରାତନ ଜିନିଷ ଗୁଡିକ ସତେ ଯେମିତି ଲୋପ ପାଇବାକୁ ବସିଲାଣି । ପୁରାତନ ସମୟରେ ଯେତେବେଳେ ମୋବାଇଲ ଓ ଇଣ୍ଟରନେଟ ନଥିଲା ସେତେବେଳେ ଲୋକମାନେ ଚିଠି ମାଧ୍ୟମରେ ନିଜ ଖବର ଆଦାନ-ପ୍ରଦାନ କରୁଥିଲେ । ପୋଷ୍ଟ ଅଫିସ ମାଧ୍ୟମରେ ସହଜରେ ସେହି କାମ ହୋଇପାରୁଥିଲା ।
ଚିଠି ଠାରୁ ଆରମ୍ଭ କରି ପାର୍ସଲ ପର୍ଯ୍ୟନ୍ତ ସବୁକିଛି ପୋଷ୍ଟ ଅଫିସ ମାଧ୍ୟମରେ ହେଉଥିଲା । ପୋଷ୍ଟ ଅଫିସ ମାଧ୍ୟମରେ ଆମେ ଚିଠି ପଠାଇ ଆମ ପ୍ରିୟଜନଙ୍କ ଦୁଃଖସୁଖରେ ସାମିଲ ହୋଇପାରୁଥିଲେ କିନ୍ତୁ ଆଧୁନିକ ଯୁଗରେ ସେ ଚିଠି ପ୍ରଥା ମଧ୍ୟ କୁଆଡେ ଉଭେଇ ଗଲାଣି । ସିଧାସଳଖ କଲ୍ କିମ୍ୱା ଭିଡିଓ କଲ୍ ମାଧ୍ୟମରେ ଏବେ ଭାବର ଆଦାନ ପ୍ରଦାନ ହୋଇପାରୁଛି । ହେଲେ ଆଜିକା ଯୁଗରେ ମୋବାଇଲ ଓ ଇମେଲର ବ୍ୟବହାର ବଢିଛି ସତ କିନ୍ତୁ ପୋଷ୍ଟ ଅଫିସର ଗୁରୁତ୍ୱ କମିନାହିଁ । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏବେ ବି ଏପରି ଏକ ସ୍ଥାନ ରହିଛି ଯେଉଁଠାରେ ପୋଷ୍ଟ ଅଫିସ କାର୍ଯ୍ୟ କରୁଛି ଏହାକୁ ବିଶ୍ୱର ସର୍ବୋଚ୍ଚ କାର୍ଯ୍ୟକ୍ଷମ ପୋଷ୍ଟ ଅଫିସ କୁହାଯାଏ । ତେବେ କେଉଁଠାରେ ଅବସ୍ଥିତ ବିଶ୍ୱର ଏହି ସର୍ବୋଚ୍ଚ ପୋଷ୍ଟ ଅଫିସ ? ଏହା କିପରି କାର୍ଯ୍ୟକ୍ଷମ ହୋଇଥାଏ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ…
ଅଧିକ ପଢନ୍ତୁ : ଅସ୍ତ ହେବେ ସୂର୍ଯ୍ୟ, ଚମକିବେ ଶ୍ରେୟସ !

ଏହି ପୋଷ୍ଟ ଅଫିସଟି ହିମାଚଳପ୍ରଦେଶର ସ୍ପିତି ଅଞ୍ଚଳର ହିକିମ ଗାଁରେ ଅବସ୍ଥିତ । ଏହା ସମୁଦ୍ର ପତ୍ତନଠାରୁ ପ୍ରାୟ ୧୪୫୬୭ ଫୁଟ ଉଚ୍ଚତାରେ ଅବସ୍ଥିତ । ୧୯୮୩ ମସିହାରୁ ନିରନ୍ତର ଭାବେ ଏହି ପୋଷ୍ଟ ଅଫିସ ସେବା ପ୍ରଦାନ କରୁଛି । ତେବେ ଏହି ପୋଷ୍ଟ ଅଫିସ ପାଖରେ ପହଞ୍ଚିବା ମଧ୍ୟ ଆପଣଙ୍କ ପାଇଁ ଏକ ଚ୍ୟାଲେଞ୍ଜ ଅଟେ । ହିମାଚଳପ୍ରଦେଶରେ ଅବସ୍ଥିତ ଏହି ଗାଁରେ ଅମ୍ଳଜାନ ସ୍ତର କମ୍ ଯାହା କୌଣସି ମୁହୁର୍ତ୍ତରେ ଜୀବନକୁ ବିପଦରେ ପକାଇପାରେ ।
ହିକିମର ଏହି ଡାକଘର କେବଳ ଗୋଟିଏ ଗାଁରେ ସୀମିତ ନୁହେଁ ବରଂ ଏହା ନିକଟବର୍ତ୍ତୀ ଅନେକ ଦୁର୍ଗମ ଅଞ୍ଚଳକୁ ବିସ୍ତାର କରିଛି । ଲୋଙ୍ଗଚା-୧, ଲୋଙ୍ଗଚା-୨ ଏବଂ କୋମିକ ଭଳି ଗ୍ରାମଗୁଡ଼ିକ ଏବେ ବି ଚିଠି ମାଧ୍ୟମରେ ବିଶ୍ୱ ସହିତ ଯୋଡ଼ି ହୋଇଛି ।
ତେବେ ଆପଣମାନେ ଭାବୁଥିବେ ଚିଠି ତ ଦୂରର କଥା ଲୋକମାନେ ଏଠାକୁ କିପରି ଯାଇଥାଆନ୍ତି । ଆଶ୍ଚର୍ଯ୍ୟକର କଥା ହେଉଛି ସ୍ପିତି ଉପତ୍ୟକାକୁ ଯିବା ପାଇଁ ରାସ୍ତାଗୁଡ଼ିକ କେବଳ ବର୍ଷକୁ କିଛି ମାସ ପାଇଁ ଖୋଲା ରହିଥାଏ, ଜୁନ୍ରୁ ଅକ୍ଟୋବର ମଧ୍ୟରେ। ଶୀତଦିନେ ସମଗ୍ର ଅଞ୍ଚଳକୁ ବରଫର ଘନ ଆବରଣ ଘୋଡ଼ାଇ ଦେଇ ଯୋଗାଯୋଗକୁ ପ୍ରାୟତଃ ବିଚ୍ଛିନ୍ନ କରିଦିଏ ।
ଏପରି ପରିସ୍ଥିତିରେ, ଏହି ଡାକଘର ଲୋକଙ୍କ ପାଇଁ ଯୋଗାଯୋଗର ସୂତ୍ର ପାଲଟିଥାଏ । ଯାହା ବିଶ୍ୱର ସର୍ବୋଚ୍ଚ କାର୍ଯ୍ୟକ୍ଷମ ଡାକଘର ଭାବରେ ପର୍ଯ୍ୟଟକଙ୍କ ପାଇଁ ଏକ ବିଶେଷ ଆକର୍ଷଣ ପାଲଟିଛି।
ଅଧିକ ପଢନ୍ତୁ : ଇରାନ-ଆମେରିକା ମଧ୍ୟରେ ଥମୁନି ଉତ୍ତେଜନା ; ବିଶ୍ୱ ବଜାରରେ ଦେଖାଦେବ ମହାସଙ୍କଟ !
