ରେଲୱେ ଜମି ଅଧିଗ୍ରହଣ ଘଟଣା; ବିନା ନୋଟିସରେ ଘର ଭଙ୍ଗାକୁ ନେଇ ସାହିବାସିନ୍ଦା ଅସନ୍ତୁଷ୍ଟ, ଘଟଣାସ୍ଥଳରେ ପହଞ୍ଚିଲେ ମୁଖ୍ୟ ସଚେତକଙ୍କ ସମେତ ଗୃହ କମିଟି
ହରଭଙ୍ଗା: ଖୋର୍ଦ୍ଧା -ବଲାଙ୍ଗୀର ବହୁ ପ୍ରତିକ୍ଷୀତ ରେଳ ପ୍ରକଳ୍ପ ଜମି ଅଧିଗ୍ରହଣ ଘଟଣାକୁ ନେଇ ଅସନ୍ତୋଷ ପ୍ରକାଶ ପାଇଛି । ରେଲୱେ ଅଧିଗ୍ରହଣ ଜମିରୁ ଗୃହ ଉଚ୍ଛେଦ ବେଳେ ସାହି ବାସିନ୍ଦା ଘୋର ବିରୋଧ କରିଛନ୍ତି । ନୋଟିସ ନଦେଇ ଖାଲି କରୁଥିବା ନେଇ ଅଭିଯୋଗ ଆଣିଥିଲେ ବସ୍ତି ବାସିନ୍ଦା । ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ବାଣୀଭୂଷଣ ପଂଚାୟତ ଭଉଁରୀ ପଥର ଗ୍ରାମରେ ମଙ୍ଗଳବାର ଦେଖିବାକୁ ମିଳିଛି ଏଭଳି ଏଭଳି ବିରୋଧ । ଘଟଣା ସ୍ଥଳରେ ଉତ୍ତେଜନା । ଖବର ପାଇ ଘଟଣା ସ୍ଥଳ ପରିଦର୍ଶନ କଲେ ମୁଖ୍ୟ ସଚେତକଙ୍କ ସମେତ ବିଧାନସଭା ଗୃହ କମିଟି । ସୂଚନା ଅନୁଯାଇ ଖୋର୍ଦ୍ଧା – ବଲାଙ୍ଗୀର ରେଲୱେ ପ୍ରକଳ୍ପ ର ବୌଦ୍ଧ ଜିଲ୍ଲା ହରଭଙ୍ଗା ତହସିଲ ଭଉଁରୀ ପଥରଠାରେ ପୂର୍ବରୁ ରେଲୱେ ବିଭାଗର ଜମି ଅଧିଗ୍ରହଣ ସାରିଥିଲେ । ବହୁ ବାସିନ୍ଦା ନିଜସ୍ୱ ଜମି ରେଲୱେକୁ ପ୍ରଦାନକରି ଜମି ଓ ଘର ବାବଦକୁ ଆଜି ପର୍ଯ୍ୟନ୍ତ ନିଜ ପ୍ରାପ୍ୟ ପାଇ ନାହାନ୍ତି । କିଛି ସ୍ଥାନୀୟ ବସ୍ତି ବାସିନ୍ଦାଙ୍କୁ ନଜଣାଇ ପ୍ରଶାସନ ବିନା ନୋଟିସ ଓ ବିନା ଥଇଥାନରେ ବର୍ଷାଦିନରେ ହଠାତ ଘର ଭାଙ୍ଗିଥିଲା ରେଲୱେ ବିଭାଗ ।


ଫଳରେ ବସ୍ତି ବାସିନ୍ଦା ବିରୋଧ କରୁଥିଲେ ମଧ୍ୟ ଜୋର ଜବରଦସ୍ତ ନିଜ ମନଇଚ୍ଛାରେ ବୌଦ୍ଧ ଉପଜିଲ୍ଲାପାଳ ପ୍ରବୀଣ କୁମାର ବାଣୁଆ ଓ ରେଲୱେ ଭୂ-ଜମି ଅଧିଗ୍ରହଣ ଅଧିକାରୀ, ତହସିଲଦାର ବଳଦେବ ବେହେରା ଏବଂ ପୋଲିସ ପ୍ରଶାସନ ଉପସ୍ଥିତ ବସ୍ତି ଉଛେଦ କରିଥିଲେ । ଏଭଳି ଗୃହ ଭାଙ୍ଗିବା ସରକାରୀ ଅନୁମତି କିଏ ଦେଲେ ତାହା ବର୍ତମାନ ସାଧାରଣରେ ସବୁଠାରୁ ବଡ଼ ପ୍ରଶ୍ନ ଉଠୁଛି । ଏଭଳି ଅଭିଯୋଗ ଆସିବା ପରେ ବୌଦ୍ଧ ବିଧାୟକ ତଥା ମୁଖ୍ୟ ସଚେତକ ସରୋଜ କୁମାର ପ୍ରଧାନ ଓ ବିଧାନସଭା ଗୃହ କମିଟି ସଦସ୍ୟ ମଙ୍ଗଳବାର ଘଟଣା ସ୍ଥଳରେ ପହଁଚି ଲୋକଙ୍କ ସହ ଆଲୋଚନା କରି କ୍ଷୋଭ ପ୍ରକାଶ କରିବା ସହିତ ଏହାର ସଠିକ ତଦନ୍ତ କରି ଉଚ୍ଛେଦ ପ୍ରକ୍ରିୟାରେ ଉପସ୍ଥିତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୃହ କମିଟି ନିର୍ଦ୍ଦେଶ ଦେଇଛନ୍ତି ।
