ନୂଆଦିଲ୍ଲୀ,୨୮।୧୦: ଭାରତର ଦିନିକିଆ ଉପ-ଅଧିନାୟକ ଶ୍ରେୟସ ଆୟରଙ୍କୁ ସିଡନୀ ହସ୍ପିଟାଲର ICUରୁ ବାହାର କରାଯାଇଛି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ଅଛି। ଏହା ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଷୟରେ ଚିନ୍ତାକୁ ଦୂର କରିଛି। ତାଙ୍କୁ ସ୍ପ୍ଲେନିକ ଫାଟିବା ଏବଂ ପଞ୍ଜରା ଆଘାତ ଯୋଗୁ ଭର୍ତ୍ତି କରାଯାଇଥିଲା। BCCI ପକ୍ଷରୁ କୁହାଯାଇଛି ଯେ, ତାଙ୍କୁ ICUରୁ ବାହାରକୁ ସ୍ଥାନାନ୍ତର କରାଯାଇଛି ଏବଂ ତାଙ୍କୁ ସିଡନୀ ହସ୍ପିଟାଲରୁ ଡିସଚାର୍ଜ ହେବାକୁ ଆଉ କିଛି ଦିନ ଲାଗିପାରେ।
ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ମ୍ୟାଚ୍ରେ ଆଲେକ୍ସ କାରେଙ୍କୁ ଆଉଟ୍ କରିବା ପାଇଁ ବ୍ୟାକଓ୍ବାର୍ଡ ପଏଣ୍ଟ ଅଞ୍ଚଳରେ ଶ୍ରେୟସ ପଛୁଆ ଦୌଡ଼ି ଏକ ଚମତ୍କାର କ୍ୟାଚ୍ ନେଇଥିଲେ। ହେଲେ ଏହି ପ୍ରକ୍ରିୟାରେ ତାଙ୍କ ବାମ ପଞ୍ଜରା ହାଡ଼ରେ ଆଘାତ ଲାଗିଥିଲା। ଏଥିଯୋଗୁ ତାଙ୍କର ଆଭ୍ୟନ୍ତରୀଣ ରକ୍ତସ୍ରାବ ହେଉଥିବା ଜଣାପଡ଼ିବା ପରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ତେବେ କିଛି ଗଣମାଧ୍ୟମରେ ପ୍ରକାଶ ପାଇଥିବା ରିପୋର୍ଟ ମୁତାବକ, ଶ୍ରେୟସଙ୍କୁ ଆଇସିୟୁରୁ ବାହାର କରାଯାଇଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିପଦମୁକ୍ତ ରହିଛି।
ମିଳିଥିବା ସୂଚନା ମୁତାବକ, ଆହତ ହେବା ପରେ ଆୟରଙ୍କୁ ଡ୍ରେସିଂ ରୁମକୁ ନିଆଯାଇଥିଲା। ସେଠାରେ ସେ ଚେତାଶୂନ୍ୟ ହୋଇପଡ଼ିଥିଲେ। ତାଙ୍କ ରକ୍ତଚାପ ଦ୍ରୁତ ଗତିରେ ହ୍ରାସ ପାଉଥିବା ଦେଖାଯାଇଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇଥିଲା ଏବଂ ସ୍କାନରୁ ତାଙ୍କ ସ୍ପ୍ଲିନରେ କ୍ଷତ ସୃଷ୍ଟି ହୋଇଥିବା ଜଣାପଡ଼ିଥିଲା। ଗତ ଦୁଇ ଦିନ ହେଲା ତାଙ୍କୁ ଆଇସିୟୁରେ ରଖାଯାଇଥିଲା। ୩୦ ବର୍ଷୀୟ ଶ୍ରେୟସଙ୍କୁ ଅତିକମ୍ରେ ୨ରୁ ୭ ଦିନ ପର୍ଯ୍ୟନ୍ତ ଡାକ୍ତରୀ ଦଳର ତତ୍ତ୍ୱାବଧାନରେ ରଖାଯିବ। ଆୟରଙ୍କ ଆଘାତ ସମସ୍ୟାର ଗୁରୁତ୍ୱକୁ ଦେଖି ତାଙ୍କ ବାପା-ମା’ ତୁରନ୍ତ ଭିଜା ଲାଗି ଆବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ବିସିସିଆଇ ପକ୍ଷରୁ କୁହାଯାଇଛି ଯେ, ଶ୍ରେୟସଙ୍କ ବାମ ପଞ୍ଜରାର ତଳି ଭାଗ ଅଞ୍ଚଳରେ ଆଘାତ ଲାଗିଛି। ସ୍କାନରୁ ତାଙ୍କ ସ୍ପ୍ଲିନରେ କ୍ଷତ ହୋଇଥିବା ଜଣାପଡ଼ିଛି। ତାଙ୍କର ଚିକିତ୍ସା ଚାଲିଛି ଏବଂ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି। ସେ ଏବେ ରିକଭର କରୁଛନ୍ତି। ବିସିସିଆଇ ମେଡିକାଲ ଟିମ ସିଡ୍ନୀ ଓ ଭାରତର ସ୍ପେଶାଲିଷ୍ଟଙ୍କ ସହ ଯୋଗାଯୋଗରେ ଅଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଭାରତୀୟ ଟିମ୍ ଡକ୍ଟର ଶ୍ରେୟସଙ୍କ ସହ ସିଡ୍ନୀରେ ରହିବେ।
