ନୂଆଦିଲ୍ଲୀ: ଭାରତୀୟ ଜାତୀୟ କଂଗ୍ରେସ ଲୋକସଭା ବାଚସ୍ପତିଙ୍କ ବିରୋଧରେ ମୋର୍ଚ୍ଚା ଖୋଲି ଦେଇଛି । ମଙ୍ଗଳବାର ଲୋକସଭାରେ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛି । ଏନେଇ ଗୃହର ମହାସଚିବଙ୍କୁ ଦଳ ନୋଟିସ୍ ପ୍ରଦାନ କରିଛି ।
ଲୋକସଭାରେ ଏବେ ବଜେଟ୍ ନେଇ ଆଲୋଚନା ଜାରି ରହିଚି । ତେବେ ବିରୋଧୀ ଦଳଙ୍କ ପାଟିତୁଣ୍ଡ ପାଇଁ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲି ପାରୁନି । ଏହା ମଧ୍ୟରେ କଂଗ୍ରେସ ସମେତ ବିଭିନ୍ନ ବିରୋଧୀ ଦଳ ବାଚସ୍ପତି ଓମ୍ ବିର୍ଲାଙ୍କ ବିରୋଧରେ ପକ୍ଷପାତିତା ଅଭିଯୋଗ ଆଣିଥିଲେ ।

ତେବେ ଗୃହକାର୍ଯ୍ୟକୁ ସୂଚାର ରୂପେ ସମ୍ପାଦନ ପାଇଁ ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ୍ ରିଜଜୁ ସମସ୍ତ ଦଳ ସହ ବୈଠକ କରିଥିଲେ । କିନ୍ତୁ ସମାଧାନର ସୂତ୍ର ବାହାରି ପାରି ନାହିଁ । ଏହା ମଧ୍ୟରେ କଂଗ୍ରେସ ବାଚସ୍ପତିଙ୍କ ବିରୋଧରେ ଅନସ୍ଥା ପ୍ରସ୍ତାବ ଆଣିଛି । ଦଳ ଏନେଇ ଲୋକସଭା ମହାସଚିବଙ୍କୁ ନୋଟିସ୍ ପ୍ରଦାନ କରିଛି ।
ତେବେ କଂଗ୍ରେସର ନୋଟିସ ପରେ ନିଜେ ବାଚସ୍ପତି ଗୃହକାର୍ଯ୍ୟ ପରିଚାଳନାରୁ ଓହରି ଯାଇଥିବା ସୂଚନା ମିଳିଛି । ସେ ନିଜ ଆସନରେ ମଧ୍ୟ ନଜର ଆସି ନାହାଁନ୍ତି ।
