ନୂଆ ଭୋଟରଙ୍କୁ ତାଲିକାରେ ସାମିଲ ପାଇଁ ଜାରି ହେଲା ନିୟମ

0 100

ନୂଆଦିଲ୍ଲୀ : ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବାକୁ ଆବେଦନ କରୁଥିବା ନୂଆ​‌ ଭୋଟର (ଫାଷ୍ଟ ଟାଇମ୍ ଭୋଟର)ଙ୍କୁ ସେମାନଙ୍କ ପିତାମାତାଙ୍କ ଏସ୍‌ଆଇଆର ସ୍ଥିତି ସମ୍ପର୍କରେ ସବିଶେଷ ତଥ୍ୟ ଦେବାକୁ ବାଧ୍ୟତାମୂଳକ କରାଯାଇଛି। ଭାରତୀୟ ନିର୍ବାଚନ କମିସନ (ଇସିଆଇ)ଙ୍କ ନିଷ୍ପତ୍ତି ଅନୁଯାୟୀ ନୂଆ ଭୋଟରମାନେ ନାମ ପଞ୍ଜୀକରଣ ପାଇଁ ଫର୍ମ-୬ ପୂରଣ କରିବାକୁ ପଡିବ। ଆଉ ଫର୍ମ-୬ରେ ଏହି ତଥ୍ୟ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି। ଇସିଆଇନେଟ୍‌ରେ ଉପଲବ୍ଧ ଫର୍ମ-୬ର ଅଂଶ ଜେ’ ଓ କେ’ରେ ଏହି ତଥ୍ୟ ପ୍ରଦାନ କରିବାକୁ ଧାର୍ଯ୍ୟ କରାଯାଇଛି। ଫାଷ୍ଟ ଟାଇମ୍‌ ଭୋଟର ସହିତ ଯେଉଁମାନଙ୍କ ନାମ ଭୋଟର ତାଲିକାରୁ ବାଦ୍‌ ପଡିଛି ସେମାନେ ନାମ ଅନ୍ତର୍ଭୁକ୍ତ କରିବାକୁ ହେଲେ ଏହି ଫର୍ମ-୬ ପୂରଣ କରିବାକୁ ପଡିବ। ଅନଲାଇନରେ ଭୋଟର ତାଲିକାରେ ନାମ ପଞ୍ଜୀକରଣ ପ୍ରକ୍ରିୟା ବେଳେ ମଧ୍ୟ ଏହି ତଥ୍ୟ ପ୍ରଦାନ କରିବା ବାଧ୍ୟତାମୂଳକ। ଆବେଦନକାରୀଙ୍କ ପିତାମାତାଙ୍କ ନାମ ଏସ୍‌ଆଇଆର ପ୍ରକ୍ରିୟା ପରବର୍ତ୍ତୀ ଭୋଟର ତାଲିକାରେ ରହିଛି କି ନାହିଁ ତାହା ଦର୍ଶାଇବାକୁ ପଡିବ। ଯଦି ପିତାମାତାଙ୍କ ନାମ ଭୋଟର ତାଲିକାରେ ରହିଛି ତେବେ ତା’ର ସବିଶେଷ ତଥ୍ୟ ଦେବାକୁ ହେବ। ଏହା ପରେ ଅନଲାଇନ୍‌ ପଞ୍ଜୀକରଣ ପ୍ରକ୍ରିୟା ସମ୍ଭବ ହେବ। ଇସିଆଇ ଅଧିକାରୀଙ୍କ କହିବା ଅନୁଯାୟୀ ଗତବର୍ଷ ଜୁନ୍‌ରେ ବିହାର ଏସ୍‌ଆଇଆର ପ୍ରକ୍ରିୟା ପରେ ଏହି ଘୋଷଣାନାମାକୁ ଫର୍ମ-୬ରେ ପରୀକ୍ଷାମୂଳକ ଭାବେ ସଂଯୋଗ କରାଯାଇଥିଲା। ପରେ ଅନ୍ୟସବୁ ରାଜ୍ୟରେ ଏସ୍‌ଆଇଆର ପ୍ରକ୍ରିୟା କରାଯିବା ପୂର୍ବକ ଏହି ତଥ୍ୟ ପ୍ରଦାନକୁ ବାଧ୍ୟତାମୂଳକ କରାଯାଇଛି। ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ଏହା ଏକ ପ୍ରଶାସନିକ ନିର୍ଦେଶନାମା ଅଟେ। ଏଥିପାଇଁ ମୂଳ ଫର୍ମ-୬ ରେ କୌଣସି ଆଇନଗତ ପରିବର୍ତ୍ତନ କରାଯାଇ ନାହିଁ କି ଭୋଟର ପଞ୍ଜୀକରଣ ନିୟମ ୧୯୬୦ରେ ବିଧିବଦ୍ଧ ସଂଶୋଧନ କରାଯାଇ ନାହିଁ। ଅଧିକାରୀଙ୍କ କହିବା ଅନୁଯାୟୀ, ପିତାମାତାଙ୍କ ଏସ୍‌ଆଇଆର ତଥ୍ୟ ମିଳିବା ଦ୍ୱାରା ନୂତନ ଭୋଟରଙ୍କୁ ଠିକ୍ ଭାବେ ମ୍ୟାପିଂ କରାଯାଇପାରିବ। ଏହାଦ୍ୱାରା ଆବେଦନକାରୀଙ୍କୁ ନିଜର ପରିଚୟ ବା ସ୍ଥାୟୀ ବାସିନ୍ଦାର ପ୍ରମାଣ ପାଇଁ ଅଧିକ ଦସ୍ତାବିଜ୍‌ ଦେବାକୁ ପଡ଼ିବ ନାହିଁ। ଭୋଟର ତାଲିକାରୁ ନକଲି, ମୃତ କିମ୍ବା ସ୍ଥାନାନ୍ତରିତ ହୋଇଯାଇଥିବା ଭୋଟରଙ୍କ ନାମ ବାଦ୍ ଦେଇ ଏହାକୁ ସମ୍ପୂର୍ଣ୍ଣ ଶୁଦ୍ଧ କରିବା ପାଇଁ ଏହି ବ୍ୟବସ୍ଥା କରାଯାଇଛି।

hiranchal ad1
Leave A Reply

Your email address will not be published.

12 − 5 =