ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଏବଂ ଏସ୍ଆଇଆର୍ ବିରୋଧରେ ସମସ୍ତ ବିରୋଧୀ ଦଳ ମେଳି ବାନ୍ଧିଛନ୍ତି । ଇଣ୍ଡି ମେଣ୍ଟ ଦେଇଥିବା ବିକ୍ଷୋଭରେ ସାମିଲ ହେବାକୁ ଘୋଷଣା କରିଛି ବିଜୁ ଜନତା ଦଳ । ଆଜି ଦିଲ୍ଲୀରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଉ ଏବଂ ଗଣତନ୍ତ୍ର ବଞ୍ଚାଅ ଆନ୍ଦୋଳନରେ ବିଜେଡ଼ି ସାମିଲ ହେବା ନେଇ ଦଳର ରାଜ୍ୟସଭା ସଂସଦୀୟ ଦଳର ନେତା ମାନସ ମଙ୍ଗରାଜ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇଥିବା ଜଣାପଡ଼ିଛି ।

ଆଜି ଦିଲ୍ଲୀରେ ଇଣ୍ଡି ମେଣ୍ଟ ବଡ଼ ସମାବେଶ କରିବା ସହିତ ପଦଯାତ୍ରା କରିବ । ପ୍ରଥମେ ସଂସଦର ମକର ଦ୍ୱାର ନିକଟରେ ସମସ୍ତ ସାଂସଦମାନେ ଏକାଠି ହେବେ । ଏହା ପରେ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ଘେରାଉ କରିବା ପାଇଁ ପଦଯାତ୍ରାରେ ବାହାରିବେ । ଏଥିରେ ବିଜେଡ଼ି ମଧ୍ୟ ଯୋଗ ଦେବ । ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସମସ୍ତ ସାଂସଦ ଯୋଗ ଦେବେ । ସବୁବେଳେ କଂଗ୍ରେସ ଏବଂ ବିଜେପିଠାରୁ ସମଦୂରତା ରଖିବା ଦାବି କରୁଥିବା ବିଜୁ ଜନତା ଦଳର ଅସଲ ମୁଖା ଆଜି ଖୋଲି ଯାଇଛି ।
ଏଠାରେ ଉଲ୍ଲେଖ ଯୋଗ୍ୟ, ପୂର୍ବରୁ ନବୀନ ପଟ୍ଟନାୟକ ସିଇସି ଜ୍ଞାନେଶ କୁମାରଙ୍କ କାର୍ଯ୍ୟାଶୈଳୀ ଏବଂ ଏସ୍ଆଇଆର୍ ପ୍ରକ୍ରିୟାକୁ ନେଇ ପ୍ରଶ୍ନ ଉଠାଇଥିଲେ । ନବୀନ କହିଥିଲେ ଯେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଏବଂ ଅନ୍ୟ ଆୟୁକ୍ତଙ୍କ ମଧ୍ୟରେ ଆକାଶ ପାତାଳର ମତଭେଦ ରହିଛି । ତେଣୁ ସିଇସି ତୁରନ୍ତ ନିଜ ପଦରୁ ଇସ୍ତଫା ଦେବା ଉଚିତ । ଏହା ସହିତ ନବୀନ ଏସ୍ଆଇଆର୍ ପ୍ରକ୍ରିୟାର ପୁନଃସମୀକ୍ଷା ପାଇଁ ମଧ୍ୟ ଦାବି କରିଛନ୍ତି ।
