ଦକ୍ଷିଣ ଓ ପଶ୍ଚିମ ଓଡିଶାରେ ବଢୁଛି ଶୀତର ପ୍ରକୋପ

0 75

ଭୁବନେଶ୍ୱର: ରାଜ୍ୟରେ ଧିରେ ଧିରେ ଶୀତର ପ୍ରକୋପ ବଢ଼ିବାରେ ଲାଗିଛି। ବିଶେଷ କରି ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାର ବିଭିନ୍ନ ଜିଲାରେ ରାତିର ତାପମାତ୍ରା କ୍ରମାଗତ ଭାବେ ହ୍ରାସ ପାଉଥିବାରୁ ଥଣ୍ଡା ଅନୁଭୂତ ହେଉଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ, ରାଜ୍ୟର ଦୁଇଟି ସହରର ସର୍ବନିମ୍ନ ତାପମାତ୍ରା ୧୫ ଡିଗ୍ରୀ ସେଲସିୟସ ତଳକୁ ଖସି ଆସିଛି।

ପାଣିପାଗ ବିଭାଗର ରେକର୍ଡ ଅନୁଯାୟୀ, ଜି. ଉଦୟଗିରିରେ ୧୪.୨ ଡିଗ୍ରୀ ରହିଛି। ଯାହାକି ରାଜ୍ୟର ସବୁଠାରୁ ଥଣ୍ଡା ସହର ଭାବେ ରେକର୍ଡ କରାଯାଇଛି। ଏହାର ପଛକୁ ନବରଙ୍ଗପୁରରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ରେକର୍ଡ ହୋଇଛି। ସେହିପରି ‘ଓଡ଼ିଶାର କଶ୍ମୀର’ କୁହାଯାଉଥିବା ଦାରିଙ୍ଗବାଡ଼ି ଏବଂ କୋରାପୁଟରେ ପାରଦ ୧୫ ଡିଗ୍ରୀ ରହିଛି।

hiring

ଅନ୍ୟ ପ୍ରମୁଖ ସହରଗୁଡ଼ିକ ମଧ୍ୟରେ ଭବାନୀପାଟଣାରେ ୧୫.୫ ଡିଗ୍ରୀ, ରାଉରକେଲାରେ ୧୫.୭ ଡିଗ୍ରୀ, ବଲାଙ୍ଗୀରରେ ୧୬ ଡିଗ୍ରୀ ଏବଂ ସୋନପୁରରେ ୧୬.୨ ଡିଗ୍ରୀ ସେଲସିୟସ ତାପମାତ୍ରା ରେକର୍ଡ କରାଯାଇଛି। ଆଭ୍ୟନ୍ତରୀଣ ଓଡ଼ିଶାରେ ସନ୍ଧ୍ୟା ହେବା ମାତ୍ରେ ଥଣ୍ଡା ପବନ ବହିବା ସହ ଘନ କୁହୁଡ଼ି ମଧ୍ୟ ଦେଖିବାକୁ ମିଳୁଛି, ଯାହା ଫଳରେ ସାଧାରଣ ଜୀବନଯାତ୍ରା ପ୍ରଭାବିତ ହେଉଛି।

ଅନ୍ୟପକ୍ଷରେ, ଆଭ୍ୟନ୍ତରୀଣ ଓଡ଼ିଶାରେ ଶୀତ ବଢ଼ୁଥିବା ବେଳେ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଥଣ୍ଡାର ପ୍ରଭାବ ସାମାନ୍ୟ କମିଛି। ସାମୁଦ୍ରିକ ବାୟୁର ପ୍ରଭାବ ଯୋଗୁ କଟକ ଓ ଭୁବନେଶ୍ୱର ସମେତ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ରାତିର ତାପମାତ୍ରା ୨୦ ଡିଗ୍ରୀ ସେଲସିୟସ ଉପରେ ରହିଛି। ଆଗାମୀ ୩ରୁ ୪ ଦିନ ପର୍ଯ୍ୟନ୍ତ ପାଗ ମୁଖ୍ୟତଃ ଶୁଖିଲା ରହିବା ସହ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

hiranchal ad1
Leave A Reply

Your email address will not be published.

one × five =