କୋଲ୍ଲୁର ମୁକାମ୍ବିକା ଦେବୀଙ୍କ ମନ୍ଦିର, ଯେଉଁଠି ଭକ୍ତଙ୍କୁ ମିଳିଥାଏ ଅଦ୍ଭୁତ ଶକ୍ତିର ସଂଚାର

0 115

କୋଲା ମହର୍ଷିଙ୍କ ନାମରୁ କୋଲ୍ଲୁର ବା କୋଲାପୁରା ନାମର ଉତ୍ପତ୍ତି ହୋଇଥିଲା । ପୂର୍ବେ ଏଠାରେ କାମାସୁର ନାମକ ରାକ୍ଷସ ଉତ୍ପାତ କରୁଥିଲା । ତା’ କବଳରୁ ସ୍ଥାନୀୟ ଲୋକଙ୍କୁ ରକ୍ଷା କରିବାକୁ କୋଲା ମହର୍ଷି ଦେବୀ ମହାଲକ୍ଷ୍ମୀଙ୍କ ଆରାଧନା କଲେ । ଅନ୍ୟପକ୍ଷେ ଅମରତ୍ୱ ପ୍ରାପ୍ତି ପାଇଁ କାମାସୁର ଶିବଶମ୍ଭୁଙ୍କୁ କଠୋର ତପସ୍ୟା କଲା । ବରଦାନ ସମୟରେ ମା’ ଦୈତ୍ୟକୁ ମୂକ କରିଦେଲେ । କ୍ରମେ କାମାସୁରକୁ ମୂକାସୁର ନାମରେ ଲୋକେ ଜାଣିଲେ । ବାକ୍‌ଶକ୍ତି ହରାଇବା ପରେ ବି ସେ ସନ୍ଥ ଓ ମହାପୁରୁଷଙ୍କୁ କଷ୍ଟ ଦେବା ବନ୍ଦ କଲାନାହିଁ । ମହର୍ଷି କୋଲାଙ୍କ ପ୍ରାର୍ଥନାରେ ମା’ ମୂକାସୁରର ବଧ କଲେ । ସେଥିପାଇଁ ଏହି ମନ୍ଦିର କୋଲ୍ଲୁର ମୂକାମ୍ବିକା ମନ୍ଦିର ନାମରେ ପ୍ରସିଦ୍ଧ ହେଲା । ବାସ୍ତୁକଳା ଦୃଷ୍ଟିରୁ ମନ୍ଦିରକୁ ଏକ ଆଶ୍ଚର୍ଯ୍ୟ ବୋଲି କୁହାଯାଏ ।

hiring

ମନ୍ଦିରରେ ପ୍ରବେଶ କରିବା ପରେ ଶ୍ରଦ୍ଧାଳୁ ନିଜ ଭିତରେ ଅଦ୍ଭୁତ ଶକ୍ତି ସଂଚାର ହେବାର ଅନୁଭବ କରିପାରିବେ । ଗର୍ଭଗୃହରେ ମା’ଙ୍କର ପାଷାଣ ପିଣ୍ଡି ରହିଛି । ଏଠାରେ ଜ୍ୟୋତି ଭାବେ ଦେବୀଙ୍କର ଆରାଧନା କରାଯାଏ । ପାନୀପୀଠ ନାମକ ପବିତ୍ର ସ୍ଥାନକୁ ସ୍ୱର୍ଣ୍ଣର ଏକ ଚକ୍ର ଭଳି ଜ୍ୟୋତି ଘେରିରହିଛି । ଶ୍ରୀଚକ୍ରରେ ଯେଉଁଭଳି ବ୍ରହ୍ମା-ବିଷ୍ଣୁ-ମହେଶ୍ୱର ବାସ କରନ୍ତି, ଠିକ୍ ସେହିଭଳି ଏହି ଜ୍ୟୋତି ଚକ୍ରରେ ମା’ ବାସ କରନ୍ତି । ଗର୍ଭଗୃହରେ ପ୍ରକୃତି-ଶକ୍ତି, କାଳୀ, ଲକ୍ଷ୍ମୀ ଓ ସରସ୍ୱତୀ ମା’ ପୂଜା ପାଉଛନ୍ତି । ଜ୍ୟୋତି ଚକ୍ରର ପଶ୍ଚିମ ଭାଗରେ ପଦ୍ମାସନରେ ବିରାଜିତା ଶ୍ରୀଦେବୀଙ୍କ କମନୀୟ ମୂର୍ତ୍ତି ରହିଛି । ଶ୍ରୀଗଣେଶଙ୍କ ଦଶଭୁଜା ମୂର୍ତ୍ତି ମଧ୍ୟ ମନ୍ଦିରରେ ଶୋଭାପାଏ । କର୍ଣ୍ଣାଟକର ଉଡୁପୀ ଜିଲ୍ଲା ସ୍ଥିତ ସୁପର୍ଣ୍ଣିକା ନଦୀତଟରେ ନିର୍ମିତ ଏହି ମନ୍ଦିରରେ ବିଜୟାଦଶମୀ ‘ବିଦ୍ୟାଦଶମୀ’ ଭାବେ ପାଳନ କରାଯାଏ । ଏହିଦିନ ପିଲାଙ୍କର ଔପଚାରିକ ଶିକ୍ଷା ଆରମ୍ଭ ହୋଇଥାଏ । ଏପରି କଲେ ପିଲାଙ୍କଠାରେ ଉତ୍ତମ ବୁଦ୍ଧି ସଞ୍ଚାର ହୋଇଥାଏ ବୋଲି ବିଶ୍ୱାସ ରହିଛି ।

hiranchal ad1
Leave A Reply

Your email address will not be published.

4 × three =