ବୌଦ୍ଧଜିଲ୍ଲା ଗ୍ରୀନ ଜୋନରେ : ଚିନ୍ତା ବଢାଉଛନ୍ତି ବାହାରୁ ଫେରୁଥିବା ସରକାରୀ କର୍ମଚାରୀ

0 1,146

ବୈାଦ୍ଧ:ବୌଦ୍ଧଜିଲ୍ଲା ପ୍ରଶାସନ ଓ ପୋଲିସର ଦିନରାତି ପରିଶ୍ରମ ଯୋଗୁଁ ବୌଦ୍ଧଜିଲ୍ଲାରେ କରୋନା ସଂକ୍ରମଣ ଆଜିଯାଏଁ ହୋଇନାହିଁ । ସେଥିପାଇଁ ଜିଲ୍ଲାକୁ ଗ୍ରୀନଜୋନ ଅନ୍ତର୍ଭୁକ୍ତ କରିଛନ୍ତି ସରକାର । ୨୦ ତାରିଖରୁ ଲକ୍‌ଡାଉନକୁ ଟିକିଏ କୋହଳ କରିଛି ଜିଲ୍ଲା ପ୍ରଶାସନ । ଏହା ଜିଲ୍ଲାବାସୀଙ୍କୁ କିଛିମାତ୍ରାରେ ଆଶ୍ୱସ୍ତି ଆଣିଦେଇଛି । ସରକାରୀ କାର୍ଯ୍ୟାଳୟ ଗୁଡିକ ମଧ୍ୟ ଖୋଲିଛି ।

hiring


ଜିଲ୍ଲାରେ ସରକାରୀ ଅଫିସ ଗୁଡିକ ଖୋଲାଯାଇଥିବାରୁ ବୌଦ୍ଧଜିଲ୍ଲାରେ କାର୍ଯ୍ୟକରୁଥିବା ବାହାର ଜିଲ୍ଲାର ଅଧିବାସୀ ସରକାରୀ କର୍ମଚାରୀମାନେ ବର୍ତ୍ତମାନ କାର୍ଯ୍ୟରେ ଯୋଗଦେବାକୁ ଫେରୁଛନ୍ତି । ବୌଦ୍ଧ ଜିଲ୍ଲାରେ କାର୍ଯ୍ୟକରୁଥିବା ଅନେକ ସରକାରୀ ଅଫିସର ଓ କର୍ମଚାରୀମାନଙ୍କ ପରିବାରବର୍ଗ ଭୁବନେଶ୍ୱର ସହର ସମେତ ଯାଜପୁର, କେନ୍ଦ୍ରାପଡା, କଟକ ଓ ଖୋର୍ଦ୍ଧା ଆଦି ଉପକୂଳ ଜିଲ୍ଲାମାନଙ୍କରେ ରୁହନ୍ତି । ଗତ ୨୪ ତାରିଖରୁ ଲକଡାଉନ ହୋଇ ଅଫିସ ଗୁଡିକ ବନ୍ଦ ରହିଥିବାରୁ ଏହାର ସୁଯୋଗ ନେଇ ସେମାନେ ଜିଲ୍ଲାରୁ ନିଜନିଜ ଘରକୁ ଚଂପଟ ମାରିଥିଲେ । ବର୍ତ୍ତମାନ ସେମାନେ କାର୍ଯ୍ୟରେ ଯୋଗଦେବାପାଇଁ ବୌଦ୍ଧକୁ ଫେରୁଥିବାରୁ ଲୋକେ ଆଶଙ୍କିତ ଅବସ୍ଥାରେ ରହୁଛନ୍ତି । ଯେଉଁ ଅଫିସର ଓ କର୍ମଚାରୀମାନେ କରୋନାର ରେଡଜୋନରୁ ଆସି ବୌଦ୍ଧରେ ପହଞ୍ଚିଛନ୍ତି ସେମାନେ ଯେ କରୋନା ସଂକ୍ରମିତ ହୋଇନଥିବେ କିଏ କହିବ ? ଉକ୍ତ ସରକାରୀ ଅଧିକାରୀ ଓ କର୍ମଚାରୀମାନେ ବାହାର ଜିଲ୍ଲାରୁ ଫେରି ସିଧାସଳଖ ନିଜନିଜ କାର୍ଯ୍ୟାଳୟରେ ଯୋଗ ଦେଉଥିବାରୁ ସଂପୃକ୍ତ କାର୍ଯ୍ୟାଳୟରେ କାର୍ଯ୍ୟକରୁଥିବା କର୍ମଚାରୀମାନେ ଆତଙ୍କିତ ଅବସ୍ଥାରେ ରହୁଥିବା ଦେଖିବାକୁ ମିଳୁଛି ।


ବାହାର ଜିଲ୍ଲା କିମ୍ବା ରାଜ୍ୟରୁ ଆସୁଥିବା ଘରୋଇ କର୍ମଚାରୀ ଓ ଶ୍ରମିକମାନଙ୍କ ସ୍ୱାବ ପରୀକ୍ଷା କରିବା ଓ କ୍ୱାରେଣ୍ଟାଇନରେ ରଖିବା ଉପରେ ପ୍ରଶାସନ ଗୁରୁତ୍ୱ ଦେଉଛି । ଏହା ଅତି ଉତ୍ତମ କଥା କିନ୍ତୁ ଜିଲ୍ଲାବାହାରୁ ଓ ରେଡଜୋନ ଅଞ୍ଚଳରୁ ଫେରୁଥିବା ସରକାରୀ ଅଧିକାରୀ ଓ କର୍ମଚାରୀଙ୍କ ପ୍ରତି ଏହା ମଧ୍ୟ କରାଯିବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି । ଏମାନଙ୍କ ମଧ୍ୟରୁ ଯଦି ଜଣେବି କେହି କରୋନା ସଂକ୍ରମିତ ଥାଆନ୍ତି ଜିଲ୍ଲାପାଳ, ଏସପିଙ୍କ ସମେତ କରୋନା ବିରୋଧୀ ଯୁଦ୍ଧରେ ଯୋଦ୍ଧା ସାଜି ଦିନରାତି ପରିଶ୍ରମ କରୁଥିବା ବ୍ୟକ୍ତିଙ୍କ ସମସ୍ତ ପରିଶ୍ରମ ଫସର ଫାଟିଯିବ । ଏମାନେ ବିଭିନ୍ନ କର୍ମଚାରୀ, ଅଧିକାରୀ ଓ ଜନସାଧାରଣଙ୍କ ସହ ଯୋଗାଯୋଗରେ ନିଶ୍ଚିତ ଆସିବେ । ଆଗରୁ ସାବଧାନ ନହେଲେ ଜିଲ୍ଲାର ପରିସ୍ଥିତି ସାଂଘାତିକ ରୂପ ଧାରଣ କରିବ ବୋଲି ବୁଦ୍ଧିଜୀବୀ ଆଶଙ୍କା କରୁଛନ୍ତି । ଲୋକଙ୍କ ଆଶଙ୍କାକୁ ଦୂରୀଭୁତ କରିବାପାଇଁ ଜିଲ୍ଲାପାଳ ଏ ଦିଗରେ ବିହିତ ପଦକ୍ଷେପ ନିଶ୍ଚିତ ନେବେ ବୋଲି ଜନସାଧାରଣ ଆଶା ରଖିଛନ୍ତି । ବାହାରୁ ଆସିଥିବା ଅଧିକାରୀ ଓ କର୍ମଚାରୀଙ୍କୁ ଠାବକରି ସେମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରି ରିପୋର୍ଟ ଆସିବା ଯାଏଁ ସେମାନଙ୍କୁ କ୍ୱାରେଣ୍ଟାଇନରେ ରଖାଇବାକୁ ଜନସାଧାରଣରେ ଦାବି ହେଉଛି ।

hiranchal ad1
Leave A Reply

Your email address will not be published.

3 × 3 =