ନୂଆ ଅଧିନାୟକ ସନ୍ଧାନରେ ପଞ୍ଜାବ : ହଟିବେ ଅଶ୍ୱିନ

0 566

ନୂଆଦିଲ୍ଲୀ: ଅପ୍ ସ୍ପିନର ରବିଚନ୍ଦ୍ରନ୍ ଅଶ୍ୱିନଙ୍କ କ୍ୟାରିୟର ଆହୁରି ଅଧିକ ବିପର୍ଯ୍ୟସ୍ତ ହେବାର ସମ୍ଭାବନା ଦେଖାଦେଇଛି । ପ୍ରଥମ ଟେଷ୍ଟରୁ ବାଦ୍ ପଡ଼ିଥିବା ଅଶ୍ୱିନ ଏବେ ଆଇପିଏଲ୍ ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଏକାଦଶ ପଞ୍ଜାବର ଅଧିନାୟକ ଅଛନ୍ତି । ତେବେ ତାଙ୍କର ଖରାପ ପ୍ରଦର୍ଶନକୁ ଦେଖି ପଞ୍ଜାବ ତାଙ୍କୁ ଅଧିନାୟକ ପଦରୁ ହଟାଇ ଆଉ ଜଣଙ୍କୁ ନେବା ଲାଗି ଯୋଜନା କରିଛି । ଏବେ ପଞ୍ଜାବ ଟିମ୍ ଜଣେ ନୂଆ ଅଧିନାୟକ ସନ୍ଧାନରେ କାର୍ଯ୍ୟ କରୁଛି । ତେବେ ପଞ୍ଜାବର ଏହି ନିଷ୍ପତ୍ତି ଯୋଗୁଁ ଅଶ୍ୱିନ ଆର୍ଥିକ କ୍ଷତିର ସମ୍ମୁଖୀନ ହେବେ ନାହିଁ । ତାଙ୍କୁ ଦିଲ୍ଲୀ କ୍ୟାପିଟାଲ୍ସ କିମ୍ବା ରାଜସ୍ଥାନ ରୟାଲ୍ସର ଅଧିନାୟକ କରିବା ଲାଗି ପଞ୍ଜାବ ଇଚ୍ଛା ପ୍ରକାଶ କରିଛି । ଏ ନେଇ ଦିଲ୍ଲୀ ଓ ରାଜସ୍ଥାନ ସହ େଔନପଚାରିକ ଆଲୋଚନା ମଧ୍ୟ ହୋଇଛି । ଆସନ୍ତା ସପ୍ତାହର ଶେଷ ଆଡକୁ ପଞ୍ଜାବ ଟିମ୍ ମ୍ୟାନେଜମେଣ୍ଟର ଏକ ବୈଠକ ବସିବାର ଅଛି । ଏହି ବୈଠକରେ ଏ ସଂପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ । ୨୦୧୮ରେ ପଞ୍ଜାବ ଅଶ୍ୱିନଙ୍କୁ ୭ କୋଟି ୮୦ ଲକ୍ଷ ଟଙ୍କାରେ କିଣିଥିଲା । ଦୁଇ ବର୍ଷ ଧରି ସେ ଅଧିନାୟକ ଦାୟିତ୍ୱରେ ରହିଆସିଛନ୍ତି । ତେବେ ଦଳକୁ ସେଭଳି ଉଲ୍ଲେଖନୀୟ ସଫଳତା ଦେଇପାରିନାହାଁନ୍ତି । ଦିଲ୍ଲୀ କ୍ୟାପିଟାଲ୍ସ ଶ୍ରେୟସ ଆୟାରଙ୍କୁ ଅଧିନାୟକ ଭାବେ ପସନ୍ଦ କରିଥିଲା । ତାଙ୍କ ଅଧିନରେ ଖେଳି ଦିଲ୍ଲୀ ଆଇପିଏଲ୍ ପ୍ଲେ ଅପ୍ ପାଇଁ ଯୋଗ୍ୟତା ହାସଲ କରିଥିଲା । ସାତ ବର୍ଷରେ ଏହା ପ୍ରଥମ ଥିଲା । ୨୦୧୯ ଆଇପିଏଲ୍ରେ ଦଳ ତୃତୀୟ ସ୍ଥାନରେ ରହିଥିଲା । ସେହିପରି, ରାଜସ୍ଥାନ ରୟାଲ୍ସ ମଧ୍ୟ ଜଣେ ନୂଆ ଅଧିନାୟକଙ୍କୁ ଖୋଜୁଛି । ଆଜିଙ୍କ୍ୟା ରାହାଣେ ଓ ଷ୍ଟିଭ୍ ସ୍ମିଥ୍ ଏହି ତାଲିକାର ଶୀର୍ଷ ଭାଗରେ ଅଛନ୍ତି । ଏକ ରିପୋର୍ଟ ଅନୁଯାୟୀ କିଙ୍ଗିସ୍ ଏକାଦଶ ପଞ୍ଜାବ, କେଏଲ ରାହୁଲଙ୍କୁ ଅଧିନାୟକ ଭାବେ ନେବା ଲାଗି ଅଧିକ ଆଗ୍ରହୀ । ଅଶ୍ୱିନ ପଞ୍ଜାବ ପାଇଁ ୨୮ଟି ମ୍ୟାଚ୍ ଖେଳିଛନ୍ତି ଏବଂ ୨୫ଟି ୱିକେଟ୍ ନେଇଛନ୍ତି । ତେବେ ପଞ୍ଜାବକୁ ସଫଳତା ଦେବାରେ ତାଙ୍କର ଅକ୍ଷମତା ତାଙ୍କୁ ବର୍ତ୍ତମାନ ଅଡୁଆରେ ପକାଇଛି । ସେହିପରି, ଏହି ପଞ୍ଜାବଭିତ୍ତିକ ଫ୍ରାଞ୍ଚାଇଜ୍ ଦଳ ଜଣେ ନୂଆ ମୁଖ୍ୟ କୋଚ୍ ସନ୍ଧାନରେ ମଧ୍ୟ ଅଛି । ପୂର୍ବରୁ ମାଇକ୍ ହେସନ୍ ଏହି ଦାୟିତ୍ୱରେ ଥିଲେ । ମିଳିଥିବା ସୂଚନା ଅନୁଯାୟୀ ଜର୍ଜ ବେଲ୍ଲି କିମ୍ବା ଡାରେନ୍ ଲେମ୍ୟାନ୍ ଦଳର ମୁଖ୍ୟ କୋଚ୍ ହୋଇପାରନ୍ତି ।

hiranchal ad1
Leave A Reply

Your email address will not be published.

20 − fifteen =