ସୁପ୍ରିମକୋର୍ଟରେ ଚିଦାମ୍ବରମ୍ ନିରାଶ : ଜାରିହେଲା ଲୁକଆଉଟ୍ ନୋଟିସ୍

0 568

ନୂଆଦିଲ୍ଲୀ: ହାଇକୋର୍ଟରେ ନିରାଶ ହେବା ପରେ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି ଚିଦାମ୍ବରମ୍ ସୁପ୍ରିମ୍କୋର୍ଟରେ ମଧ୍ୟ ନିରାଶ ହୋଇଛନ୍ତି । ଆଗୁଆ ଜାମିନ୍ ପାଇଁ ସେ ସୁପ୍ରିମ୍କୋର୍ଟରେ ଆବେଦନ କରିଥିଲେ । କିନ୍ତୁ ତତ୍କାଳ ଜାମିନ୍ ମଂଜୁର ପାଇଁ କୋର୍ଟ ମନା କରିଦେଇଛନ୍ତି । ଫଳରେ ତାଙ୍କର ସଙ୍କଟ ଆହୁରି ବଢ଼ିଯାଇଛି । ସୁପ୍ରିମ୍କୋର୍ଟଙ୍କର ଏହି ଆଭିମୁଖ୍ୟ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଚିଦାମ୍ବରମ୍ଙ୍କ ନାମରେ ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ପ୍ରକାଶଥାଉକି, ଗତକାଲି ସିବିଆଇ ଓ ଇଡିର ଅଧିକାରୀମାନେ ଚିଦାମ୍ବରମଙ୍କ ଘରକୁ ଯାଇଥିଲେ । କିନ୍ତୁ ସେଠାରେ ତାଙ୍କୁ ନପାଇ ଫେରି ଆସିଥିଲେ । ଆଜି ପୁଣି ସେମାନେ ତାଙ୍କ ଘରକୁ ଯାଇଥିଲେ । ହେଲେ ସେମାନଙ୍କୁ ଖାଲି ହାତରେ ଫେରିବାକୁ ପଡ଼ିଛି । ଏହାପରେ ଇଡି ଲୁକ୍ଆଉଟ୍ ନୋଟିସ୍ ଜାରି କରିଛି । ତାଙ୍କୁ ଦେଖିଲା ମାତ୍ରେ ଗିରଫ କରାଯିବ । ଆଇଏନ୍ଏକ୍ସ ମିଡ଼ିଆ ଦୁର୍ନୀତି ମାମଲାରେ ଚିଦାମ୍ବରମ୍ଙ୍କ ନାମରେ କେତେକ ସଂଗୀନ୍ ଅଭିଯୋଗ ରହିଛି । ଏହି ଅଭିଯୋଗ ଉପରେ ଇଡି ଓ ସିବିଆଇ ତଦନ୍ତ କରୁଛନ୍ତି । ସିବିଆଇ ତାଙ୍କୁ ଗିରଫ କରିବା ଲାଗି ପ୍ରସ୍ତୁତ ହେଉଛି ବୋଲି ଜାଣିବା ପରେ ସେଥିରୁ ରକ୍ଷା ପାଇବା ପାଇଁ ସେ ଆଗୁଆ ଜାମିନ୍ ଲାଗି ଦିଲ୍ଲୀ ହାଇକୋର୍ଟରେ ଆବେଦନ କରିଥିଲେ । ତେବେ ହାଇକୋର୍ଟ ତାକୁ ଖାରଜ କରି କହିଥିଲେ ଯେ, ଚିଦାମ୍ବରମ୍ ଏହି ମାମଲାର କିଙ୍ଗ୍ପିନ୍ ବୋଲି ପ୍ରମାଣ ମିଳିଛି । ସେ ଆଇଏନଏକ୍ସ ମିଡ଼ିଆ ମାମଲାର ମୁଖ୍ୟ ଷଡ଼ଯନ୍ତ୍ରକାରୀ । ତେଣୁ ତାଙ୍କୁ ହେପାଜତକୁ ଆଣି ଜେରା କରାଯିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଥବଲେ । ସେହିପରି, ଆଜି ସୁପ୍ରିମ୍କୋର୍ଟ ଜାମିନ୍ ଆବେଦନକୁ ତତ୍କାଳ ମଂଜୁର କରିବା ଲାଗି ମନା କରିଦେଇଛନ୍ତି । ଏହି ମାମଲାକୁ ଖଣ୍ଡପୀଠ ପ୍ରଧାନ ବିଚାରପତିଙ୍କ ନିକଟକୁ ପଠାଇ ଦେଇଛନ୍ତି । ପ୍ରଥମ ପର୍ଯ୍ୟାୟରେ ସୁପ୍ରିମ୍କୋର୍ଟରୁ ଆଶ୍ୱସ୍ତି ମିଳିନଥିବାରୁ ଚିଦାମ୍ବରମଙ୍କ ସଂକଟ ବହୁଗୁଣରେ ବଢ଼ିଯାଇଛି । ଯେକୌଣସି ସମୟରେ ତାଙ୍କୁ ଗିରଫ କରାଯାଇପାରେ । ବର୍ତ୍ତମାନ ସେ କେଉଁଠି ଅଛନ୍ତି, ତାହା ଜଣାପଡ଼ି ନାହିଁ ।

hiranchal ad1
Leave A Reply

Your email address will not be published.

1 × 3 =