ଜେଟଲୀଙ୍କ ଶେଷକୃତ୍ୟ ସମ୍ପନ୍ନ

0 609

ନୂଆଦିଲ୍ଲୀ : ପୂର୍ବତନ ଅର୍ଥମନ୍ତ୍ରୀ ତଥା ପ୍ରବୀଣ ରାଜନୀତିଜ୍ଞ ଜେଟଲୀଙ୍କ ଶେଷକୃତ୍ୟ ଆଜି ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ସମ୍ପନ୍ନ ହୋଇଛି । ତାଙ୍କ ପୁଅ ରୋହନ ମୁଖାଗ୍ନି ଦେଇଥିଲେ । ଅନ୍ତ୍ୟେଷ୍ଟିକ୍ରିୟା ଉତ୍ସବରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଉପରାଷ୍ଟ୍ରପତି ଭେଙ୍କିୟା ନାୟିଡୁ, ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀ, ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ସମେତ ବିଭିନ୍ନ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହି ତାଙ୍କୁ ଶେଷ ସମ୍ମାନ ଜଣାଇଥିଲେ । ଆଜି ମଧ୍ୟାହ୍ନରେ ତାଙ୍କ ମର ଶରୀରକୁ ଦଳୀୟ କାର୍ଯ୍ୟାଳୟରୁ ଏକ ଶୋଭାଯାତ୍ରାରେ ନିଗମବୋଦ ଘାଟକୁ ନିଆଯାଇଥିଲା । ଶବାଧାରରେ ବିଜେପିର ବହୁ ବିଶିଷ୍ଟ ନେତା, ମନ୍ତ୍ରୀ ଓ ସମର୍ଥକମାନେ ସାମିଲ୍ ହୋଇଥିଲେ । ଅନ୍ତ୍ୟେଷ୍ଟିକ୍ରିୟା ସ୍ଥଳରେ ତାଙ୍କୁ ୨୧ ତୋପସଲାମୀ ଦିଆଯାଇଥିଲା । ମରଶରୀରରେ ଜାତୀୟ ପତାକାକୁ ରଖାଯାଇ ନିଗମବୋଧକୁ ନିଆଯିବା ବେଳେ ଜେଟଲୀ ଅମର ରହେ ଧ୍ୱନୀରେ ସମଗ୍ର ଅଞ୍ଚଳ ପ୍ରତିଧ୍ୱନୀତ ହୋଇଥିଲା । ବିଜେପି ଛଡ଼ା ଅନ୍ୟ ରାଜନୈତିକ ଦଳର ତୁଙ୍ଗ ନେତାମାନେ ମଧ୍ୟ ଉତ୍ସବ ସ୍ଥଳରେ ଉପସ୍ଥିତ ଥିଲେ । ସେମାନଙ୍କ ମଧ୍ୟରେ ତେଲୁଗୁଦେଶମ ପାର୍ଟିର ଚନ୍ଦ୍ରବାବୁ ନାୟିଡୁ, କଂଗ୍ରେସର କପିଲ ଶିବଲ, ଆମ୍ ଆଦମୀ ପାର୍ଟିର ଅରବିନ୍ଦ କେଜ୍ରିୱାଲ ଓ ମନୀଷ ଶିସୋଡ଼ିଆ, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରମୁଖ ଅର୍ନ୍ତଭୁକ୍ତ । ଆଜି ଅମିତ ଶାହ ହାଇଦ୍ରାବାଦ ଗସ୍ତରେ ଯିବାର ଥିଲା; କିନ୍ତୁ ସେ ତାଙ୍କ ଗସ୍ତକୁ କାଣ୍ଟଛାଣ୍ଟ କରି ଫେରି ଆସିଥିଲେ । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ବାହାରିନ୍ ଗସ୍ତରେ ଥିବାରୁ ସେ ଯୋଗ ଦେଇପାରି ନଥିଲେ । ସେଠାରୁ ସେ ତାଙ୍କର ଶେଷ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ପ୍ରକାଶଥାଉକି, ଦୀର୍ଘ ଦିନ ଧରି ଅସୁସ୍ଥ ରହିବା ପରେ ଗତକାଲି ଜେଟଲୀଙ୍କର ଦିଲ୍ଲୀ ଏମ୍ସରେ ପରଲୋକ ହୋଇଯାଇଥିଲା । ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ବୟସ ହୋଇଥିଲା । ସେ ଏକାଧିକ ରୋଗରେ ପୀଡ଼ିତ ଥିଲେ । ନିଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ଅଗଷ୍ଟ ୯ ତାରିଖରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ ଲାଇଫ୍ ସର୍ପୋଟ ସିଷ୍ଟମରେ ରଖାଯାଇଥିଲା । ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବୁଝିବା ପାଇଁ ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ଗଠନ କରାଯାଇଥିଲା । ତେବେ ସମସ୍ତ ଚେଷ୍ଟା ସତ୍ତେ୍ୱ ତାଙ୍କୁ ବଞ୍ଚାଇବା ସମ୍ଭବ ହୋଇପାରି ନଥିଲା । ମଧ୍ୟାହ୍ନ ୧୨ଟା ୭ ମିନିଟରେ ତାଙ୍କର ପରଲୋକ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ପାଇଁ ଅଧିକାଂଶ କେନ୍ଦ୍ରମନ୍ତ୍ରୀ ଏବଂ ବିଜେପିର ବହୁ ବରିଷ୍ଠ ନେତା ହସ୍ପିଟାଲକୁ ଆସିଥିଲେ । ପରେ ଜେଟଲୀଙ୍କ ମରଶରୀରକୁ ତାଙ୍କ ବାସଭବନକୁ ନିଆଯାଇଥିଲା । ସେଠାରେ ମଧ୍ୟ ନେତା ଓ ମନ୍ତ୍ରୀମାନଙ୍କର ଭିଡ଼ ଦେଖିବାକୁ ମିଳିଥିଲା । ପରିବାର ସଦସ୍ୟମାନଙ୍କ ନିଷ୍ପତ୍ତି ଅନୁଯାୟୀ ଆଜି ତାଙ୍କର ଶେଷକୃତ୍ୟ ହେବାର କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

15 − 6 =