ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନରେ ସମସ୍ତେ ଖୁସି

0 554

ନୂଆଦିଲ୍ଲୀ,୨୬/୩: ଆଇପିଏଲ୍ରେ ଡାଭିଡ୍ ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନକୁ ନେଇ ତାଙ୍କ ଫ୍ରାଞ୍ଚାଇଜ୍ ଟିମ୍ର ସବୁ ଖେଳାଳି ଅତ୍ୟନ୍ତ ଉତ୍ସାହିତ । କେରଳର ଦ୍ରୁତ ବୋଲର ବାସିଲ୍ ଥମ୍ପି ଏହାକୁ ନେଇ ଅଧିକ ଖୁସି ଥିବା ଲକ୍ଷ୍ୟ କରାଯାଉଛି । ଥମ୍ପି ଗଣମାଧ୍ୟମ ସହ ଆଲୋଚନା ବେଳେ କହିଛନ୍ତି ଯେ, ୱାର୍ଣ୍ଣରଙ୍କ ପ୍ରତ୍ୟାବର୍ତ୍ତନ ଘଟିବ ବୋଲି ଆମେ ଆଶା କରୁଥିଲୁ । ଶେଷରେ ତାହା ସତ୍ୟ ସାବ୍ୟସ୍ତ ହେଲା । ସନ୍ ରାଇଜର୍ସ ହାଇଦ୍ରାବାଦ ଶିବିରରେ ଏବେ ୱାର୍ଣ୍ଣରଙ୍କୁ ନେଇ ବେଶ୍ ଆନନ୍ଦ ଓ ଉଲ୍ଲାସ ଲାଗି ରହିଛି । ୱାର୍ଣ୍ଣରଙ୍କ ଭଳି ଜଣେ ଦୁର୍ଦ୍ଧଷ କ୍ରିକେଟର ଯେକୌଣସି ଦଳ ପାଇଁ ଏକ ଆସେଟ୍ । ସେ ଜଣେ ଭଲ ଖେଳାଳି ଏବଂ ଭଲ ସହଯୋଗୀ ମଧ୍ୟ । ବଲ୍ ଟ୍ୟାମ୍ପରିଂ ଯୋଗୁଁ ତାଙ୍କ ମୁଣ୍ଡରେ ଯେଉଁ କଳଙ୍କ ଲାଗିଥିଲା ତାହା ଶେଷରେ ଦୂର ହୋଇଛି ଏବଂ ସଜା କାଟିବା ପରେ ପୁଣି ପଡ଼ିଆକୁ ଓହ୍ଲାଇବା ନିଶ୍ଚିତ ଭାବରେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣା । ୱାର୍ଣ୍ଣରଙ୍କ ଭଳି ଖେଳାଳିଙ୍କୁ ଯେକୌଣସି ଦଳ ପାଇଲେ ବି ଖୁସି ହେବ ବୋଲି ଥମ୍ପି କହିଛନ୍ତି । ବର୍ତ୍ତମାନ ତାଙ୍କୁ ନେଇ କୌଣସି ସମସ୍ୟା ନାହିଁ । ଦଳର ସ୍ଥିତି ନେଇ ପ୍ରଶ୍ନ ହେବାରୁ ଥମ୍ପି କହିଥିଲେ ଯେ, ଆଗକୁ ବଢ଼ିବା ହେଉଛି ବର୍ତ୍ତମାନ ପ୍ରଥମ ଲକ୍ଷ୍ୟ । ଟାଇଟଲ୍ ପାଇଁ ସମସ୍ତେ ଲଢେ଼ଇ କରୁଛନ୍ତି । ହାଇଦ୍ରାବାଦ ବି ଏଥିରୁ ବାଦ୍ ପଡ଼ିନାହିଁ । ବର୍ତ୍ତମାନଠାରୁ ଏହାକୁ ନେଇ ନିଶ୍ଚିତ ଭାବରେ କିଛି କୁହାଯାଇ ପାରିବ ନାହିଁ ବୋଲି ସେ କହିଥିଲେ ।

hiranchal ad1
Leave A Reply

Your email address will not be published.

4 × four =