ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଉଦଯାପିତ

0 101

ନବରଙ୍ଗପୁର : ଚଳିତ ବର୍ଷ ଗତାନୁଗତିକ ଭାବରେ ନବରଙ୍ଗପୁର ମହାବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଛାତ୍ରଛାତ୍ରୀଙ୍କର ଉଭୟ ଶାରରିକ ଓ ମାନସିକ ବିକାଶ ପାଇଁ ଏହି କ୍ରୀଡା ଉତ୍ସବ ଦୁଇଦିନ ଧରି ପାଳନ କରାଯାଇଥିଲା । ଏଥିରେ ଉଭୟ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନିର ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଥମ ଦିନର କ୍ରୀଡା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ-ତଥା- ପରିଚାଳନା କମିଟି ସଭାପତି ଭାସ୍କର ରଇତ ଉଦଘାଟନ କରି ଏକ ସୁସ୍ଥ ଶରୀର ହିଁ ଏକ ସୁସ୍ଥ ମସ୍ତିଷ୍କ ତିଆରି କରିବାରେ ସହାୟକ ହୋଇଥାଏ ବୋଲି କହିବା ସହ ଛାତ୍ର ଛାତ୍ରୀଙ୍କୁ ପାଠ ପଢ଼ା ସହିତ ଖେଳ କୁଦରେ ବି ଦକ୍ଷ ହେବାକୁ ପରାମର୍ଶ ଦେଇଥିଲେ । କ୍ରୀଡା ମଞ୍ଚରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡ଼ଃ ଭାସ୍କର ନାଥ ବିଶ୍ୱାଳ ଶାରରିକ ଓ ବୌଦ୍ଧିକ ବିକାଶରେ ମଣିଷର ବିକାଶ ସମ୍ଭବ ବୋଲି କହିବା ସହ ଛାତ୍ରଛାତ୍ରୀଙ୍କୁ ନିଜର ଅନ୍ତର୍ନିହିତ ପ୍ରତିଭାର ବିକାଶ କରିବା ପାଇଁ ପରାମର୍ଶ ଦେଇଥିଲେ । କ୍ରୀଡା ସଂସଦର ଉପ ସଭାପତି ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତ୍ତା ଦୁଇଦିନର କାର୍ଯ୍ୟକ୍ରମ ଗୁଡିକର ରୂପରେଖ ଉପରେ ବିଶଦ ସୂଚନା ପ୍ରଦାନ କରିଥିଲେ । ଏଥିରେ ଦୌଡ, ଲମ୍ବ ଡିଆଁ, ଉଚ୍ଚ ଡିଆଁ, ସଟଫୁଟ, ଡ଼ିସକସ, ଜ୍ୟାଭଲିନ ଫିଙ୍ଗା ଆଦି ପ୍ରାୟ ୨୦ ଗୋଟି ପ୍ରତିଯୋଗିତା ହୋଇଥିଲା । ଏହି ସବୁ କ୍ରୀଡାର ପରିଚାଳନା କରିଥିଲେ କମିଟି ସଦସ୍ୟ ସୁରେଶ ସାହୁ, ଲବ ଖୋସଲା, ସଂଯୁକ୍ତା ପାଙ୍ଗି, ଆଲୋକ କୁମାର ଦାସ, ବ୍ୟୋମକେଶ ବେହେରା ଓ ନିରଞ୍ଜନ ତ୍ରିପାଠୀ । ସମ୍ବଳ ଅଧିକାରୀ ଭାବରେ ସହାୟତା କରିଥିଲେ ଅଶୋକ କୁମାର ପାତ୍ର, ରାଜନ ତ୍ରିପାଠୀ, ରାମ ଭାଇ ଓ ତାଙ୍କରି ଦଳ । କ୍ରୀଡା ଉତ୍ସବର ଦ୍ୱିତୀୟ ଦିନର ଅତିଥି ଭାବେ ଯୋଗଦେଇ ପୁରାତନ ଛାତ୍ର ସଂସଦ ସଭାପତି ଗଣେଶ ଦାଶ ପିଲାମାନଙ୍କୁ ଆହୁରି ଅଧିକ ଭାବରେ ପ୍ରତିଭାର ବିକାଶ କରିବା ସହ କଲେଜ ପାଇଁ ଗୌରବ ଆଣିବା ପାଇଁ ଆହ୍ୱାନ କରିଥିଲେ । ଉପସଭାପତି ପ୍ରଭାକର ପାତ୍ର ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀ ଆଜିର ଯୁଗରେ ଖେଳ କୁଦକୁ ବି ଏକ କ୍ୟାରିଅର ଭାବରେ ନେଇପାରିବେ ବୋଲି କହିଥିଲେ । ସମ୍ପାଦିକା ଶ୍ରୀମତୀ ସଂଗୀତା ତ୍ରିପାଠୀ କ୍ରୀଡା ମାଧ୍ୟମରେ ଏକ ସୁସ୍ଥ ଯୁବ ସମାଜ ଗଠନ ପାଇଁ ଆହ୍ୱାନ ଦେଇଥିଲେ । ଏତଦ ସହିତ କ୍ରୀଡା ପ୍ରଶିକ୍ଷକ ଏମ. ବାଳକୃଷ୍ଣ ରାଓ ଓ ଜିଲ୍ଳା କ୍ରୀଡା ଅଧିକାରୀ ମହେନ୍ଦ୍ର କୁମାର ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ଛାତ୍ର ଛାତ୍ରୀଙ୍କୁ କ୍ରୀଡା ବିଷୟକ ବିଭିନ୍ନ ଜ୍ଞାନ ଓ କୌଶଳ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ । ମୋଟାମୋଟି ଭାବରେ ରେକର୍ଡ ସଂଖ୍ୟକ ପ୍ରତିଯୋଗୀ ଏଥିରେ ଅଂଶ ଗ୍ରହଣ କରିବା ସହ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଅକୁଣ୍ଠ ସହଯୋଗ କରିଥିଲେ । ଆଗାମୀ ବର୍ଷ ଦୁଇ ଦିନ ପରିବର୍ତ୍ତେ ତିନିଦିନ ପାଇଁ କ୍ରୀଡା ମହୋତ୍ସବ ହେବ ବୋଲି ଅଧ୍ୟକ୍ଷ ଡ଼ଃ ବିଶ୍ୱାଳ ଘୋଷଣା କରିଥିଲେ ।

hiranchal ad1
Leave A Reply

Your email address will not be published.

five × 1 =