ଚାୱଲାଙ୍କ ବିରୋଧରେ ସଦ୍ୟତମ ଚାର୍ଜସିଟ୍‌

0 66

ନୂଆଦିଲ୍ଲୀ : ୨୦୦୦ ମସିହାରେ ଦକ୍ଷିଣ ଆଫ୍ରିକା ଭାରତ ଗସ୍ତରେ ଆସି ଖେଳୁଥିବା ସମୟରେ ଏକ ମ୍ୟାଚ୍ ଫିକ୍ସିଂ ଘଟିଥିଲା । ଏଥିରେ ଦକ୍ଷିଣ ଆଫ୍ରିକା ଖେଳାଳି ହ୍ୟାନ୍ସି କ୍ରୋନିଏ ଜଡ଼ିତ ଥିଲେ । ଏହି ମ୍ୟାଚ୍ ଫିକ୍ସିଂ ମାମଲାର ମୁଖ୍ୟ ଅଭିଯୁକ୍ତ ହେଉଛନ୍ତି ସଂଜୀବ ଚାୱଲା । ତେବେ ସେ ଫିକ୍ସିଂ ଅଭିଯୋଗକୁ ବାରମ୍ବାର ଖଣ୍ଡନ କରିଆସୁଥିଲେ । ଏବେ ଦିଲ୍ଲୀ ପୁଲିସ୍ ତାଙ୍କ ବିରୋଧରେ ସଦ୍ୟତମ ଚାର୍ଜସିଟ୍ ଦାଖଲ କରିଛି । ଏଥିରେ କୁହାଯାଇଛି ଯେ, ତଦନ୍ତ କାର୍ଯ୍ୟରେ ଚାୱାଲା ସହଯୋଗ କରୁନାହାନ୍ତି । ଏହା ତାଙ୍କ ସମ୍ପୃକ୍ତିର ପ୍ରମାଣ ଦେଉଛି ବୋଲି ଚାର୍ଜସିଟରେ କୁହାଯାଇଛି । ଟ୍ରାଏଲ୍ କୋର୍ଟ ଅପ୍ରେଲ୍ ୩୦ ତାରିଖରେ ଜାମିନ୍ ଆଦେଶ ଦେଇଥିଲେ । ଏହା ଉପରେ ହାଇକୋର୍ଟ ସ୍ଥଗିତାଦେଶ ଦେଇ ନଥିଲେ । ଏହା ସତ୍ତ୍ୱେ ତିହାର ଜେଲ୍‌ରୁ ଚଳିତ ମାସ ଚାୱଲା ମୁକୁଳିଥିଲେ । ଏହି ଘଟଣା ପରେ ଦିଲ୍ଲୀ ପୁଲିସ୍ ମଇ ୧୩ ତାରିଖରେ ସୁପ୍ରିମ୍‌କୋର୍ଟର ଦ୍ୱାରସ୍ଥ ହୋଇଥିଲା । ଦିଲ୍ଲୀ ପୁଲିସ୍ ତା\’ର ପିଟିସନ୍‌ରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ୍ କରିଛି । ଆସନ୍ତା ମାସରେ ସୁପ୍ରିମ୍‌କୋର୍ଟ ଏହି ପିଟିସନ୍ ଉପରେ ଶୁଣାଣି କରିବେ । ଏହି ମ୍ୟାଚ୍ ଫିକ୍ସିଂ ମାମଲାର ଅନ୍ୟ ଅଭିଯୁକ୍ତମାନେ ହେଉଛନ୍ତି କ୍ରିଷ୍ଣ କୁମାର, ରାଜେଶ କଲ୍ରା ଓ ସୁନୀଲ୍ ଦାରା । ସେମାନେ ମଧ୍ୟ ଜାମିନରେ ଅଛନ୍ତି । ଜାୱଲା ଓ ଅନ୍ୟ ଅଭିଯୁକ୍ତମାନଙ୍କ ଭୂମିକା ସଂପର୍କରେ ଚାର୍ଜସିଟରେ ବିସ୍ତୃତ ବିବରଣୀ ଦିଆଯାଇଛି । ପ୍ରକାଶଥାଉକି, ଏହି ଫିକ୍ସିଂ ଘଟଣା ଉପରେ ଦକ୍ଷିଣ ଆଫ୍ରିକା ସରକାରଙ୍କ ଦ୍ୱାରା ନିଯୁକ୍ତ କିଙ୍ଗ୍ କମିଶନ ନିକଟରେ କ୍ରୋନିଏ ତାଙ୍କର ଅପରାଧ ସ୍ୱୀକାର କରିଥିଲେ । ଖରାପ ପ୍ରଦର୍ଶନ ପାଇଁ ସେ ବ୍ରୋକରମାନଙ୍କଠାରୁ ଟଙ୍କା ଗ୍ରହଣ କରିଥିବା ମାନିଥିଲେ । ଏହି ଘଟଣା କ୍ରୋନିଏଙ୍କ କ୍ୟାରିୟରକୁ ଶକ୍ତ ଧକ୍କା ଦେଇଥିଲା । ୨୦୦୨ରେ ଏକ ବିମାନ ଦୁର୍ଘଟଣାରେ କ୍ରୋନିଏଙ୍କ ମୃତ୍ୟୁ ଘଟିଥିଲା । ଦିଲ୍ଳୀରେ ଜନ୍ମିତ ଚାୱଲା ଲଣ୍ଡନ ଯାଇ ସେଠାରେ ବସବାସ କରିଥିଲେ ଏବଂ ବ୍ରିଟେନର ନାଗରିକତ୍ୱ ମଧ୍ୟ ପାଇଥିଲେ । ଚଳିତ ବର୍ଷ ଫେବୃଆରୀରେ ଦିଲ୍ଲୀ କୋର୍ଟଙ୍କ ଆଦେଶ ବଳରେ ତାଙ୍କୁ ବ୍ରିଟେନ୍‌ରୁ ଭାରତକୁ ଅଣାଯାଇଥିଲା । ଚାୱଲା ତଦନ୍ତ କାର୍ଯ୍ୟରେ ଆଦୌ ସହଯୋଗ କରୁନାହାନ୍ତିି ବୋଲି ଚାର୍ଜସିଟ୍‌ରେ ଦୃଢ଼ ଅଭିଯୋଗ ରହିଛି ।

hiranchal ad1
Leave A Reply

Your email address will not be published.

14 − ten =