ସମ୍ବଲପୁର ଶୀତଳଷଷ୍ଠୀ ଉତ୍ସବ ଉତ୍ସାହ ବିହୀନ

0 104

ସମ୍ବଲପୁର: ସମ୍ବଲପୁର ଇତିହାସ ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ସମଗ୍ର ପଶ୍ଚିମାଞ୍ଚଳରେ ସବୁଠାରୁ ବଡ ଆକର୍ଷଣର କେନ୍ଦ୍ର ରୂପେ ପରିଗଣିତ । ଏହି ଅବସରରେ ପ୍ରାୟ ୪ଲକ୍ଷରୁ ଅଧିକ ଦର୍ଶକ ଏଥିପାଇଁ ଏକତ୍ରିତ ହୁଅନ୍ତି ଓ ଉପଭୋଗ କରନ୍ତି । ପ୍ରାୟ ସାତହଜାର କଳାକାର ସେମାନଙ୍କ ମନୋରଞ୍ଜନ କରନ୍ତି । ଏଥର କିନ୍ତୁ ସେସବୁ ଉତ୍ସାହରେ ଭଟ୍ଟା ପଡିଯାଇଛି । କାରଣ କରୋନା ସଂକ୍ରମଣ ଭୟରେ ଜିଲ୍ଲାପ୍ରଶାସନ କୌଣସି ଯାତ୍ରା ଉତ୍ସବ ପାଳନ ଅନୁମତି ଦେବାପାଇଁ ମନା କରିଦେଇଛି । ପରଂପରା ଦୃଷ୍ଟିରୁ ଜ୍ୟେଷ୍ଠ ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ପ୍ରାୟ ସବୁ ଶିବମନ୍ଦିରରେ ଦେବଦେବ ମହାଦେବ ଓ ଜଗତଜନନୀ ପାର୍ବତୀଙ୍କ ବିବାହ ଉଣା ଅଧିକେ ପାଳନ କରାଯାଏ । ଏହି ପରିପ୍ରେକ୍ଷୀରେ ତିନୋଟି ପ୍ରମୁଖ ଶିବାଳୟରେ ଏହା ମହାଆଡମ୍ବର ସହକାରେ ପାଳନ କରାଯିବାର ପରଂପରା ରହିଛି ଓ ଗତ ଦଶନ୍ଧି ଖଣ୍ଡେ ହେଲା ଆଉ ଦୁଇଟି ମନ୍ଦିର ଏହି ସୂଚୀରେ ସାମିଲ ହୋଇଛି ।

hiring

ଏଣୁ ଶୀତଳଷଷ୍ଠୀ ଅବସରରେ ସମଗ୍ର ସମ୍ବଲପୁର ଉତ୍ସବ ମୁଖରିତ ହୋଇଯାଇଥାଏ ଓ ଏହାକୁ ଉପଭୋଗ କରିବାପାଇଁ ପ୍ରାୟ ସବୁ ଘରେ ଝିଅଜ୍ୱାଇଁ ସହିତ ଅତିଥି ଆଗମନ ହୋଇଥାଏ । ପ୍ରାରମ୍ଭିକ ସମୟରେ ପ୍ରଶାସନ ପକ୍ଷରୁ ମୌନ ସ୍ୱୀକୃତି ମିଳିଥିଲା କିନ୍ତୁ ଇତିମଧ୍ୟରେ ଜିଲ୍ଲାରେ ୫ଟି କରୋନା ପଜିଟିଭ ମାମଲା ଚିହ୍ନଟ ହେବାରୁ ପ୍ରଶାସନ ଉତ୍ସବ ପାଳନ ପାଇଁ ରୋକଠୋକ ଭାବେ ମନାକରିଛି । ଗତକାଲିଠାରୁ ପତରପେଣ୍ଡି ଆରମ୍ଭ ହୋଇଯାଇଛି ଏଥିରେ ମହାଦେବଙ୍କ ସହିତ ବିବାହ ପାଇଁ କନ୍ୟା ଖୋଜାଯାଏ । ଏହି ଉତ୍ସବର ଶୁଭାରମ୍ଭ ଅକ୍ଷୟ ତୃତୀୟା ଦିନଠାରୁ ହୋଇଥାଏ ଯାହାକି ତାଳଉଠା ରୂପେ ପରିଚିତ । ସେଦିନ ବରପକ୍ଷ ଓ କନ୍ୟାପିତା ହେବାପାଇଁ ଇଚ୍ଛୁକ ଦଂପତ୍ତିଙ୍କ ଚୟନ ହୋଇଥାଏ । ପତରପେଣ୍ଡି ପରେ ହନୁମାନ ନିୟୁତାରେ ହନୁମାନ ନିଜେ ସମସ୍ତ ସ୍ଥାନୀୟ ମନ୍ଦିର ପହଞ୍ଚି ଦେବାଦେବୀଙ୍କୁ ବିବାହ ନିମନ୍ତ୍ରଣ ଦିଅନ୍ତି । ତହିଁ ପରଦିନ ବରଯାତ୍ରୀ ଦଳ ସହିତ କନ୍ୟାପିତାଙ୍କ ଘରେ ପହଞ୍ଚି ବିବାହୋତ୍ସବ ସଂପନ୍ନ ହେବାପରେ ନବବିବାହିତ ଦଂପତ୍ତି ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ କରନ୍ତି । ସେହିଦିନ ରାତିରେ ନବବିବାହିତ ଦଂପତ୍ତି ନଗର ପରିକ୍ରମା କରନ୍ତି ଓ ସେମାନଙ୍କ ସହିତ ଆଡମ୍ବର ସହକାରେ ବିଭିନ୍ନ ନାଚଗୀତର ଆସର ଚାଲିଥାଏ । ଏଥର ସେସବୁ ତ କିଛି ହୋଇପାରିବ ନାହିଁ କିନ୍ତୁ ଆୟୋଜକମାନେ ଚାହୁଁଛନ୍ତି ଯେ ଦେବଦଂପତିଙ୍କ ସ୍ୱମନ୍ଦିର ପ୍ରତ୍ୟାବର୍ତ୍ତନ ପରେ ଭକ୍ତଙ୍କ ଦର୍ଶନ ପାଇଁ ପ୍ରଶାସନ ଅନୁମତି ଦେଉ ହେଲେ ପ୍ରଶାସନ ଏଥିପାଇଁ ମଧ୍ୟ କୁଣ୍ଠିତ ଜଣାପଡୁଛି ।

hiranchal ad1
Leave A Reply

Your email address will not be published.

five × three =