ସପ୍ତାହେ ଡେରିରେ ଏମିରେଟ୍ସ ଯିବେ ଆଇପିଏଲ୍‌ ଟିମ୍‌

0 66

ମୁମ୍ବାଇ : ସଂଯୁକ୍ତ ଆରବ ଏମିରେଟ୍ସରେ ଆଇପିଏଲ୍‌ ଟୁର୍ଣ୍ରାମେଣ୍ଟ ପାଇଁ ଖେଳସୂଚୀ ଚୂଡ଼ାନ୍ତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ସରକାରୀ ଅନୁମତି ମଧ୍ୟ ମିଳିଛି । କିନ୍ତୁ ଔପଚାରିକ ଘୋଷଣା ବାକି ଅଛି । ଏ ଦୃଷ୍ଟିରୁ ଦଳଗୁଡ଼ିକ ଆଗୁଆ ଏମିରେଟ୍ସ ଯାଇ ଅଭ୍ୟାସ ଆରମ୍ଭ କରିବାକୁ ଚାହୁଁଛନ୍ତି । କିନ୍ତୁ ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ଗସ୍ତକୁ ଅତିକମ୍‌ରେ ଏକ ସପ୍ତାହ ଘୁଞ୍ଚାଇବା ଲାଗି ଆଇପିଏଲ୍‌ ଗଭର୍ଣ୍ଣିଂ କାଉନସିଲ୍‌ ଚାହୁଁଛି । ଏ ନେଇ ପରିଷଦ ଦଳଗୁଡ଼ିକୁ ଜଣାଇ ଦେଇଛି । ଅତିକମ୍‌ରେ ଅଗଷ୍ଟ ୨୦ ସୁଦ୍ଧା ଗସ୍ତ କରିବା ଲାଗି ଦଳଗୁଡ଼ିକୁ କୁହାଯାଇଛି । ତେବେ ଦଳଗୁଡ଼ିକ ଏ ସଂପର୍କରେ ସେମାନଙ୍କର ମତାମତ ଦେଇନାହାନ୍ତି । ଗତକାଲି ଅନୁଷ୍ଠିତ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକରେ ଖେଳସୂଚୀ ଏବଂ ଫାଇନାଲ୍‌ ମ୍ୟାଚ୍‌ର ତାରିଖ ଉପରେ ଦୀର୍ଘ ସମୟ ଧରି ଆଲୋଚନା ହୋଇଥିଲା । ନଭେମ୍ବର ୮ ପରିବର୍ତ୍ତେ ୧୦ ତାରିଖରେ ଫାଇନାଲ୍‌ ମ୍ୟାଚ୍‌ ହେବାକୁ ଚୂଡ଼ାନ୍ତ ହୋଇଛି । ସେହିପରି କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସମସ୍ତ ପ୍ରକାର କଟକଣାର ମୁକାବିଲା କରିବା ସକାଶେ ଫ୍ରାଞ୍ଚାଇଜ୍‌ମାନଙ୍କୁ ଯଥେଷ୍ଟ ସମୟ ମିଳିବ । ମ୍ୟାଚ୍‌ ମଧ୍ୟରେ ଉପଯୁକ୍ତ ବ୍ୟବଧାନ ରହିଛି ବୋଲି ସେକହିଛନ୍ତି । ତେବେ ଷ୍ଟାଡିୟମ୍‌ରେ ଦର୍ଶକମାନଙ୍କୁ ମ୍ୟାଚ୍‌ ଦେଖିବାର ସୁଯୋଗ ମିଳିବ କି ନାହିଁ, ତାହା ଏମିରେଟ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ସହ ଆଲୋଚନା ପରେ ସ୍ପଷ୍ଟ କରାଯିବ ବୋଲି ସେ କହିଛନ୍ତି । ସେ କହିଛନ୍ତି, ଆମେ ମଧ୍ୟ ଚାହୁଁଛୁ ଯେ ଖେଳାଳିମାନଙ୍କୁ ଚିୟର୍‌ଅପ୍‌ କରିବା ସକାଶେ ଦର୍ଶକ ଷ୍ଟାଡିୟମ୍‌ରେ ମ୍ୟାଚ୍‌ ଦେଖନ୍ତୁ । କିନ୍ତୁ ଖେଳାଳଙ୍କ ସ୍ୱାସ୍ଥ୍ୟଗତ ସୁରକ୍ଷା ଆମର ପ୍ରାଥମିକତା ହୋଇଥିବାରୁ ଏହା ଉପରେ ଯଥେଷ୍ଟ ବିଚାର ବିମର୍ଶ ପରେ ହିଁ ନିଷ୍ପତ୍ତି ନିଆଯିବ ବୋଲି ବିସିସିଆଇ ଅଧିକାରୀ ଜଣକ କହିଛନ୍ତି । ସେହିପରି ୟୁଏଇରେ ନିର୍ଦ୍ଧାରିତ ସମୟରେ ପହଞ୍ଚିବା ସକାଶେ ଫ୍ରାଞ୍ଚାଇଜ୍‌ମାନଙ୍କୁ ଭିସା ପ୍ରକ୍ରିୟା ଆରମ୍ଭ କରିବାକୁ କୁହାଯାଇଛି । ଏହାଛଡ଼ା କ୍ରୀଡ଼ା ମନ୍ତ୍ରଣାଳୟରୁ ଅନୁମତି ମିଳିସାରିଥିବା ବେଳେ ଅନ୍ୟାନ୍ୟ ବିଭାଗ ମଧ୍ୟ ସକାରାତ୍ମକ ନିଷ୍ପତ୍ତି ନେବେ ବୋଲି ସେ ଆଶା କରିଛନ୍ତି ।
ସେହିପରି ଦେଶରେ ଚୀନ୍‌ ବିରୋଧୀ ମନୋଭାବ ଅଧିକ ତୀବ୍ର ହେଉଥିବାରୁ ଭିଭୋକୁ ଟାଇଟଲ୍‌ ସ୍ପନ୍‌ସର୍‌ ଦାୟିତ୍ୱରୁ ହଟାଇବା ପାଇଁ ବିସିସିଆଇ ଉପରେ ଚାପ ଥିଲା । କିନ୍ତୁ ରବିବାର ବୈଠକରେ ଏହି ଚୀନୀ ମୋବାଇଲ୍‌ ହ୍ୟାଣ୍ଡ୍‌ସେଟ୍‌ ଉତ୍ପାଦନକାରୀ କମ୍ପାନୀ ଟାଇଟଲ୍‌ ସ୍ପନ୍‌ସର୍‌ ଭାବେ କାଏମ ରହିବ ବୋଲି ନିଷ୍ପତ୍ତି ହୋଇଛି । ସ୍ପନଶର୍‌ଶିପ୍‌ ଚୁକ୍ତି ଓ ମାଲିକାନା ପ୍ୟାଟର୍ଣ୍ଣ ଏବଂ ଆଇନଗତ ପରାମର୍ଶ ପରେ ଭିଭୋକୁ କାଏମ ରଖିବା ସପକ୍ଷରେ ନିଷ୍ପତ୍ତି ହୋଇଥିବା ଜନୈକ ବିସିସିଆଇ ଅଧିକାରୀ କହିଛନ୍ତି । ଏଥିସହ ଆଇପିଏଲ୍‌ର ସମସ୍ତ ସ୍ପନ୍‌ଶର୍‌ଙ୍କୁ କାଏମ ରଖାଯିବାକୁ ନିଷ୍ପତ୍ତି ହୋଇଛି । ସେହିପରି ପ୍ରତି ଦଳରେ ସର୍ବାଧିକ ୨୪ ଜଣ ଖେଳାଳିଙ୍କୁ ସାମିଲ୍‌ କରିବା ସକାଶେ ଫ୍ରାଞ୍ଚାଇଜିମାନଙ୍କୁ କୁହାଯାଇଛି ।

hiranchal ad1
Leave A Reply

Your email address will not be published.

seventeen − 2 =