ଦୁର୍ନୀତିଖୋରଙ୍କୁ ଉଚିତ୍ ଶିକ୍ଷା ମିଳିଛି: ରମିଜ୍ ରାଜା

0 103

ଇସଲାମାବାଦ : ଗତକାଲି ପାକିସ୍ତାନର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଉମର ଅକମଲଙ୍କୁ ତିନି ବର୍ଷ ପାଇଁ ବାସନ୍ତ କରାଯାଇଛି । ଏହି ପରିପ୍ରେକ୍ଷୀରେ ପାକିସ୍ତାନର ପୂର୍ବତନ ଅଧିନାୟକ ରମିଜ୍ ରାଜା ତାଙ୍କ ବକ୍ତବ୍ୟରେ କହିଛନ୍ତି ଯେ, ଏଭଳି ଦୁର୍ନୀତିଖୋର ବ୍ୟକ୍ତିଙ୍କୁ ଉଚିତ୍ ଶିକ୍ଷା ଦେବା ଉଚିତ୍ । ଏପରିକି ପୂର୍ବତନ ଅଧିନାୟକ ଜାଭେଦ୍ ମିଆଁଦାଦ୍ ଦୋଷୀଙ୍କୁ ଫାଶୀଖୁଣ୍ଟରେ ଝୁଲାଇ ଦେବା ଉଚିତ ବୋଲି ମଧ୍ୟ କହିଥିଲେ । ଏହାଛଡ଼ା ଅଲ୍‌ରାଉଣ୍ଡର୍ ମହମ୍ମଦ ହାଫିଜ୍ ଓ ଶାହିଦ୍ ଆଫ୍ରିଦି ଦୁର୍ନୀତିଗ୍ରସ୍ତ ଖେଳାଳିଙ୍କୁ ଆଜୀବନ ବାସନ୍ଦ କରିବା ଉଚିତ ବୋଲି ମଧ୍ୟ କହିଥିଲେ । ସୂଚନାଯୋଗ୍ୟ, ପାକିସ୍ତାନ ସୁପର୍ ଲିଗ୍ (ପିଏସ୍‌ଏଲ୍‌)ର ପଞ୍ଚମ ସଂସ୍କରଣରେ ଉମର୍‌ଙ୍କୁ ଦୁଇ ଦୁଇ ଥର ସ୍ପଟ୍ ଫିକ୍ସିଂ ପାଇଁ ବୁକିମାନେ ଯୋଗାଯୋଗ କରିଥିଲେ ହେଁ ସେ ଏନେଇ ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ଦୁର୍ନୀତି ନିବାରଣ ଅଧିକାରୀଙ୍କୁ ଅବଗତ କରାଇ ନ ଥିଲେ । ତେଣୁ ତାଙ୍କୁ ଏପରି ଦୁର୍ନୀତିପୂର୍ଣ୍ଣ ଆଚରଣ ପାଇଁ ପିସିବି ଶୃଙ୍ଖଳା କମିଟି ପକ୍ଷରୁ ବାସନ୍ଦ କରାଯାଇଛି । ଗତ ଫେବୃଆରୀ ୨୦ ତାରିଖରେ ସାମୟିକ ଭାବେ ବାସନ୍ଦ ହୋଇଥିବା ଉମର୍ ଏହି ଅବଧି ମଧ୍ୟରେ କୌଣସି ପ୍ରକାର କ୍ରିକେଟ୍ ଖେଳିବାର ସୁଯୋଗ ପାଇବେ ନାହିଁ । ପିଏସ୍‌ଏଲ୍‌ରେ କ୍ୱେଟା ଗ୍ଲାଡିଏଟର୍ସ ପକ୍ଷରୁ ଖେଳିଥିବା ଉମର୍ ପିସିବି ଦୁର୍ନୀତି ନିବାରଣ ସଂହିତାର ଧାରା ୨.୪.୪ ଉଲ୍ଲଙ୍ଘନ କରିଥିବା ଅଭିଯୋଗ ପ୍ରମାଣିତ ହୋଇଛି । ପୂର୍ବରୁ ଉମର୍‌ଙ୍କୁ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କାରଣ ଦର୍ଶାଅ ନୋଟିସ୍‌ର ଜବାବ ଦେବା ସକାଶେ ସମୟ ଦିଆଯାଇଥିଲେ ହେଁ ସେ କୌଣସି ପ୍ରକାର ଦଣ୍ଡାଦେଶକୁ ଚାଲେଞ୍ଜ୍ କରିବେ ନାହିଁ ବୋଲି କହିଥିଲେ । ଏହାପରେ ପିସିବି ଏହି ମାମଲାକୁ ଲାହୋର୍ ହାଇକୋର୍ଟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ଫଜଲ୍‌- ଏ-ମିରାନ୍ ଚୌହାନ୍‌ଙ୍କ ନେତୃତ୍ୱାଧୀନ ଶୃଙ୍ଖଳା କମିଟି ନିକଟକୁ ପଠାଇଦେଇଥିଲା । ସୋମବାର ଉମର୍‌ଙ୍କୁ ୩ ବର୍ଷ ବାସନ୍ଦ କରାଯିବା ପରେ ସେ ପିଏସ୍‌ଏଲ୍‌ର ଦ୍ୱିତୀୟ ଖେଳାଳି ଭାବେ ବାସନ୍ଦାଦେଶର ଶିକାର ହୋଇଛନ୍ତି । ପୂର୍ବରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଶର୍ଜିଲ୍ ଖାନ୍‌ଙ୍କୁ ପିଏସ୍‌ଏଲ୍‌ର ଚତୁର୍ଥ ସଂସ୍କରଣରେ ସ୍ପଟ୍ ଫିକ୍ସିଂ କରିବା ନେଇ ଅଭିଯୋଗ ପ୍ରମାଣିତ ହେବା ପରେ ୫ ବର୍ଷ ପାଇଁ ବାସନ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ ପିଏସ୍‌ଏଲ୍‌ରେ ସ୍ପଟ୍ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିବା ପରେ ଦେଶର ପ୍ରମୁଖ କ୍ରିକେଟର୍‌ମାନେ ଅଭିଯୁକ୍ତମାନଙ୍କ ଦୋଷ ସାବ୍ୟସ୍ତ ହେଲେ, ସେମାନଙ୍କୁ ଦୃଷ୍ଟାନ୍ତମୂଳକ ଦଣ୍ଡ ବିଧାନ କରିବା ସକାଶେ ଦାବି କରିଆସୁଥିଲେ ।

hiranchal ad1
Leave A Reply

Your email address will not be published.

sixteen − 5 =