ବିଶ୍ୱକପ୍‌ରେ ପ୍ରଥମ ଥର ପାକିସ୍ତାନଠାରୁ ହାରିଲା ଟିମ୍‌ ଇଣ୍ଡିଆ, ପରାଜୟର ପାଞ୍ଚଟି ବଡ଼ କାରଣ

0 238

ଦୁବାଇ : ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍‌ ଷ୍ଟାଡିୟମରେ ଚାଲିଥିବା ଟି -୨୦ ବିଶ୍ୱକପ ୨୦୨୧ ଏକ ମ୍ୟାଚରେ ପାକିସ୍ତାନ ଦଳ ଭାରତକୁ ୧୦ ୱିକେଟରେ ପରାସ୍ତ କରିଛି । ବିଶ୍ୱକପରେ ୬-୦ ରେକର୍ଡ ନିଜ ନାମରେ କରିବାକୁ ଓହ୍ଲାଇଥିବା ଭାରତୀୟ ଦଳ ଦେଶର କ୍ରିକେଟ ପ୍ରେମୀଙ୍କୁ ନିରାଶ କରିଥିଲେ । ପ୍ରଥମେ ରୋହିତ ଶର୍ମା, କେ.ଏଲ୍‌ ରାହୁଲଙ୍କ ଭଳି ବ୍ୟାଟ୍ସମ୍ୟାନ୍‌ ନିରାଶ କରିଥିଲେ, ପରେ ବୋଲରମାନେ ମଧ୍ୟ ନିରାଶ କରିଥିଲେ । କ୍ରିକେଟ୍‌ ପାଣ୍ଡିମାନେ ଭାରତୀୟ ବୋଲିଂ ଆକ୍ରମଣକୁ ପ୍ରଶଂସା କରନ୍ତି କିନ୍ତୁ ଦଳ ଗତକାଲିର ମ୍ୟାଚରେ ଗୋଟିଏ ବି ୱିକେଟ ନେଇପାରିନଥିଲା ଯାହା ଦୁର୍ଭାଗ୍ୟଜନକ । ବାବର ଆଜାମ ଏବଂ ମହମ୍ମଦ ରିଜୱାନଙ୍କ ଓପନିଂ ଯୋଡି ଭାରତ ଦେଇଥିବା ୧୫୨ ରନ୍‌ର ଟାର୍ଗେଟକୁ ସହଜରେ ଅତିକ୍ରମ କରିଯାଇଥିଲେ । ଏହି ପରାଜୟ ସହିତ ବିଶ୍ୱକପରେ ପଡୋଶୀ ଦେଶ ବିପକ୍ଷରେ କେବେ ନହାରିବାର ୨୯ ବର୍ଷ ପୁରୁଣା ରେକର୍ଡ ମଧ୍ୟ ଭାଙ୍ଗି ଯାଇଛି ।
ଗୁରୁତ୍ୱପୂର୍ଣ୍ଣ ଟସ୍‌ ଜିତିଥିଲେ ବାବର
ଦୁବାଇର ରେକର୍ଡକୁ ବିଚାର କରି ଟସ୍‌ ର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବିବେଚନା କରାଯାଉଥିଲା । ପ୍ରାୟ ସବୁବେଳେ ଟସ୍‌ ହାରୁଥିବା ଅଧିନାୟକ ବିରାଟ କୋହଲି ଗତକାଲି ମ୍ୟାଚରେ ମଧ୍ୟ ଟସ୍‌ ଜିତିପାରିନଥିଲେ । ଟସ୍‌ ପାକିସ୍ତାନ ଅଧିନାୟକ ବାବର ଆଜାମଙ୍କ ସପକ୍ଷରେ ପଡିଥିଲା ଏବଂ ସେ ବିନା ଦ୍ୱନ୍ଦ୍ୱରେ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ଦୁବାଇରେ ରନ୍‌ ପିଛା କରିବା ଦଳ ସର୍ବଦା ଲାଭଦାୟକ ହୋଇଥାଏ ଓ ତାହା ମଧ୍ୟ ଗତକାଲିର ମ୍ୟାଚରେ ଦେଖିବାକୁ ମିଳିଥିଲା । ସେହିପରି କାକରର ପଡିବା ହେତୁ ଦ୍ୱିତୀୟ ଇନିଂସରେ ବ୍ୟାଟିଂ ମଧ୍ୟ ସହଜ ହୋଇଥିଲା ।
ରୋହିତ-ରାହୁଲଙ୍କ ଫ୍ଲପ୍‌ ସୋ
ପାକିସ୍ତାନ ବିପକ୍ଷ ଏହି ବଡ ମ୍ୟାଚରେ ସମସ୍ତଙ୍କ ନଜର ଟିମ୍‌ ଇଣ୍ଡିଆର ଓପନିଂ ଯୋଡି ରୋହିତ ଶର୍ମା ଏବଂ କେ.ଏଲ୍‌ ରାହୁଲଙ୍କ ଉପରେ ଥିଲା । ଦଳକୁ ଏକ ଜବରଦସ୍ତ ଆରମ୍ଭ କରିବା ପାଇଁ ଉଭୟଙ୍କ ଦାୟିତ୍ୱ ଥିଲେ । କିନ୍ତୁ, ହିଟମ୍ୟାନ୍‌ଙ୍କ ବ୍ୟାଟ୍‌ରୁ ରନ୍‌ ବାହାରିଲା ନାହିଁ କିମ୍ବା ରାହୁଲ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ପ୍ରଦର୍ଶନ କରିପାରିଲେନାହିଁ । ଖାତା ନ ଖୋଲି ରୋହିତ ପ୍ରଥମ ବଲରେ ଆଉଟ ହୋଇଯାଇଥିବାବେଳେ ରାହୁଲ ୮ ଟି ବଲରେ ୩ ରନ୍‌ ସ୍କୋର କରିବା ପରେ ଶାହିନ୍‌ ଆଫ୍ରିଦିଙ୍କ ଦ୍ୱାରା କ୍ଲିନ୍‌ ବୋଲ୍ଡ ହୋଇଥିଲେ । ରୋହିତ-ରାହୁଲଙ୍କ ୱିକେଟ୍‌ ଆରମ୍ଭରୁ ଟିମ୍‌ ଇଣ୍ଡିଆକୁ ପଛକୁ ଠେଲି ଦେଇଥିଲା ଏବଂ ପୁରା ମ୍ୟାଚରେ ଭାରତୀୟ ଦଳ ପ୍ରତ୍ୟାବର୍ତ୍ତନ କରିପାରି ନଥିଲା ।
ସୂର୍ଯ୍ୟକୁମାର, ହାର୍ଦ୍ଦିକଙ୍କ ବ୍ୟାଟ୍‌ରୁ ମଧ୍ୟ ରନ୍‌ ବାହାରିନଥିଲା
ରୋହିତ ଏବଂ ରାହୁଲଙ୍କ ୱିକେଟ୍‌ ହରାଇବା ପରେ କ୍ରିଜକୁ ଆସିଥିବା ସୂର୍ଯ୍ୟକୁମାର ଯାଦବ ଭଲ ଆରମ୍ଭ କରିଥିଲେ ମଧ୍ୟ ହାସନ ଅଲିଙ୍କ ଏକ ବଲରେ ସେ ଭୁଲ କରିଥିଲେ । ସୂର୍ଯ୍ୟକୁମାର କେବଳ ୧୧ ରନ୍‌ ସ୍କୋର କରିପାରିଥିଲେ । ଏଥି ସହିତ ବିରାଟଙ୍କ ଆଉଟ ହେବା ପରେ ଦଳ ଶେଷ ଓଭରରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଦ୍ରୁତ ସଟ୍‌ ଆବଶ୍ୟକ କରୁଥିଲା, କିନ୍ତୁ ହାର୍ଦ୍ଦିକ ବ୍ୟାଟ୍‌ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିଥିଲା । ରବିନ୍ଦ୍ର ଜାଡେଜାଙ୍କ ବ୍ୟାଟ୍‌ ମଧ୍ୟ ଚୁପ୍‌ ରହିଥିଲେ । ସେ ୧୩ ବଲରେ ୧୩ ରନ୍‌ ସ୍କୋର କରିବା ପରେ ପାଭିଲିୟନକୁ ଫେରିଥିଲେ । ଏହି ତିନି ବ୍ୟାଟ୍ସମ୍ୟାନଙ୍କ ଫ୍ଲପ୍‌ ସୋ ଯୋଗୁଁ ଅଧିନାୟକ ବିରାଟ କୋହଲିଙ୍କ କଠିନ ପରିଶ୍ରମ ମଧ୍ୟ ନଷ୍ଟ ହୋଇଯାଇଥିଲା ଏବଂ ଦଳ ଯେଉଁ ଆଶା ରଖି ପଡିଆକୁ ଓହ୍ଲାଇଥିଲା ସେଥିରେ ଦଳ ସଫଳ ହୋଇନଥିଲା ।
ପ୍ରଥମରୁ ୱିକେଟ୍‌ ମିଳିନଥିଲା
ଯେତେବେଳେ ବିରାଟ କୋହଲି ବାହିନୀ ୧୫୨ ରନ୍‌ର ଟାର୍ଗେଟକୁ ରକ୍ଷା କରିବାକୁ ପଡ଼ିଆକୁ ଓହ୍ଲାଇଥିଲା, ସେତେବେଳେ ପାୱାରପ୍ଲେ ଭିତରେ ଦଳକୁ ଶୀଘ୍ର ଦୁଇରୁ ତିନି ୱିକେଟ୍‌ ହାସଲ କରିବାର ଥିଲା । କିନ୍ତୁ, ବ୍ୟାଟ୍ସମ୍ୟାନ୍‌ଙ୍କ ପରେ ଦଳର ବୋଲରମାନେ ମଧ୍ୟ ଦୁବାଇରେ ବହୁତ ନିରାଶ କରିଥିଲେ । ଭୁବନେଶ୍ୱର କୁମାର, ମହମ୍ମଦ ଶାମି ଏବଂ ଜସପ୍ରୀତ ବୁମ୍ରା ପାୱାରପ୍ଲେରେ କୌଣସି ୱିକେଟ୍‌ ନେଇପାରିନଥିଲେ ଏବଂ ତିନିଜଣ ଏକାଠି ରନ୍‌ ଉପରେ ଚେକ୍‌ ମଧ୍ୟ ଦେଇପାରିନଥିଲେ । ବାବର ଆଜାମ ଏବଂ ମହମ୍ମଦ ରିଜୱାନ ଆରମ୍ଭରୁ ଆକ୍ରମଣାତ୍ମକ ମନୋଭାବ ପ୍ରଦର୍ଶନ କରିଥିଲେ ଏବଂ କ୍ରିଜରେ ସ୍ଥିର ହେବା ପରେ ପ୍ରତ୍ୟେକ ଭାରତୀୟ ବୋଲରଙ୍କୁ ସହଜରେ ଖେଳିଥିଲେ ।
ଦଳ ଚୟନ ଆହୁରି ଭଲ ହୋଇଥାନ୍ତା
ପାକିସ୍ତାନ ବିପକ୍ଷରେ ଅପମାନଜନକ ପରାଜୟ ପରେ ଅନେକ ପୂର୍ବତନ କ୍ରିକେଟର ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆର ମନୋନୀତ ଏକାଦଶ ଖେଳାଳିଙ୍କ ଉପରେ ପ୍ରଶ୍ନ ଉଠାଇଥିଲେ । ୱାର୍ମ ଅପ୍‌ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍‌ଙ୍କୁ ବାନ୍ଧି ରଖିଥିବା ରବିଚନ୍ଦ୍ରନ୍‌ ଅଶ୍ୱିନ୍‌ଙ୍କ ଅଭିଜ୍ଞତା ଅଧିନାୟକ କୋହଲିଙ୍କ କାମରେ ଆସିଥାନ୍ତା । ବଲ ସହିତ ଉତ୍କୃଷ୍ଟ ଫର୍ମରେ ଥିବା ଶାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଦଳରୁ ଦୂରେଇ ରଖାଯାଇଥିଲା । ସାମ୍ପ୍ରତିକ ଫର୍ମକୁ ବିଚାରକୁ ନେଇ ଇଶାନ କିଶନ ଏହି ମ୍ୟାଚରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅପେକ୍ଷା ଜଣେ ଭଲ ଫିନିଶର ହୋଇପାରିଥାନ୍ତେ ।

hiranchal ad1
Leave A Reply

Your email address will not be published.

7 − 4 =