ଭାରତ-ଜାପାନ ମଧ୍ୟରେ ହେବ ପ୍ରଥମ ଐତିହାସିକ ଟି୨୦ ମ୍ୟାଚ

0 61

ନୂଆଦିଲ୍ଲୀ,୦୪/୦୯: ଭାରତ ଏବଂ ଜାପାନ ମଧ୍ୟରେ ଖେଳାଯିବ ଏକ ଐତିହାସିକ କ୍ରିକେଟ୍ ମ୍ୟାଚ୍ । ଜାପାନ ବିପକ୍ଷରେ ହେବାକୁ ଥିବା ଏହି ମ୍ୟାଚ୍ର କ୍ରିଡାସୂଚୀ ଶୁକ୍ରବାର ଘୋଷଣା କରିଛି ବିସିସିଆଇ । ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ଅବସରରେ ଏହି ମ୍ୟାଚ୍ ଖେଳାଯିବ । ୨୦୨୬ ସେପ୍‌ଟେମ୍ବର ୨୨ ତାରିଖରେ ଜାପାନର ତୋଚିଗି ପ୍ରଦେଶସ୍ଥିତ ସାନୋ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଗ୍ରାଉଣ୍ଡରେ ଏହି ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳାଯିବ । ଏହି ମ୍ୟାଚକୁ ନେଇ ବିସିସିଆଇ ପକ୍ଷରୁ ଜାରି ବିବୃତ୍ତିରେ କୁହାଯାଇଛି ଯେ, ଭାରତ-ଜାପାନ କୂଟନୈତିକ ସମ୍ପର୍କର ୭୫ତମ ବାର୍ଷିକୀ ଉତ୍ସବର ଶୁଭାରମ୍ଭ ପାଇଁ ଉଭୟ ଦେଶର ପୁରୁଷ ଦଳ ଏକ ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ଖେଳିବେ ।
ଭାରତ ଏବଂ ଜାପାନ ମଧ୍ୟରେ ଏହା ହେବ ପ୍ରଥମ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ । ଅର୍ଥାତ୍ ପୂର୍ବରୁ କୌଣସି ଫର୍ମାଟରେ ଅନ୍ତର୍ଜାତୀୟ ସ୍ତରରେ ଉଭୟ ଦଳ ପରସ୍ପର ବିପକ୍ଷରେ ଖେଳିନାହାନ୍ତି । ଗୋଟିଏ ପଟେ ବିଶ୍ୱର ଶ୍ରେଷ୍ଠ କ୍ରିକେଟ୍ ଦଳଗୁଡ଼ିକ ମଧ୍ୟରେ ଥିବା ଟିମ୍ ଇଣ୍ଡିଆ ରହିବ । ଅନ୍ୟପଟେ ଅନ୍ତର୍ଜାତୀୟ କ୍ରିକେଟରେ ଏପର୍ଯ୍ୟନ୍ତ ବେଶୀ ନାଁ କରିପାରିନଥିବା ଜାପାନ ଦଳ ରହିବ । ତେଣୁ ଏହି ମୁକାବିଲା କ୍ରିକେଟ୍ ପ୍ରଶଂସକଙ୍କ ପାଇଁ ବେଶ୍ ରୋଚକ ହେବାକୁ ଯାଉଛି । ବିସିସିଆଇ ପକ୍ଷରୁ ଆହୁରି କୁହାଯାଇଛି ଯେ, ଏହି ମ୍ୟାଚ୍ ‘ସ୍ପୋର୍ଟ ୭୫’ ପଦକ୍ଷେପର ପ୍ରଥମ ପର୍ଯ୍ୟାୟ ହେବ । ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କ ମଧ୍ୟରେ ହୋଇଥିବା ବୈଠକରେ ଏନେଇ ସହମତି ପ୍ରକାଶ ପାଇଥିଲା । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି କ୍ରୀଡ଼ା କ୍ଷେତ୍ରରେ ଭାରତ ଓ ଜାପାନ ମଧ୍ୟରେ ଲୋକଙ୍କ ମଧ୍ୟରେ ଆଦାନପ୍ରଦାନ ଏବଂ ସହଯୋଗକୁ ବଢ଼ାଇବା । ଏଥିସହ ୨୦୩୬ ଅଲିମ୍ପିକ୍ସ ଓ ପାରାଲିମ୍ପିକ୍ସ ଆୟୋଜନ କରିବା ପାଇଁ ଭାରତର ଆକାଂକ୍ଷାକୁ ମଧ୍ୟ ଏହି ପଦକ୍ଷେପରେ ଗୁରୁତ୍ୱ ଦିଆଯାଉଛି ।
ଭାରତ-ଜାପାନ ମ୍ୟାଚକୁ ନେଇ ବିସିସିଆଇ ସଚିବ ଦେବଜିତ ସୈକିଆ କହିଛନ୍ତି ଯେ, ଏହି ଐତିହାସିକ ଅବସରର ଅଂଶ ହୋଇ ବୋର୍ଡ ବେଶ୍ ଖୁସି । ଭାରତ ଓ ଜାପାନର ପୁରୁଷ ଦଳ ଜାପାନରେ ଏକ ସ୍ୱତନ୍ତ୍ର ଟି୨୦ ଇଣ୍ଟରନ୍ୟାସନାଲ ମ୍ୟାଚ୍ ପାଇଁ ଏକାଠି ହେବେ । ତାଙ୍କ କହିବା ଅନୁଯାୟୀ, ଏହା କ୍ରିକେଟ୍ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ମୁହୂର୍ତ୍ତ । ଏହା ମାଧ୍ୟମରେ ଭାରତୀୟ ଦଳ ଏକ ନୂଆ ସ୍ଥାନକୁ ଯିବାର ସୁଯୋଗ ପାଇବା ସହ ଜାପାନ ଏବଂ ପୂର୍ବ ଏସିଆରେ ଅଧିକ ଲୋକଙ୍କ ନିକଟରେ କ୍ରିକେଟକୁ ପହଞ୍ଚାଇବାର ସୁଯୋଗ ମିଳିବ ।

hiranchal ad1
Leave A Reply

Your email address will not be published.

fourteen − one =