ଆଜି ରାତି ୮ଟାରୁ ରବିବାର ରାତି ୮ଟା ଭୁବନେଶ୍ୱର ଓ ଭଦ୍ରକ ସଟ୍‌ଡାଉନ୍‌

0 666

ଭୁବନେଶ୍ୱର: ରାଜ୍ୟରେ କରୋନା ମୁକାବିଲା ପାଇଁ ରାଜ୍ୟ ସରକାର ଆଜି ଅପ୍ରତ୍ୟାଶିତ ଭାବରେ ଏକ କଠୋର ନିଷ୍ପତ୍ତି ନେଇଛନ୍ତି । ପଞ୍ଚମ ସଂକ୍ରମିତ ବ୍ୟକ୍ତିର ବିଲକ୍ଷଣରୁ ସରକାରଙ୍କୁ ଏଭଳି ନିଷ୍ପତ୍ତି ନେବାକୁ ପଡ଼ିଛି ବୋଲି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆଜି ରାତି ୮ଟାରୁ ଆସନ୍ତା ୪୮ ଘଣ୍ଟା ଅର୍ଥାତ୍ ରବିବାର ରାତି ୮ଟା ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱର ଓ ଭଦ୍ରକ ସହର ସଟ୍‌ଡାଉନ୍ ରହିବ । ଲକଡାଉନ୍ ଠାରୁ ସଟ୍‌ଡାଉନ୍‌ର ପାର୍ଥକ୍ୟ ସମ୍ପର୍କରେ ସୂଚନା ରଖି ସେ କହିଲେ ଯେ, ସଟ୍‌ଡାଉନ୍ ସମୟରେ ଗ୍ରୋସରି, ସବୁଜ ପନିପରିବା, ଦୁଗ୍ଧ ଓ ଦୁଗ୍ଧଜାତ ସାମଗ୍ରୀ ଦୋକାନ ମଧ୍ୟ ବନ୍ଦ ରହିବ । ଘରୁ ବାହାରିଲେ ଏହାକୁ ବେଆଇନ୍ ବିବେଚନା କରାଯିବା ସହିତ ଅର୍ଥ ଜରିମାନା ଓ ଦଣ୍ଡର ବ୍ୟବସ୍ଥା ରହିବ । ପୁଲିସ୍ ମହାନିର୍ଦ୍ଦେଶକ ଅଭୟ ଏ ସଂପର୍କରେ କହିଛନ୍ତି ଯେ, ସଟ୍‌ଡାଉନ୍ କର୍ଫ୍ୟୁ ଭଳି ଏକ ଆଇନଗତ ବ୍ୟବସ୍ଥା । ସଟ୍‌ଡାଉନ୍ ବେଳେ ଗ୍ରୋସରି, ପଳ, ପନିପରିବା, ମାଛ, ଅଣ୍ଡା, ମାଂସ, ଦୁଗ୍ଧଜାତ ସାମଗ୍ରୀ ସମସ୍ତ ଦୋକାନ ବନ୍ଦ ରହିବ । ଜରୁରୀ ପରିସ୍ଥିତିରେ ହସ୍ପିଟାଲ ଯିବା ପାଇଁ ଆମ୍ବୁଲାନ୍ସ ସଂଖ୍ୟା ବଢ଼ାଯିବ । ପୂର୍ବରୁ ପୁଲିସ୍ ଦ୍ୱାରା ପ୍ରଦାନ କରାଯାଇଥିବା ସମସ୍ତ ଜରୁରୀକାଳୀନ ସେବା ପାଇଁ ପାସ୍‌ଗୁଡ଼ିକୁ ଏହି ବ୍ୟବସ୍ଥାରେ ରଦ୍ଦ କରାଯାଇଛି । ଏଣୁ କୌଣସି ବ୍ୟକ୍ତି ୪୮ ଘଣ୍ଟା ମଧ୍ୟରେ ଘରୁ ନବାହାରିବା ପାଇଁ ସେ କଡ଼ା ସୂଚନା ଦେଇଛନ୍ତି । ପୁଲିସ୍ ଘରୁ ବାହାରେ ଦେଖିଲେ ଉଠାଇ ନେବା ପାଇଁ କୁହାଯାଇଛି ଏବଂ ସେହି ବ୍ୟକ୍ତିଙ୍କୁ ସରକାରୀ ବ୍ୟବସ୍ଥାରେ ୧୪ ଦିନ କ୍ୱାରେଣ୍ଟାଇନରେ ରଖାଯିବ । ଏହା ବ୍ୟତୀତ ସେହି ବ୍ୟକ୍ତିଙ୍କ ବିରୋଧରେ ଆବଶ୍ୟକ ପଡ଼ିଲେ ମାମଲା ମଧ୍ୟ ରୁଜୁ କରାଯିବ । ଏଣୁ କରୋନା ବିରୋଧରେ ଲଢ଼ିବା ପାଇଁ ଆମକୁ ଏହି ସରକାରୀ ନିର୍ଦ୍ଦେଶକୁ ଶତପ୍ରତିଶତ ମାନିବାକୁ ପଡ଼ିବ । ଅତି ଜରୁରୀ ନଥିଲେ ହସ୍ପିଟାଲ ମଧ୍ୟ ଯିବାକୁ ଦିଆଯିବ ନାହିଁ । ଅନୁମତି ନେଇ ହସ୍ପିଟାଲ ଜଣେ ବ୍ୟକ୍ତି ଯାଇପାରିବ । ତେବେ ଜାତୀୟ ରାଜପଥରେ ମାଲ୍‌ବାହୀ ଗାଡ଼ି ପୂର୍ବଭଳି ଯାତାୟତ କରିପାରିବ । ସେଥିରେ ବାଧା ଦିଆଯିବ ନାହିଁ । ଉଲ୍ଲେଖଯୋଗ୍ୟ ଯେ, ପଞ୍ଚମ ସଂକ୍ରମିତ ବ୍ୟକ୍ତି ଯିଏକି ଭୁବନେଶ୍ୱର ସୂର୍ଯ୍ୟନଗରରର । ସେ ବିଦେଶରୁ ଫେରିନଥିଲେ କିମ୍ବା ଅନ୍ୟ ରାଜ୍ୟରୁ ଭୁବନେଶ୍ୱର ଫେରି ନଥିଲେ । ଏହା ସତ୍ତ୍ୱେ ତାଙ୍କ ପାଖରେ କରୋନା ବିଲକ୍ଷଣ ଦେଖାଯିବାରୁ ଏଭଳି ନିଷ୍ପତ୍ତି ନିଆଯାଇ ଭୂତାଣୁକୁ ରୋକାଯିବା ସଂପର୍କରେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ ତଥ୍ୟ ଆଧାରରେ ନିଷ୍ପତ୍ତି ନିଆଯାଇଛି ।

hiranchal ad1
Leave A Reply

Your email address will not be published.

three × 1 =