କିଟ୍‍ ଓ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ

0 631

ଭୁବନେଶ୍ୱର : କିଟ୍‍ ବିଶ୍ୱବିଦ୍ୟାଳୟ ଓ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ମଧ୍ୟରେ ଶିକ୍ଷା କ୍ଷେତ୍ରରେ ସହଯୋଗ ଦିଗରେ ରବିବାର ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି । କିଟ୍‍ ବିଶ୍ୱବିଦ୍ୟାଳୟର ସ୍କୁଲ୍‍ ଅଫ୍‍ ଆର୍କିଟେକ୍ଟ ଏବଂ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ଲ୍ୟାଣ୍ଡ ଇକୋନୋମି ଆଣ୍ଡ ସେଣ୍ଟର ଅଫ୍‍ ଡେଭେଲପ୍‍ମେଣ୍ଟ ଷ୍ଟଡିଜ୍‍ ବିଭାଗ ମଧ୍ୟରେ ଏହି ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କିଟ୍‍ ପକ୍ଷରୁ ସ୍କୁଲ୍‍ ଅଫ୍‍ ଆର୍କିଟେକ୍‍ଟର ନିର୍ଦ୍ଦେଶକ ପ୍ରଫେସର ଏସ୍‍ ଏସ୍‍ ରାୟ ଓ କେମ୍ବ୍ରିଜ୍‍ ବିଶ୍ୱବିଦ୍ୟାଳୟ ପକ୍ଷରୁ ଡ. ଶୈଳଜା ଫେନେଲ୍‍ ଏହି ବୁଝାମଣା ପତ୍ରରେ ସ୍ୱାକ୍ଷର କରିଥିଲେ । ଏହି କାର୍ଯ୍ୟକ୍ରମରେ କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଏବଂ ଉପକୁଳାଧିପତି ପ୍ରଫେସର ଡା. ସୁବ୍ରତ ଆଚାର୍ଯ୍ୟ ଉପସ୍ଥିତ ଥିଲେ । ଏହି ବୁଝାମଣାପତ୍ର ଅନୁଯାୟୀ ଉଭୟ ଅନୁଷ୍ଠାନ ମିଳିତ ଭାବେ ଅଧ୍ୟାପକ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉପଯୁକ୍ତ ଶୈକ୍ଷିକ କାର୍ଯ୍ୟକ୍ରମ ବିକଶିତ କରିବେ । ଏହା ବ୍ୟତୀତ ଉଭୟ ବିଶ୍ୱବିଦ୍ୟାଳୟ ମିଳିତ ଗବେଷଣା, ସାଂସ୍କୃତିକ ବିନିମୟ ଏବଂ ମିଳିତ ଭାବେ ପାଠ୍ୟକ୍ରମ ବିକଶିତ କରିବା ସହ ଶିକ୍ଷାଦାନ, ଆଲୋଚନାଚକ୍ର, କର୍ମଶାଳା ଆୟୋଜନ କରିବେ । ଏହି ଦୁଇ ବିଶ୍ୱବିଦ୍ୟାଳୟ ଶୈକ୍ଷିକ ବିକାଶ ଓ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବା ପାଇଁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ହାତକୁ ନେବେ । ଏହି ଅବସରରେ ଡ. ଫେନେଲ୍‍ କହିଲେ, ଗ୍ରାମାଞ୍ଚଳର ଯୁବକ ଯୁବତୀଙ୍କ ବିକାଶ ନିମନ୍ତେ ସ୍ମାର୍ଟ ସିଟି ଭଳି ସ୍ମାର୍ଟ ଭିଲେଜର ଆବଶ୍ୟକତା ରହିଛି । ଏହି ଦୁଇ ବିଶ୍ୱବିଦ୍ୟାଳୟ ମିଳିତ ଭାବେ କନ୍ଧମାଳ ଆଦି ବିଭିନ୍ନ ଜିଲ୍ଲାରେ ଗ୍ରାମାଞ୍ଚଳଗୁଡ଼ିକର ବିକାଶ ନିମନ୍ତେ ସମସ୍ୟାର ସ୍ଥାୟୀ ସ୍ମାର୍ଟ ସମାଧାନ ଉପରେ କାର୍ଯ୍ୟ କରିବେ । ଉଭୟ ବିଶ୍ୱବିଦ୍ୟାଳୟ ମଧ୍ୟରେ ହୋଇଥିବା ଏହି ବୁଝାମଣା ଯୋଗୁଁ ଉଭୟ ଅନୁଷ୍ଠାନର ଅଧ୍ୟାପକ ଓ ଛାତ୍ରଛାତ୍ରୀ ଉଚ୍ଚତର ଶିକ୍ଷା ଓ ଗବେଷଣା କ୍ଷେତ୍ରରେ ଲାଭବାନ ହୋଇପାରିବେ ବୋଲି ଶ୍ରୀ ରାୟ କହିଥିଲେ ।

hiranchal ad1
Leave A Reply

Your email address will not be published.

11 + ten =