କେନ୍ଦ୍ରର ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକା ପ୍ରସଂଗ : ସଂସଦରେ ଦାବି ଉଠାଇଲେ ଅଚ୍ୟୁତ ସାମନ୍ତ

0 882

ଭୁବନେଶ୍ୱର ,୧୯/୭(ସ୍ୱ.ପ୍ର): କେନ୍ଦ୍ର ସରକାରଙ୍କ ଦ୍ୱାରା ଘୋଷିତ ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ଓଡ଼ିଶାର ଗୋଟିଏ ହେଲେ ବି ପର୍ଯ୍ୟଟନସ୍ଥଳୀ ସ୍ଥାନ ପାଇ ନଥିବାରୁ ସେଥିନେଇ ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଉଦ୍ବେଗ ପ୍ରକାଶ କରିବା ସହ ଓଡିଶାର ସ୍ୱାର୍ଥ ଓ ସ୍ୱାଭିମାନ ରକ୍ଷା ପାଇଁ ତାଲିକାରେ ଓଡିଶାର ପର୍ଯ୍ୟଟନସ୍ଥଳୀକୁ ସାମିଲ କରିବା ଲାଗି କେନ୍ଦ୍ର ନିକଟରେ ଦାବି ରଖିଥିଲେ । ସେହି ଦାବିକୁ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତ ଲୋକସଭାରେ ଦୃଢ ଭାବେ ଉପସ୍ଥାପନ କରିଛନ୍ତି । ଗୁରୁବାର ଗୃହରେ ସ୍ୱତନ୍ତ୍ର ଜିରୋ ଆୱାରରେ ଡଃ ସାମନ୍ତଙ୍କୁ ଏହି ପ୍ରସଙ୍ଗ ଉପରେ କହିବା ଲାଗି ବାଚସ୍ପତି ସୁଯୋଗ ଦେଇଥିଲେ । ଏହାପରେ ଡ. ସାମନ୍ତ ବାଚସ୍ପତିଙ୍କୁ କୃତଜ୍ଞତା ଜଣାଇ ତାଙ୍କର ବକ୍ତବ୍ୟ ରଖିଥିଲେ । ସେ କହିଥିଲେ ଯେ, କେନ୍ଦ୍ର ବଜେଟରେ ଘୋଷିତ ଆଇକନିକ୍ ପର୍ଯ୍ୟଟନସ୍ଥଳୀ ତାଲିକାରେ ୧୭ଟି ପର୍ଯ୍ୟଟନ କେନ୍ଦ୍ର ସ୍ଥାନ ପାଇଛି । କିନ୍ତୁ ଆଶ୍ଚର୍ଯ୍ୟର ବିଷୟ ଯେ, ଓଡ଼ିଶାରେ ଅନେକ ଗୁରୁତ୍ୱପୂର୍ଣ୍ଣ ଓ ବିଶ୍ୱଚର୍ଚ୍ଚିତ ପର୍ଯ୍ୟଟନସ୍ଥଳୀ ଥିଲେ ମଧ୍ୟ ଗୋଟିଏ ବି ସେଥିରେ ସାମିଲ୍ ହୋଇନାହିଁ । ଏହା ଓଡ଼ିଶାର ଚାରିକୋଟି ୫୦ ଲକ୍ଷ ଲୋକଙ୍କୁ ଗଭୀର ଭାବରେ ଦୁଃଖିତ କରିଛି । କେନ୍ଦ୍ର ସରକାରଙ୍କର ଏଭଳି ତାଲିକା ପ୍ରସ୍ତୁତି ଓଡ଼ିଶାର ଲୋକଙ୍କୁ ବ୍ୟଥିତ ଓ ମର୍ମାହତ କରିଛି । ଓଡ଼ିଶା ହେଉଛି ଅନେକ ଅବିଶ୍ୱସନୀୟ ଓ ବିସ୍ମୟଜନକ ପର୍ଯ୍ୟଟନସ୍ଥଳୀର ଗନ୍ତାଘର । ଓଡ଼ିଶାରେ ଚିଲିକା, ଲଳିତଗିରି, ଉଦୟଗିରି, ଭିତରକନିକା, କୋଣାର୍କ ସୂର୍ଯ୍ୟ ମନ୍ଦିର, ଶ୍ରୀମନ୍ଦିର ଭଳି ଅନେକ ପର୍ଯ୍ୟଟନ କେନ୍ଦ୍ର ବା ସ୍ଥଳୀ ରହିଛି । କୋଣାର୍କ ସୂର୍ଯ୍ୟ ମନ୍ଦିର ବିଶ୍ୱ ଐତିହ୍ୟ ମାନଚିତ୍ରରେ ସ୍ଥାନ ପାଇଥିଲେ ମଧ୍ୟ କେନ୍ଦ୍ର ସରକାରଙ୍କର ଏହି ଆଇକନିକ୍ ଟୁରିଷ୍ଟ ଡେଷ୍ଟିନେସନ୍ ନାମ ତାଲିକାରେ ସ୍ଥାନ ନପାଇବା ସବୁଠୁ ବଡ଼ ଆଶ୍ଚର୍ଯ୍ୟର ବିଷୟ । ଏଣୁ କେନ୍ଦ୍ର ସରକାର ଯଥାଶୀଘ୍ର ଏହି ପ୍ରସଙ୍ଗ ଉପରେ ଗଭୀର ଭାବରେ ବିଚାର କରି ଓଡ଼ିଶାରୁ ଅତିକମ୍ରେ ଦୁଇ/ତିନୋଟି ପର୍ଯ୍ୟଟନସ୍ଥଳୀକୁ ଆଇକନିକ୍ ଟୁରିଷ୍ଟ ଡେଷ୍ଟିନେସନ୍ ନାମ ତାଲିକାରେ ନାମିତ କରିବା ଲାଗି ସେ ଦାବି ଉପସ୍ଥାପନ କରିଛନ୍ତି । ଏଭଳି ଦାବି ଉପସ୍ଥାପନ ପରେ ଇତିମଧ୍ୟରେ କେନ୍ଦ୍ର ପର୍ଯ୍ୟଟନ ବିଭାଗ ମନ୍ତ୍ରୀ ଡ. ସାମନ୍ତଙ୍କୁ ଆଲୋଚନା ପାଇଁ ଡକାଇଥିଲେ । ତଦନୁସାରେ ଡ. ସାମନ୍ତ ଶୁକ୍ରବାର କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କୁ ଭେଟି ଏ ସଂପର୍କରେ ଆଲୋଚନା କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କର ଏହି ପ୍ରସଙ୍ଗ ସଂପର୍କିତ ଦାବି ଉପସ୍ଥାପନ କରିଥିଲେ । ଲୋକସଭାରେ ଏହି ପ୍ରସଙ୍ଗ ଉପରେ ଡ. ସାମନ୍ତଙ୍କ ଦାବି ଉପସ୍ଥାପନ ଏବଂ ଏହାପରେ କେନ୍ଦ୍ରମନ୍ତ୍ରୀଙ୍କ ସହିତ ତାଙ୍କର ଆଲୋଚନାକୁ ନେଇ ବିଭିନ୍ନ ମହଲରେ ଆନନ୍ଦ ପ୍ରକାଶ ପାଇଛି । ସ୍ୱତନ୍ତ୍ର ଜିରୋ ଆୱାରରେ ଏହି ପ୍ରସଙ୍ଗ ଉପରେ ତାଙ୍କୁ ବକ୍ତବ୍ୟ ରଖିବା ଲାଗି ବାଚସ୍ପତି ସୁଯୋଗ ଦେବା ଏକ ଖୁସିର ବିଷୟ ବୋଲି କୁହାଯାଇଛି ।

hiring

hiranchal ad1
Leave A Reply

Your email address will not be published.

2 × 5 =