ଆସ୍ଥାଭୋଟ ଜିଣିଲେ ୟେଦିୟୁରପ୍ପା

0 625


ନୂଆଦିଲ୍ଲୀ : ଆଜି କର୍ଣ୍ଣାଟକ ବିଧାନସଭାରେ ହୋଇଥିବା ଆସ୍ଥାଭୋଟରେ ବିଏସ୍ ୟେଦିୟୁରପ୍ପା ସରକାର ବିଜୟୀ ହୋଇଛନ୍ତି । ଏଥିସହିତ ରାଜନୈତିକ ସସ୍ପେନ୍ସର ଅବସାନ ଘଟିଛି । ଗୋଟିଏ ପଟେ ସରକାର ଆସ୍ଥା ଭୋଟରେ ଜିଣିଥିବା ବେଳେ ଅନ୍ୟପଟେ ବାଚସ୍ପତି କେ.ଆର୍. ରମେଶ କୁମାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି । ବାଚନିକ ଭୋଟରେ ୟେଦିୟୁରପ୍ପା ୧୦୫ ବିଧାୟକଙ୍କ ସମର୍ଥନ ପାଇଛନ୍ତି । ଏହା ପୂର୍ବରୁ ଗତକାଲି ବାଚସ୍ପତି ୧୪ଜଣ ବିଦ୍ରୋହୀ ବିଧାୟକଙ୍କୁ ଅଯୋଗ୍ୟ ଘୋଷିତ କରିଥିଲେ । ତା’ପୂର୍ବରୁ ତିନିଜଣ ବିଧାୟକ ମଧ୍ୟ ଅଯୋଗ୍ୟ ଘୋଷିତ ହୋଇଥିଲେ । ଏହାକୁ ମିଶାଇ ସଭ୍ୟପଦ ହରାଇଥିବା ବିଧାୟକଙ୍କ ସଂଖ୍ୟା ୧୭ ହୋଇଛି । ଏହି ପରିପ୍ରେକ୍ଷୀରେ ୟେଦିୟୁରପ୍ପାଙ୍କ ବିଜୟ ସହଜ ହୋଇଉଠିଥିଲା । ଆଜି ବାଚନିକ ଆସ୍ଥା ଭୋଟ ହୋଇଥିଲା ବେଳେ ବିରୋଧୀ ଦଳ ଭୋଟିଂ ପାଇଁ ଦାବି କରିନଥିଲେ । ତେବେ ସରକାରଙ୍କର ସମର୍ଥନ ସଂଖ୍ୟା ନେଇ କଂଗ୍ରେସ ପ୍ରଶ୍ନ ଉଠାଇଛି । ଆସ୍ଥା ଭୋଟ ଜିତିବା ପରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ସେ ବିରୋଧୀ ଦଳଙ୍କ ପ୍ରତି କୌଣସି ପ୍ରକାର ପ୍ରତିଶୋଧମୂଳକ ଆଭିମୁଖ୍ୟ ଗ୍ରହଣ କରିବେ ନାହିଁ । ରାଜ୍ୟର ଉନ୍ନତି ପାଇଁ ସେ ବିରୋଧୀ ଦଳଙ୍କଠାରୁ ଗଠନମୂଳକ ସହଯୋଗ ଲୋଡ଼ିବେ । ବିଧାନସଭାରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ପାସ୍ କରାଇବା ତାଙ୍କର ପ୍ରଥମ କାର୍ଯ୍ୟ ହେବ । ଖୁବ୍ଶୀଘ୍ର ସେ ତାଙ୍କର ମନ୍ତ୍ରିମଣ୍ଡଳ ଗଠନ କରିବେ ବୋଲି କହିଛନ୍ତି । ଏପଟେ ବାଚସ୍ପତି ତାଙ୍କ ପଦରୁ ଇସ୍ତଫା ଦେବା ପରେ ଏହା ଖାଲି ପଡ଼ିଛି । ଖୁବ୍ଶୀଘ୍ର ନୂଆ ବାଚସ୍ପତି ନିର୍ବାଚନ ହେବ । ଏବେ ସେ ଉପବାଚସ୍ପତି ଭାବେ କାର୍ଯ୍ୟ କରିବେ । ବିଧାନସଭାରେ ବର୍ତ୍ତମାନ ବିଜେପି ସଦସ୍ୟଙ୍କ ସଂଖ୍ୟା ୧୦୫ ଥିବା ବେଳେ ଜଣେ ସ୍ୱାଧୀନ ବିଧାୟକ ଦଳକୁ ସମର୍ଥନ କରୁଛନ୍ତି । କଂଗ୍ରେସର ସଦସ୍ୟ ସଂଖ୍ୟା ୬୬ ଥିବା ବେଳେ ଜେଡ଼ିଏସ୍ର ସଦସ୍ୟ ସଂଖ୍ୟା ୩୪ । ୧୪ଜଣ ବିଧାୟକ କିଛିଦିନ ତଳେ ଜେଡ଼ିଏସ୍ ବିରୋଧରେ ବିଦ୍ରୋହ ଘୋଷଣା କରି ଇସ୍ତଫା ଦେଇଥିଲେ । ଏହାପରେ ବିଦ୍ରୋହୀଙ୍କ ସଂଖ୍ୟା ୧୭ରେ ପହଞ୍ଚିଥିଲା । ଏଭଳି ସ୍ଥିତିରେ ଆସ୍ଥା ଭୋଟର ଦାବି ଉଠିଥିଲା । କୁମାରସ୍ୱାମୀ ନିଜେ ମଧ୍ୟ ନିଜ ଆଡୁ ଆସ୍ଥା ଭୋଟ ପ୍ରସ୍ତାବ ରଖିଥିଲେ । ଫଳରେ ରାଜ୍ୟପାଳ ତାଙ୍କୁ ଆସ୍ଥାଭୋଟର ସାମ୍ନା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ତେବେ ଏଥିରେ ସେ ବିଫଳ ହୋଇଥିଲେ ।

hiranchal ad1
Leave A Reply

Your email address will not be published.

1 × 2 =