ଜୀବନକୁ ବାଜି ଲଗାଇ କରୋନା ସଚେତନତାର ବାର୍ତ୍ତା ଦେଉଛନ୍ତି ବରିଷ୍ଠ ନାଗରିକ କାଶୀ ମଉଷା

0 635

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଟିକାବାଲି ବ୍ଳକ୍ ଅନ୍ତର୍ଗତ ପାବୁରିଆ ଗ୍ରାମ ପଂଚାୟତର ବାସିନ୍ଦା କାଶିନାଥ ଦଳବେହେରା । ବୟସ ୮୦ରୁ ଉର୍ଦ୍ଧ୍ୱ । ଏହି ବରିଷ୍ଠ ନାଗରିକଙ୍କ ମନରେ ଏବେ କରୋନା ଭୂତାଣୁ ନେଇ ଭୟ ପଶିଛି । ଜନସାଧାରଣ ଯେମିତି ଏହି ଭୂତାଣୁ ଦ୍ୱାରା ଆକ୍ରାନ୍ତ ନହୋଇ ସୁଖରେ ଜୀବନ ଯାପନ କରିପାରିବେ ସେଥିପାଇଁ ସେ ଟିକାବାଲି ବ୍ଳକ୍ ଅନ୍ତର୍ଗତ ପାବୁରିଆ ଓ ବୁର୍ବିନାଜୁ ଗ୍ରାମ ପଂଚାୟତର ଲୋକମାନଙ୍କୁ ନିୟମିତ ସଚେତନ କରୁଛନ୍ତି । କରୋନା ଭୂତାଣୁ ବିଷୟରେ ଶୁଣିବା ପରେ ଏହି ମହାମାରୀ ସମ୍ପର୍କରେ ଜାଣିବା ପାଇଁ ତାଙ୍କର ଆଗ୍ରହ ବଢ଼ିଥିଲା । ଏଥିପାଇଁ ସେ ବିଭିନ୍ନ ସ୍ଥାନରୁ ଖବର ସଂଗ୍ରହ କରି ଏ ଯାଏଁ ଏଥିପାଇଁ କୌଣସି ଔଷଧ ବା ଟୀକା ବାହାରିନଥିବା ଓ ଏହି ମହାମାରୀରୁ ରକ୍ଷା ପାଇବା ପାଇଁ କେବଳ ସଚେତନତା ହିଁ ଅମୋଘ ଅସ୍ତ୍ର ବୋଲି ସେ ଜାଣିପାରିଛନ୍ତି । ବୟସ ଦୃଷ୍ଟିରୁ ନିଜ ପ୍ରତି ସଂକ୍ରମଣର ଭୟ ଥିଲେ ମଧ୍ୟ ଏଥିପ୍ରତି ଭୃକ୍ଷେପ ନକରି ପ୍ରତିଦିନ ଲୋକମାନଙ୍କୁ ସଚେତନତାର ବାର୍ତା ବାଂଟିବାରେ ବ୍ୟସ୍ତ ଅଛନ୍ତି । ସେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସ୍ୱାତୀରୁ ବହୁ ଲିଫ୍‌ଲେଟ ସଂଗ୍ରହ କରି ବିଭିନ୍ନ ଅଂଚଳ ବୁଲି ବୁଲି ଲୋକଙ୍କୁ ବାଂଟୁଛନ୍ତି । ନିଜେ ଲିଫ୍‌ଲେଟ୍ ପଢ଼ିବା ସହ କରୋନାରୁ ନିଜକୁ ସୁରକ୍ଷିତ ରଖିବାର ବହୁ ଉପାୟ ଜାଣିପାରିଛନ୍ତି । ଲୋକଙ୍କୁ ହାତ ଧୂଆ, ସାମାଜିକ ଦୂରତା ରକ୍ଷା କରିବା, ବାହାରୁ ଯଦି କିଏ ଆସନ୍ତି ତାଙ୍କୁ କରୋଂଟାଇନ୍‌ରେ ରଖିବା, ସାଧାରଣ କାଶ, ଥଣ୍ଡା, ଜ୍ୱର କି ଫ୍ଲୁ ଭଳି କିଛି ଦେଖାଦେଲେ ଡାକ୍ତରଖାନା ଯାଇ ଚିକିତ୍ସା କରିବା ଭଳି ଉପାୟ ଲୋକଙ୍କୁ ବୁଝାଉଛନ୍ତି । ଅନ୍ୟମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ, କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ବାର୍ତା ଲୋକମାନଙ୍କ ନିକଟରେ ପହଂଚାଉଛନ୍ତି । ନିଜେ ବଂଚିବା ସହ ଅନ୍ୟକୁ ମଧ୍ୟ ବଂଚିବାର ରାହା ଦେଖାଇବାକୁ ସେ ସର୍ବତା ଅନ୍ୟମାନଙ୍କୁ ପ୍ରବର୍ତାଉଛନ୍ତି । କରୋନା ମୁକାବିଲା ନେଇ ସେ ନିଜ ଅଂଚଳର ଲୋକଙ୍କୁ ସଜାଗ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି । ବିଭିନ୍ନ ଜନଗହଳି ସ୍ଥାନ ବିଶେଷ କରି ବଜାର ଓ ପିଡିଏସ୍ ସାମଗ୍ରୀ ବଂଟାଯାଉଥିବା ସ୍ଥାନରେ ନିଜେ ଉପସ୍ଥିତ ରହି ଲୋକଙ୍କୁ ସାମାଜିକ ଦୂରତା ରକ୍ଷା କରି ସାମଗ୍ରୀ ସଂଗ୍ରହ କରିବାକୁ ଉପଦେଶ ଦେଉଛନ୍ତି । ବୟସର ଶେଷ ସୀମାରେ ପହଂଚିଥିଲେ ମଧ୍ୟ ତାଙ୍କର ଏହି ଦୃଢ଼ ମନୋବଳ ତାଙ୍କୁ ଏ ଦିଗରେ କାମ କରିବାକୁ ଅଟକାଇପାରିନି । ଏଥିପାଇଁ ଅଂଚଳର ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ସମସ୍ତେ ପ୍ରଭାବିତ ହେବା ସହ ସଚେତନ ହୋଇ ତାଙ୍କ ଉପଦେଶ ମାନି ଚଳୁଛନ୍ତି ି । ଯେବେ ବାହାରକୁ ଯିବାକୁ ପଡ଼େ ସାମାଜିକ ଦୂରତା ମାନିବା ସହ ଘରକୁ ଫେରିବା ପରେ ଭଲରେ ବାରମ୍ବାର ନିଜ ହାତ ଧୋଇବା ସହ ହାତ ନଧୋଇ ନାକ, ଆଖି ଓ ପାଟିରେ ମାରୁନାହାନ୍ତି । କାଶିନାଥ ଦଳବେହେରାଙ୍କ ଏହି ପ୍ରୟାସ ଫଳବତୀ ହେବାରେ ଲାଗିଛି ।

hiranchal ad1
Leave A Reply

Your email address will not be published.

2 × three =