ବର୍ଷା ଉଭାନ : କିଆକଟା ଅଞ୍ଚଳରେ ଗଜା ମରୁଡ଼ି ଆଶଙ୍କା

0 776

ଆଠମଲ୍ଲିକ : ଶ୍ରାବଣ ମାସରେ ବୈଶାଖର ତାତି । ଶ୍ରାବଣ ମାସକୁ କଥା କଥାରେ ସାଧାରଣତଃ ଧାରା ଶ୍ରାବଣ କୁହାଯାଏ ଅର୍ଥାତ୍ ଏହି ମାସଯାକ ବର୍ଷା ଲାଗି ରହେ । ଏଭଳି ସମୟରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥାଏ କିନ୍ତୁ ଭାଗ୍ୟର ବିଡମ୍ବନା ଯେ, ଓଡିଶାର ଏଭଳି କେତେକ ଅଂଚଳ ଅଛି ଯେଉଁଠି ବର୍ଷା ସମୟରେ ମରୁଡି ପରିସ୍ଥିତି ସୃଷ୍ଟି ହୋଇଛି । ଏହାର ପ୍ରଭାବ ଧାନ ଚାଷ ଉପରେ ବିଶେଷ ଭାବରେ ପଡିଛି । ଶ୍ରାବଣ ମାସ ଆରମ୍ଭ ହୋଇଯାଇଥିବା ବେଳେ ଏ ଯାଏଁ କିଆକଟ ଅଂଚଳରେ ଧାନତଳି ରୁଆ କାର୍ଯ୍ୟ ଆରମ୍ଭ ହୋଇନାହିଁ । ଯଦି ଆଗାମୀ କିଛି ଦିନ ମଧ୍ୟରେ ବର୍ଷା ନ ହୁଏ, ତେବେ ଏହି ଅଂଚଳରେ ଗଜା ମରୁଡି ହୋଇପାରେ । ଏହି ଅଂଚଳରେ ଗତ ଦୁଇ ସପ୍ତାହ ହେଲାଣି ବର୍ଷାର ଦେଖାଦର୍ଶନ ନାହିଁ । କିଛି ଦିନ ପୂର୍ବରୁ ଅର୍ଥାତ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁର ଆଗମନରେ କିଛି ମାତ୍ରରେ ବର୍ଷା ହୋଇଥିଲା । ଏହି ସମୟରେ ଅଂଚଳର ଚାଷୀମାନେ ଧାନ ତଳି ପକାଇଥିଲେ । ବର୍ଷା ନ ହେବାରୁ ଏବେ ଧାନବିଲ ଫାଟି ଆଁ କଲାଣି । କେତେକ ଧାନ ତଳି ପ୍ରଚଣ୍ଡ ରୌଦ୍ରତାପରେ ପୋଡି ପାଉଁଶ ହେବାକୁ ବସିଲାଣି । ଧାନତଳି ବଞ୍ଚାଇବା ପାଇଁ ଚାଷୀମାନେ ପାଣିପମ୍ପର ସାହାଯ୍ୟ ନେଉଥିବାର ଦେଖିବାକୁ ମିଳୁଛି । କିନ୍ତୁ କେତେକ ସ୍ଥାନରେ ତାହା ମଧ୍ୟ ସୁବିଧା ନାହିଁ । କିଆକଟା ଅଂଚଳରେ ମହାନଦୀରୁ କେତେକ ସ୍ଥାନରେ ଉଠା ଜଳସେଚନର ବ୍ୟବସ୍ଥା ହୋଇଥିଲେ ମଧ୍ୟ ତାହା କେବଳ କାଗଜକଲମରେ ସୀମିତ ରହିଛି । ଯେଉଁ କେତେକ ଚାଲୁଛି ତାହା ସମୁଦ୍ରକୁ ଶଙ୍ଖେ ଭଳି । ଏହି ଅଂଚଳର ଚାଷୀମାନେ କେବଳ ବର୍ଷା ଉପରେ ନିର୍ଭରଶୀଳ । ଯେଉଁ ବର୍ଷ ଭଲ ବର୍ଷା ହୁଏ, ସେହି ବର୍ଷ ହିଁ ଏହି ଅଂଚଳରେ ମଧ୍ୟ ଭଲ ଧାନ ଅମଳ ହୋଇଥାଏ ବୋଲି ଚାଷୀମାନେ କହିଛନ୍ତି । ଏହି ଅଣଜଳସେଚିତ ଅଂଚଳକୁ ନିକଟସ୍ଥ ମାନଜୋର ଡ୍ୟାମରୁ ପାଣି ଯୋଗାଇଦେବାର ଆକଳନ କରାଯାଇଥିଲେ ମଧ୍ୟ ତାହା କେବଳ ସରକାରୀ କାଗଜକଲମରେ ସୀମିତ ହୋଇ ରହିଛି । ଏଣୁ ଏ ଦିଗରେ ପ୍ରଶାସନ ନଜର ଦେବାକୁ ଅଂଚଳବାସୀ ଦୃଢ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

4 × 2 =