ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା

0 58

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ବରସୁଆଁ ରେଞ୍ଜ ଅନ୍ତର୍ଗତ କୋଇଡ଼ା ବ୍ଲକ ଡେଙ୍ଗୁଳା ଗ୍ରାମରେ ଜଣେ ମହିଳାଙ୍କୁ କଚାଡ଼ି ମାରିଲା ଦନ୍ତା। ସ୍ବାମୀ ପରମା ମୁଣ୍ଡା ଓ ସ୍ତ୍ରୀ ସୀତା ମୁଣ୍ଡା ରାତିରେ ଦୁଇ ଛୁଆଙ୍କ ସହ ଘରେ ଶୋଇଥିଲେ। ଗୁରୁବାର ଭୋର୍‌ ସମୟରେ ଗୋଠଛଡ଼ା ଦନ୍ତାହାତୀ ଖାଦ୍ୟ ଅନ୍ବେଷଣରେ ପରମାଙ୍କ ଘର ଭଙ୍ଗାରୁଜା କରିଥିଲା। ଭଙ୍ଗାରୁଜା ଶବ୍ଦ ଶୁଣି ସ୍ବାମୀ ସ୍ତ୍ରୀ ତିନିଟି ଛୁଆଙ୍କୁ ଧରି ଘର ବାହାରକୁ ଦୌଡ଼ି ପଳାଉଥିବା ସମୟରେ ଦନ୍ତାହାତୀଟି ଶୁଣ୍ଢରେ ପଛପଟୁ ସୀତାଙ୍କୁ ଟାଣି ଆଣି ତଳେ କଚାଡ଼ି ଦଳି ଦେଇଥିଲା। ଯାହାଫଳରେ ଘଟଣାସ୍ଥଳରେ ସୀତା ମୁଣ୍ଡା(୩୬)ଙ୍କ ମୃତ୍ୟୁ ଘଟିଥିଲା। ଅଳ୍ପକେ ଛୁଆ ଓ ସ୍ବାମୀ ବଞ୍ଚିଯାଇଛନ୍ତି। କ୍ଷତିପୂରଣ ଦାବି କରି ପରିବାର ଲୋକେ ଟେନ୍‌ସା-କୋଇଡ଼ା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ କୋଇଡା ପୋଲିସ,ବରସୁଆଁ ରେଞ୍ଜ ଅଧିକାରୀ ନବୀନ ପ୍ରଧାନ ଡେଙ୍ଗୁଲା ଫରେଷ୍ଟର କୃଷ୍ଣଚନ୍ଦ୍ର ସାହୁ ଘଟଣାସ୍ଥଳରେ ପହଞ୍ଚି ପରିବାରବର୍ଗଙ୍କୁ ବୁଝାଶୁଝା କରିଥିଲେ। ସରକାରଙ୍କ ନିୟମ ଅନୁଯାୟୀ, ମୃତକଙ୍କ ପରିବାରକୁ ୬ ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ କରାଯିବାର ପ୍ରତିଶ୍ରୁତି ଦିଆଯାଇଛି। ତୁରନ୍ତ ମୃତଦେହ ସତ୍କାର ପାଇଁ ନଗଦ ୫୦ ହଜାର ଟଙ୍କା ପ୍ରଦାନ କରାଯିବା ପରେ ରାସ୍ତାରୋକୋ ହଟିଥିଲା। ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ କୋଇଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲା। ଗତ ୧୦ଦିନ ହେବ ହାତୀଟି କୋଇଡା,ଡେଙ୍ଗୁଳା, କୁଲା, କମଣ୍ଡ, ତନ୍ତରା, ଅଞ୍ଚଳରେ ଆତଙ୍କ ଚଳାଇ ଆସୁଥିଲା।

hiranchal ad1
Leave A Reply

Your email address will not be published.

4 × one =