ନବରଙ୍ଗପୁର ମହାବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର

0 92

ନବରଙ୍ଗପୁର : ଓଡ଼ିଶା ରେଡକ୍ରସଙ୍କ ନିର୍ଦ୍ଦେଶ କ୍ରମେ ନବରଙ୍ଗପୁର ଜିଲ୍ଲା ଯୁବ ରେଡକ୍ରସ ତରଫରୁ ଜିଲ୍ଲା ସ୍ତରୀୟ ଯୁବ ରେଡକ୍ରସ ଶିକ୍ଷା ଓ ତାଲିମ ଶିବିର ଚାଲୁ ରହିଛି । ତିନି ଦିନ ଧରି ହେବାକୁ ଥିବା ଶିବିରରେ ସଭାପତିତ୍ୱ କରି ଅଧ୍ୟକ୍ଷ ଡଃ ଭାସ୍କର ନାଥ ବିଶ୍ୱାଳ ମହାବିଦ୍ୟାଳୟର ଉନ୍ନତିରେ ସମସ୍ତଙ୍କ ସହଯୋଗ ରହିଛି ଓ ପିଲା ମାନଙ୍କର ବୌଦ୍ଧିକ ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଚାଲିଛି ବୋଲି କହିଥିଲେ । ଜିଲ୍ଲାର ୨୫ ଗୋଟି ମହାବିଦ୍ୟାଳୟରୁ ୧୦୦ ଜଣ ସ୍ୱେଚ୍ଛାସେବୀଙ୍କ ସହ ରେଡକ୍ରସ କାଉନସିଲର ଓ ଅଧ୍ୟକ୍ଷମାନେ ଯୋଗଦାନ କରିଛନ୍ତି । ମାନନୀୟ ଜିଲ୍ଲାପାଳ ଡ଼ଃ କମଳ ଲୋଚନ ମିଶ୍ର ଏହି ଶିବିରରେ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରି ଆନୁଷ୍ଠାନିକ ଭାବେ ଶିବିର ଉଦଘାଟନ କରିଥିଲେ । ଏହାସହ ପିଲାମାନଙ୍କୁ ସାଂଗଠନିକ ଭାବରେ ପ୍ରତି କଲେଜରୁ ୨୫ ଜଣ ଲେଖାଏଁ ପିଲାଙ୍କୁ ନେଇ ଫାଷ୍ଟ ଆଡ ତାଲିମ ଦିଆଯିବା ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ରେଡକ୍ରସର ଆଜୀବନ ସଭ୍ୟ ତଥା ଜନପ୍ରିୟ ସମାଜସେବୀ ଜଗନ୍ନାଥ ମହାପାତ୍ର ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶରେ ରେଡକ୍ରସର ଭୂମିକା ଉପରେ ଆଲୋକପାତ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି ଜିଲ୍ଲା ଆପତକାଳୀନ ଅଧିକାରୀ ମୌସୁମୀ ନାୟକ ଯୁବ ରେଡକ୍ରସର ବିକାଶ ନିମନ୍ତେ ସମସ୍ତ ଚେଷ୍ଟା ଜାରି ରହିବ ଓ ଏଥିପାଇଁ ସମସ୍ତ ପ୍ରକାର ପ୍ରଶାସନିକ ସହଯୋଗ ରହିଛି ବୋଲି କହିଥିଲେ । ସମଗ୍ର କାର୍ଯ୍ୟକ୍ରମ ଜିଲ୍ଲା ଯୁବ ରେଡକ୍ରସ ଆବାହକ ଅଧ୍ୟାପକ ଦିଲ୍ଲୀପ କୁମାର ହୋତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅଧ୍ୟାପକ ଶମ୍ଭୁ ପ୍ରସାଦ ହୋତା ଏବଂ ଅଧ୍ୟାପକ ସଚିନ ପଣ୍ଡା ପରିଚାଳନା କରିଥିଲେ । ଜିଲ୍ଲା ଡାକ୍ତରଖାନାରୁ ଡାକ୍ତର ମଳୟ ରଞ୍ଜନ ତ୍ରିପାଠୀ ଓ ଯୁବ ରେଡକ୍ରସ ଜିଲ୍ଲା ସଂଯୋଜକ ଅଖିଳ କୁମାର ଭଟ୍ଟ ସମ୍ବଳ ପ୍ରଶିକ୍ଷକ ଭାବେ ଯୋଗଦେଇ ସ୍ୱେଚ୍ଛାସେବୀଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଉତ୍ସବରେ ମହାବିଦ୍ୟାଳୟର ତଥା ଜିଲ୍ଲାର ମହାବିଦ୍ୟାଳୟ ଗୁଡ଼ିକର ଅଧ୍ୟାପକ ଅଧ୍ୟାପିକା ଓ କର୍ମଚାରୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

3 × two =