କୋଭିଡ କଟକଣାରେ ପାଳିତ ହେବ ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ

0 52

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ଏବେ ଉପରମୁହାଁ । ଦୈନିକ ପଜିଟିଭ ବଢୁଛି । ତା ସାଙ୍ଗକୁ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ମଧ୍ୟ ବଢୁଛି । ଏଭଳି ସ୍ଥିତିକୁ ଦେଖି ରାଜ୍ୟ ସରକାର କଟକଣା ବଢାଇଦେଇଛନ୍ତି । ରାତ୍ରିକାଳୀନ କର୍ଫ୍ୟୁ ସମୟ ରାତି ୯ଟାରୁ ସକାଳ ୬ଟା କରଯାଇଛି । ସଂକ୍ରମଣ ନିୟନ୍ତ୍ରଣ ପାଇଁ ସବୁପ୍ରକାର ଉଦ୍ୟମ ଜାରି ରହିଛି । ଏହି ସଂକ୍ରମଣ ସ୍ଥିତି ଦେଖି ସରକାର ଆସନ୍ତା ସାଧାରଣତନ୍ତ୍ର ଦିବସ ଉତ୍ସବ ନେଇ ଆଜି ଗୁରୁତ୍ୱର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଏହି ନିଷ୍ପତ୍ତି ଅନୁଯାୟୀ,ରାଜ୍ୟସ୍ତରୀୟ ସାଧାରଣତନ୍ତ୍ର ଦିବସ ସଂପୂର୍ଣ୍ଣଭାବେ କୋଭିଡ କଟକଣା ମଧ୍ୟରେ ପାଳନ କରାଯିବ । ଖୁବ୍‌ ସଂକ୍ଷିପ୍ତ ରହିବ ଏହି କାର୍ଯ୍ୟକ୍ରମ ।
ଆଜି ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତି ବୈଠକ ବସିଥିଲା । ଅତିରିକ୍ତ ଶାସନ ସଚିବ, ଗୃହ ବିଭାଗଙ୍କ ଅଧ୍ୟକ୍ଷତାରେ ପୂର୍ବରୁ ଅନୁଷ୍ଠିତ ପ୍ରସ୍ତୁତି ବୈଠକ ଅନୁଯାୟୀ, କୋଭିଡ୍‌ ମାର୍ଗଦର୍ଶିକାର କଡାକଡି ଅନୁପାଳନ ସହ ଆଗାମୀ ଜାନୁଆରି ୨୬ ଉତ୍ସବ ପାଳନ କରାଯିବ । ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ ପ୍ରସ୍ତୁତି ବୈଠକରେ ଅଧ୍ୟକ୍ଷତା କରି ସମସ୍ତ କାର୍ଯ୍ୟସୂଚୀର ଯଥାର୍ଥ କାର୍ଯ୍ୟାନ୍ୱୟନ ସଂପର୍କରେ ନିର୍ଦ୍ଦେଶ ଦେଇଥିଲେ । ପ୍ରତିବର୍ଷ ପରି ମହାତ୍ମା ଗାନ୍ଧୀ ମାର୍ଗରେ ଏହି ଉତ୍ସବ ଅନୁଷ୍ଠିତ ହେବ । ତେବେ ଖୁବ୍‌ ସଂକ୍ଷିପ୍ତ ସମୟରେ ଅନୁଷ୍ଠିତ ହେବ ଏହି କାର୍ଯ୍ୟକ୍ରମ ।

hiring

ଏହି ଉତ୍ସବରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜାତୀୟ ପତାକା ଉତ୍ତୋଳନ କରି ପରେଡ୍‌ରେ ଅଭିବାଦନ ଗ୍ରହଣ କରିବେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ରହିବୋ ସାଧାରଣତନ୍ତ୍ର ଦିବସ ପ୍ରଭାତରେ ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ରାମଧୂନ ପରିକ୍ରମା, ରାଜଭବନରୁ ଏଜି ଛକ ଏବଂ ମହାତ୍ମା ଗାନ୍ଧୀ ମାର୍ଗର ଉତ୍ସବସ୍ଥଳୀ ପର୍ଯ୍ୟନ୍ତ ଜାତୀୟ ପତାକାରେ ସାଜସଜ୍ଜା କରାଯିବା ସାମାଜିକ ଗଣମାଧ୍ୟମ, ଟିଭି ଫଟୋ ଓ ସମ୍ବାଦ ପ୍ରକାଶନ ଏବଂ ଗଣମାଧ୍ୟମକୁ ସମ୍ବାଦ ପ୍ରେରଣ ବ୍ୟବସ୍ଥା କରାଯିବ । ଲୋକସେବା ଭବନ, ରାଜୀବ ଭବନ, ଖାରବେଳ ଭବନ, ବିଧାନସଭା ସୌଧ ଆଦି ରାଜ୍ୟସରକାରଙ୍କ ପ୍ରମୁଖ କାର୍ଯ୍ୟାଳୟଗୁଡିକରେ ଆଲୋକସଜ୍ଜା କରାଯିବ । ମହାନଗର ନିଗମର ପ୍ରମୁଖ ସ୍ଥାନଗୁଡିକରେ ଭିଡିଓ ୱାଲ୍‌ ମାଧ୍ୟମରେ ସମସ୍ତ କାର୍ଯ୍ୟକ୍ରମ ପ୍ରଦର୍ଶନ ହେବ । ଆଜିର ବୈଠକରେ ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସମସ୍ତ କାର୍ଯ୍ୟସୂଚୀ ସଂପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ବୈଠକରେ ନିର୍ଦ୍ଦେଶକ (ବୈଷୟିକ) ନିରଞ୍ଜନ ସେଠୀ, “ଉତ୍କଳ ପ୍ରସଙ୍ଗ’ ଓ “ଓଡିଶା ରିଭ୍ୟୁ’ର ସଂପାଦକ ଡ. ଲେନିନ୍‌ ମହାନ୍ତି, ବିଭାଗୀୟ ଯୁଗ୍ମ ଶାସନ ସଚିବ ବିଷ୍ଣୁପ୍ରିୟା ସାହୁ, ଯୁଗ୍ମ ନିର୍ଦ୍ଦେଶକ, ଉପନିର୍ଦ୍ଦେଶକମାନଙ୍କ ସମେତ ସମସ୍ତ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

13 + 13 =