ବଡବନ୍ଧରେ ବିରାଟ ଘାଇ, ଶହଶହ ଏକର ଚାଷ ଜମି ନଷ୍ଟ

0 291

ହରଭଙ୍ଗା : ବୌଦ୍ଧ ଜିଲ୍ଲାରେ ଦୁଇ ଦିନ ଧରି ଲଗାଣ ବର୍ଷା ଯୋଗୁଁ ଏବେବି ହରଭଙ୍ଗା ବ୍ଲକରେ ବହୁ ଅଂଚଳରେ ବନ୍ୟା ପାଣି ପ୍ରବାହିତ ହେଉଛି । ଏଥିରେ ଲୋକ ଜଳବନ୍ଦୀ ହେବା ସହ ଚାଷ ଜମି ନଷ୍ଟ ହୋଇଛି । ତତ ସହିତ ବିରାମଚନ୍ଦ୍ରପୁର ଗ୍ରାମର ବଡ଼ବନ୍ଧ ହୁଡାରେ ବିରାଟ ଘାଇ ସୃଷ୍ଟି ହୋଇ ରୁଗୁଡ଼ି ସାହି ଭିତରେ ପାଣି ପଶିବା ସହିତ ରାସ୍ତା ଧୋଇ ହୋଇ ଶହଶହ ଏକର ଚାଷ ଜମି ନଷ୍ଟ ହେବା ସହ ଚାଷୀଙ୍କ ଜମିରେ ବାଲିଚର ମାଡି ଯାଇଥିବାର ଦେଖିବାକୁ ମିଳିଛି । ଗ୍ରାମବାସୀଙ୍କ କହିବା ଅନୁସାରେ ଏଆରଏସଏସ ନାମଙ୍କ ଠିକା ସଂସ୍ଥା ମନମୁଖି କାର୍ଯ୍ୟ କରିଉକ୍ତ ବଡ଼ବନ୍ଧ ହୁଡାକୁ ଦୁର୍ବଳ କରି ଦେଇଥିଲା । ଗ୍ରାମବାସୀ ବାରମ୍ବାର ଅଭିଯୋଗ କରି ଆସୁଥିଲେ ମଧ୍ୟ ଉପରୋକ୍ତ ସଂସ୍ଥା କାହାରିକୁ ଖାତିର ନ କରିବା ଫଳରେ ଲଗାଣ ବର୍ଷାରେ ବଡ଼ବନ୍ଧରେ ପାଣି ପୁରି ଯାଇଥିଲା ଓ ଦୁର୍ବଳ ହୁଡା ଭାଙ୍ଗି ଯିବାରୁ ବନ୍ଧରେ ଏବେ ଟୋପେ ବି ପାଣି ନ ଥିବାରୁ ଚାଷ ବ୍ୟାହତ ହେବା ସୁନିଶ୍ଚିତ । ଏହି ବଡ଼ବନ୍ଧ ଖରିଫ ଓ ରବି ଋତୁରେ ପ୍ରାୟ ଦୁଇ ହଜାର ଏକର ଚାଷ ଜମିକୁ ପାଣି ଯୋଗାଇ ଥାଏ । ଚାଷ ସମୟରେ ଖାଲି ବନ୍ଧକୁ ଦେଖି ଚାଷୀ ସମୂହ ମୁଣ୍ଡରେ ହାତ ଦେଇ ବସିଛନ୍ତି । ଏହା କିପରି ବନ୍ଧା ହେବ ଓ ଏହି ବନ୍ଧ ହୁଡା ଭାଙ୍ଗି ଚାଷ ଜମି ନଷ୍ଟ ହେବା ସହ ମାଛ ଚାଷୀ ମୃତ୍ୟୁଞ୍ଜୟ ମିଶ୍ର ଓ ଭକ୍ତ ବେହେରାଙ୍କ ଚାଷ ହୋଇଥିବା ସମସ୍ତ ମାଛ ଚାଲି ଯାଇଥିବାରୁ ବ୍ୟାପକ କ୍ଷତି ହୋଇ ଥିବାର ଅଭିଯୋଗ କରିଛନ୍ତି । ତାସଙ୍ଗେ ସଙ୍ଗେ ଗ୍ରାମ ରାସ୍ତାଟି ଧୋଇହୋଇ ସଂପୂର୍ଣ୍ଣ ନଷ୍ଟ ହୋଇ ଯାଇଥିବାରୁ ଗ୍ରାମବାସୀ ନାହିଁ ନଥିବା ଅସୁବିଧା ଭୋଗ କରୁଛନ୍ତି । ତୁରନ୍ତ ଉକ୍ତ ଘାଇକୁ ମରାମତି କରିବାକୁ ଚାଷୀସମୂହ ଦାବି କରିଛନ୍ତି । ନ ହେଲେ ଆଗାମୀ ଦିନରେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

sixteen − 2 =