ରଥ ଉପରେ ଅଣ ସେବାୟତ ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

0 89

ପୁରୀ: ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକ ପରେ ଗଜପତି ମହାରାଜା ଦିବ୍ୟସିଂହ ଦେବ ପ୍ରତିକ୍ରିୟାରେ କହିଛନ୍ତି ଯେ,ମହାପ୍ରଭୁଙ୍କର ଆଗାମୀ ସ୍ନାନଯାତ୍ରା, ରଥଯାତ୍ରା ଓ ବାହୁଡ଼ାଯାତ୍ରା ନିମନ୍ତେ ନୀତି ନିର୍ଘଣ୍ଟକୁ ମୋହର ମାରିଛି ପରିଚାଳନା କମିଟି । ଦୀଘା ଜଗନ୍ନାଥ ମନ୍ଦିର ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଛନ୍ତି ଗଜପତି । ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରିବା ଜଗନ୍ନାଥ ସଂସ୍କୃତି ବିରୋଧ । ଜଗନ୍ନାଥ ଧାମ କହିଲେ କେବଳ ପୁରୁଷୋତ୍ତମ କ୍ଷେତ୍ର, ଶ୍ରୀକ୍ଷେତ୍ର, ପୁରୀକୁ ବୁଝାଏ । ଦୀଘା ଜଗନ୍ନାଥ ମନ୍ଦିରର ଏଭଳି ନାମକରଣକୁ ନେଇ ଆମେ ଆଶ୍ଚର୍ଯ୍ୟ । ବିଶ୍ୱରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହୋଇଛି । କିନ୍ତୁ ଏଭଳି ନାମକରଣ କେହି କରିନାହାନ୍ତି । କେବଳ ଶ୍ରୀକ୍ଷେତ୍ର ପୁରୀ ହେଉଛି ଜଗନ୍ନାଥ ଧାମ ବୋଲି ପୂର୍ବରୁ ମୁଁ ଏବଂ ଜଗତଗୁରୁ ମତପ୍ରକାଶ କରିଛୁ । ପଶ୍ଚିମବଙ୍ଗ ସରକାରଙ୍କ ନିର୍ଦ୍ଦେଶରେ ହିଁ ଦୀଘା ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାମକରଣ କରାଯାଇଛି । ଶ୍ରୀଜଗନ୍ନାଥ ଧାମ ଶବ୍ଦ ଯେଭଳି ଦୀଘା ମନ୍ଦିରରୁ ତୁରନ୍ତ ହଟିବ ସେନେଇ ରାଜ୍ୟ ସରକାର ମଧ୍ୟ ପଶ୍ଚିମବଙ୍ଗ ସରକାରଙ୍କୁ ଚିଠି ମାଧ୍ୟମରେ ଅବଗତ କରିଛନ୍ତି । ଏନେଇ ରାଜ୍ୟ ସରକାର ତୁରନ୍ତ ପଦକ୍ଷେପ ନେବା ଆବଶ୍ୟକତା ରହିଛି । ଇସ୍କନ ସଂସ୍ଥା ଦାୟିତ୍ୱ ନେଇଥିଲେ ମଧ୍ୟ ସେମାନେ ଏହାକୁ ବାରଣ କରିନଥିବାରୁ ଏହା ଚିନ୍ତାର ବିଷୟ । ମହାପ୍ରଭୁଙ୍କ ପରମ୍ପରାକୁ ବିକୃତ କରିବା, ଉଲ୍ଲଂଘନ କରିବା ଗ୍ରହଣୀୟ ନୁହେଁ । ଇସ୍କନର ଅଦିନିଆ ରଥଯାତ୍ରା ପ୍ରସଙ୍ଗ । ଭାରତ ଭିତରେ ଶ୍ରୀମନ୍ଦିର ପରମ୍ପରା ଅନୁଯାୟୀ ଇସ୍କନ ରଥଯାତ୍ରା କରୁଛି । ୨ ଡ଼ିସେମ୍ବର ୨୦୨୪ ରେ ଏନେଇ ଇସ୍କନ ମୁଖ୍ୟଙ୍କ ସହିତ ଆଲୋଚନା ହୋଇଛି । ଇସ୍କନର ପଣ୍ଡିତ ମାନେ ସେମାନଙ୍କ ତଥ୍ୟ ରଖିଛନ୍ତି । ଖୁବଶୀଘ୍ର ଇସ୍କନର ମତକୁ ଖଣ୍ଡନ କରି ଶ୍ରୀମନ୍ଦିର ପକ୍ଷରୁ ଇସ୍କନକୁ ତଥ୍ୟ ପ୍ରଦାନ କରାଯିବ । ସମସ୍ତ ତଥ୍ୟ ଇସ୍କନକୁ ଦିଆଯିବା ପରେ ସେମାନେ ଆମ ପରମ୍ପରାକୁ ପାଳନ କରିବେ ବୋଲି ଆଶା କରାଯାଉଛି । ଯଦି ଇସ୍କନ ମୁଖ୍ୟ ଏଥିରୁ ନିବୃତ ନରୁହନ୍ତି ତେବେ ଆଗାମୀ କାର୍ଯ୍ୟପନ୍ଥା ଗ୍ରହଣ କରାଯିବ । ଇସ୍କନ ଏକ ଧାର୍ମିକ ସଂସ୍ଥା । ଏଣୁ କୋର୍ଟ କଚେରୀ ନଯାଇ ଆପୋଷ ବୁଝାମଣା ହୋଇ ଏହାର କିଭଳି ସମାଧାନ ହେବ ସେନେଇ ପ୍ରାଧାନ୍ୟ ଦିଆଯିବ ବୋଲି କହିଛନ୍ତି ଗଜପତି । ବୈଠକ ର ନିଷ୍ପତି ଅନୁଯାୟୀ ରଥଯାତ୍ରା ସମୟରେ ରଥ ଉପରେ ଅଣ ସେବାୟତ ରହିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ନିଷ୍ପତ୍ତି ହୋଇଛି ।ଏଥି ସହ ମୋବାଇଲ୍ ବ୍ୟବହାର ଉପରେ ମଧ୍ୟ କଟକଣା ଲାଗିବ ।
ଛତିଶା ନିଯୋଗ ବୈଠକର ରଥ ଯାତ୍ରା ଓ ସ୍ନାନ ଯାତ୍ରାର ନୀତି ନିର୍ଘଣ୍ଟ ଓ ବ୍ୟବସ୍ଥ ।ବଳି ସମ୍ପର୍କରେ ଏହି ବୈଠକ ରେ ଆଲୋଚନା ହେବାସହ ତାହାକୁ ଅନୁମୋଦନ କରାଗଲା ।ଗତ ବର୍ଷ ପହଣ୍ଡି ଅଘଟଣ ର ପୁନରାବୃତ୍ତି ନହେବପାଇଁ ପହଣ୍ଡି ଦଳ ଗଠନ କରାଯିବ ।ପହଣ୍ଡିକୁ ଶୃଙ୍ଖଳିତ କରିବାପାଇଁ ଅଧିକାରୀ ମାନେ ଦାୟିତ୍ୱରେ ରହିବେ ।ବୈଠକ ରେ ଶ୍ରୀମନ୍ଦିର ଜମିଜମା ସଂକ୍ରାନ୍ତରେ ଆଲୋଚନା ହେବାସହ ସେବାୟତ କଲ୍ୟାଣ ସମ୍ପର୍କ ରେ ମଧ୍ୟ ଆଲୋଚନା ହୋଇଥିଲା । ରଥ ଉପରେ କୌଣସି ଅଣ ସେବାୟତ ରହିଲେ କିମ୍ବା ମୋବାଇଲ ବ୍ୟବହାର କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଷ୍ପତି ହୋଇଥିବା ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି ।ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଆଭାସି ମାଧ୍ୟମରେ ବୈଠକ ରେ ଯୋଗଦେଇଥିବା ବେଳେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କ ସମେତ ଅନ୍ୟାନ୍ୟ ଅଧିକାରୀ ଓ ସଦସ୍ୟ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

4 × five =