ସୁବର୍ଣ୍ଣପୁରରେ ପୁରୁଷ ବିଶ୍ୱକପ ହକି ଟ୍ରଫିକୁ ବିପୁଳ ସ୍ୱାଗତ

0 70

ସୁବର୍ଣ୍ଣପୁର: ଆଜି ପୁରୁଷ ହକି ବିଶ୍ୱକପର ଟ୍ରଫି ସୁବର୍ଣ୍ଣପୁରରେ ପହଂଚିବା ପରେ ଏହାକୁ ଭବ୍ୟ ସ୍ୱାଗତ କରାଯାଇଛି । ବିଗତ କିଛି ଦିନ ହେଲା ସୁବର୍ଣ୍ଣପୁରରେ ଏକ ଉତ୍ସବର ମାହୋଲ ସୃଷ୍ଟି ହୋଇଥିବା ବେଳେ ସାରା ଜିଲ୍ଲାରେ ହକିକୁ ନେଇ ଉତ୍ସବ ମୁଖର ହୋଇ ଉଠିଛି । ଆଜି ଦିନ ୧୧ଟା ୩୦ ମିନିଟ ସମୟରେ ହକି ବିଶ୍ୱକପର ଟ୍ରଫିକୁ ସହରର ତେଲନଦୀ ଛକଠାରେ ଭବ୍ୟ ସ୍ୱାଗତ କରାଯାଇଥିବା ବେଳେ ହଜାର ହଜାର ଲୋକ ସମାଗମ ହୋଇଥିଲେ । ପରେ ଏକ ବିଶାଳ ଶୋଭାଯାତ୍ରା କରାଯାଇ କୁଞ୍ଜ ଛକ, ନଳିନିଛକ,ବସଷ୍ଟାଣ୍ଡ, ବିଜୁପଟ୍ଟନାୟକ ଛକ, ବାଳିକା ହାଇସ୍କୁଲ ଛକ, କଚେରୀ ଛକ , ଆମ୍ବେଦକର ଛକ, ବ୍ଲକ ଛକ ଦେଇ ମହାନଦୀ ବ୍ରିଜ ପର୍ଯ୍ୟନ୍ତ ଶୋଭା ଯାତ୍ରା କରାଯାଇଥିଲା । ରାସ୍ତାର ଉଭୟ ପାର୍ଶ୍ୱରେ ହଜାର ହଜାର ସଂଖ୍ୟାରେ ସାଧାରଣ ଲୋକଙ୍କ ସହିତ ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନର କାର୍ଯ୍ୟକର୍ତ୍ତା, ସରକାରୀ କର୍ମଚାରୀ, ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକର୍ତ୍ତା , ବ୍ୟବସାୟିକ ସଂଘର କାର୍ଯ୍ୟକର୍ତ୍ତା ଆଦି ହକି ବିଶ୍ୱକପକୁ ଦେଖିବା ସହିତ ସ୍ୱାଗତ କରିଥିଲେ । ଜିଲ୍ଲାପ୍ରଶାସନର ଅନୁରୋଧ କ୍ରମେ ଅଧିକାଂଶ ଲୋକ ସମ୍ବଲପୁରୀ ବସ୍ତ୍ର ପରିଧାନ କରି ଏହି ବିଶ୍ୱ କପକୁ ସ୍ୱାଗତ କରିଥିଲେ । ଏହି ସ୍ୱାଗତ କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ କ୍ରୀଡା ଅନୁଷ୍ଠାନର ଖେଳାଳିମାନେ ଯୋଗଦେଇ ନିଜ ସହରରେ ବିଶ୍ୱ କପକୁ ଦେଖିବାର ସୁଯୋଗ ପାଇ ବେଶ୍‌ ଖୁସୀ ଥିବା ଦେଖାଯାଇଥିଲା । ବିଭିନ୍ନ ସାଂସ୍କୃତିକ ଦଳର ପାରମ୍ପରିକ ନୃତ୍ୟ ଗୀତରେ ସହର ପ୍ରକମ୍ପିତ ହୋଇଥିଲା । ଜିଲ୍ଲାପାଳ ଅବୋଲି ସୁନିଲ ନରୱଣେ ଓ ଏସପି ଅମରେଶ ପଣ୍ଡାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମସ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

seven − one =