ଦୁଇ ଶିଶୁଙ୍କୁ ସାବତ ମା’ର ଅମାନୁଷିକ ଆକ୍ରମଣ ଘଟଣା;ଜେଲ୍‌ ଗଲେ ଅଭିଯୁକ୍ତ ମା’ ଓ ବାପ

0 80

ଆଠଗଡ଼:ଆଠଗଡ ସହର ଉପକଣ୍ଠ ଷୋଳଘରିଆ ଗ୍ରାମରେ ଦୁଇ ନାବାଳକ ଶିଶୁଙ୍କୁ ହୋଇଥିବା ଅମାନୁଷିକ ତଥା ମରଣାନ୍ତକ ଆକ୍ରମଣ ଘଟଣାରେ ପୋଲିସ ଅଭିଯୁକ୍ତ ସାବତ ମା’ ପୁଷ୍ପଲତା ଶତପଥି ଓ ବାପା ସୁନିଲ ନନ୍ଦଙ୍କୁ ଗିରଫ କରି ଆଠଗଡ କୋର୍ଟକୁ ଚାଲାଣ କରିଥିଲା । କୋର୍ଟରେ ତାଙ୍କର ଜାମିନ ନ ହେବାରୁ ତାଙ୍କୁ ଜେଲ୍‌ ହାଜତକୁ ପଠାଇ ଦିଆଯାଇଛି । ଅମାନୁଷିକ ଆକ୍ରମଣର ଶିକାର ହୋଇଥିବା ଶିଶୁ ଙ୍କ ମା’ ସୁହାସିନୀ ନନ୍ଦଙ୍କ ଏତଲା କ୍ରମେ ଆଠଗଡ ପୋଲିସ୍‌ ଅଭିଯୁକ୍ତଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ସୂଚନା ଯୋଗ୍ୟ ଯେ, ସାବତ ମା’ ର ମରଣାନ୍ତକ ମାଡ଼ରେ ନାବାଳକ ଭାଇ ଓ ଭଉଣୀ ଗୁରୁତର ଆହତ ହୋଇ ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି ହୋଇଥିଲେ । ବିବରଣୀରୁ ପ୍ରକାଶ ଯେ ଡମପଡା ଥାନା ଉପର ପାଥପୁର ଗ୍ରାମର ସୁନିଲ ନନ୍ଦ ଗାଡ଼ି ଚଳାଇ ନିଜ ପରିବାରର ଭରଣ ପୋଷଣ କରନ୍ତି । ଗତକାଲି ସୋମବାର ସେ କୌଣସି କାର୍ଯ୍ୟରେ ବାହାରକୁ ଯାଇଥିଲେ । ତାଙ୍କ ଅନୁପସ୍ଥିତର ସୁଯୋଗ ନେଇ ଦ୍ୱିତୀୟ ସ୍ତ୍ରୀ ପୁଷ୍ପଲତା ନନ୍ଦ ନିଜ ସାବତ ଝିଅ ସୌମ୍ୟାଶ୍ରୀ(୧୧) ଓ ସାବତ ପୁଅ ସ୍ୱରୂପ (୯) କୁ ଏକ ରଶିରେ ବାନ୍ଧି ପ୍ରବଳ ମାଡ ମାରିଥିଲେ । ଝିଅର ହାତ ଭାଙ୍ଗିଥିବା ସହ ତାର ଶରୀରର ବିଭିନ୍ନ ସ୍ଥାନରେ ରକ୍ତ ଜମାଟ ବାନ୍ଧି ଦାଗ ହୋଇଯାଇଛି । ଝିଅ ପ୍ରାଣ ବିକଳରେ ଦୌଡ଼ି ପଳାଇ ଆସି କିଛି ଦୂରରେ ଜଣେ ପଡୋଶୀଙ୍କ ଘରେ ଆଶ୍ରୟ ନେଇଥିଲା । ଘଟଣା କ୍ରମେ ସାମାଜିକ ଗଣ ମାଧ୍ୟମ ରେ ଘୁରି ବୁଲିବାରୁ ଆଠଗଡ ପୋଲିସ ପୁଷ୍ପଲତା ଓ ବାପା ସୁନିଲ କୁ ଥାନାରେ ଅଟକ ରଖିବା ସହ ଆହତ ଭାଇ ଓ ଭଉଣୀଙ୍କୁ ଆଠଗଡ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରି ତଦନ୍ତ ଚାଲୁରଖିଥିଲେ । ଖବର ପାଇ କଟକ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଘଟଣାରେ ହସ୍ତକ୍ଷେପ କରିଥିଲେ । ପୀଡ଼ିତ ଭାଇ ଓ ଭଉଣୀଙ୍କ ପକ୍ଷରୁ ଏତଲା ଦିଆଯାଇଥିବା ବେଳେ ଖୋର୍ଦ୍ଧା ରେ ରହୁଥିବା ପିଲା ଦୁଇଟିର ମା ତଥା ସୁନିଲଙ୍କ ପ୍ରଥମ ପତ୍ନୀ ଜୟଶ୍ରୀ ନନ୍ଦ ଖବର ପାଇ ଆଠଗଡ ଡାକ୍ତରଖାନା ରେ ପହଞ୍ଚି ଗଣମାଧ୍ୟମ ଆଗରେ ଚାଞ୍ଚଲ୍ୟକର ବୟାନ ଦେଇଥିଲେ । ପିଲା ଦୁଇଟିକୁ ହତ୍ୟା କରି ସୁନିଲଙ୍କ ସମ୍ପତ୍ତି ହାତେଇବାକୁ ପୁଷ୍ପଲତା ସୁଚିନ୍ତିତ ଭାବେ ଏପରି ଅମାନୁଷିକ କାଣ୍ଡ ଘଟାଇଛନ୍ତି ବୋଲି ଜୟଶ୍ରୀ ଅଭିଯୋଗ କରିଛନ୍ତି । ଜୟଶ୍ରୀଙ୍କ ପାଖରେ ଗୋଟିଏ ଦୁଇ ବର୍ଷର ଶିଶୁ ପୁତ୍ର ରହିଛି । ଆନୁଷ୍ଠାନିକ ଭାବେ ଛାଡ଼ପତ୍ର ନଦେଇ ବେଆଇନ ଭାବେ ସୁନିଲ ଦ୍ୱିତୀୟ ବିବାହ କରିଛନ୍ତି ବୋଲି ଅଭିଯୋଗ କରିବା ସହ ତାଙ୍କୁ ମଧ୍ୟ ଅକଥନୀୟ ନିର୍ଯାତନା ଦେଇ ପାଗଳ ସଜାଇ ସୁନିଲ ଘରୁ ବାହାର କରିଦେଇଥିଲେ ବୋଲି ସେ କହିଛନ୍ତି ।
ତେବେ ପିଲା ଦୁଇଟିଙ୍କୁ ପାଠ ପଢ଼ାଇବା ପାଇଁ ନିଜ ପାଖରେ ସୁନିଲ ରଖିଥିଲେ । ଗୁରୁତର ଶିଶୁଙ୍କୁ ପ୍ରଶାସନ ପକ୍ଷରୁ ଚିକିତ୍ସା ପାଇଁ କଟକ ପଠାଯାଇ ଥିବା ବେଳେ ରେଡକ୍ରସରୁ ସହାୟତା ଦିଆ ଯାଇଥିବା ଜଣା ଯାଇଛି ।

hiranchal ad1
Leave A Reply

Your email address will not be published.

eleven + 6 =